ସୁସ୍ଥ ହେଉଛନ୍ତି ଠାକୁରେ: ଅଣସର ଘରେ ଚାଲିଛି ଓଷ ଉପଚାର

Advertisment

କବିରାଜଙ୍କ ଘରେ ଚାଲିଛି ଦଶମୂଳ ପ୍ରସ୍ତୁତି

କବିରାଜଙ୍କ ଘରେ ଚାଲିଛି ଦଶମୂଳ ପ୍ରସ୍ତୁତି

ସୁସ୍ଥ ହେଉଛନ୍ତି ଠାକୁରେ: ଅଣସର ଘରେ ଚାଲିଛି ଓଷ ଉପଚାର

ପୁରୀ: ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି। ସ୍ନାନଯାତ୍ରାଠାରୁ ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ବିଦ୍ୟାପତି ବଂଶଧର(ଦଇତାପତି)ମାନେ ଏହି ଗୁପ୍ତସେବାରେ ଲାଗିଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବା କରୁଛନ୍ତି। ଗତକାଲି ଶ୍ରୀଅଙ୍ଗରେ ଓଷ ଲାଗି ହୋଇଥିଲା। ଆଜି ବି ଶ୍ରୀଅଙ୍ଗରେ ଓଷ ଲାଗି ନୀତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନଧୂପ ପରେ ଜୟବିଜୟ ଦ୍ବାର ବନ୍ଦ ହୋଇ ବେହେରଣ ଦ୍ବାର ଖୋଲିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷ ମର୍ଦ୍ଦନ କରିଛନ୍ତି। ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦିଆଯାଉଛି। ପଥି ଭାବେ ନାନାଦି ଫଳମୂଳ ଓ ଚକଟା ଭୋଗ ଲାଗି କରିଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଫୁଲୁରି ତେଲ ଓ ଓଷ ଲାଗି ପରେ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି ମହାପ୍ରଭୁ। ଆସନ୍ତାକାଲି ବି ଓଷ ଉପଚାର ଚାଲିବ। ଦିନକ ପରେ ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ। ପରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କୁ ଲାଗି ହେବ। ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବ।

ପରମ୍ପରା ମୁତାବକ, ମହାପ୍ରଭୁଙ୍କ କବିରାଜମାନେ ଶୁଦ୍ଧପୁତ ଭାବେ ଦଶମୂଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆୟୁର୍ବେଦ ପଦ୍ଧତି ଓ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ ହେଉଛି। ଏକାଦଶୀ ତିଥିରେ ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି ହେବାର ବିଧି ରହିଛି। ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହ କରିଥାନ୍ତି। ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ମୋଦକ ପ୍ରସ୍ତୁତ ହୋଇଥାଏ। ହବିଷ୍ୟାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୁଏ। ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି। ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଥାଏ। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଶ୍ରୀଅଙ୍ଗରେ ଫୁଲୁରି ତେଲ, ଓଷ ଲାଗି ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କଲେଣି। ଆଉ ଦିନକ ପାଇଁ ଓଷ ଉପଚାର ଚାଲିବ। ପରେ ଚକାବିଜେ ଓ ଦଶମୂଳ ଲାଗି ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe