ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

ପୁରୀ: ଚାଲିଛି ମହାପ୍ରଭୁଙ୍କ ଅଣସର ଲୀଳା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଓଷ ପ୍ରସ୍ତୁତ କରିଛନ୍ତି ରାଜ ବୈଦ୍ୟ। ଦୁଇମାସ ତଳୁ ଏନେଇ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଦଶମୂଳ ପାଚକ (ମୋଦକ) ଗାରଦରେ ଜିମା ଦେଇଛନ୍ତି ରାଜ ବୈଦ୍ୟ। ବିଧି ବିଧାନ ମୁତାବକ ୫ଟି ଛୋଟ ଓ ୫ଟି ବଡ଼ ଗଛର ମୂଳ ତଥା ଚେରରେ ଏହା ପ୍ରସ୍ତୁତ କରାଯାଇଛି। ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅଙ୍କରାନ୍ତି, ନବାଙ୍କୁରୀ, ଗୋଖର, ପାଟେଳୀ ଆଦି ଚେରମୂଳିକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ ପରେ ସେସବୁକୁ ମିଶାଇ ଟାଣ ଖରାରେ ଶୁଖାଯାଇଥିଲା। ଶୁଦ୍ଧପୂତ ଭାବେ ରାଜବୈଦ୍ୟ ଏହି ଶୁଖିଲା ଦଶମୂଳକୁ ହେମଦସ୍ତାରେ କୁଟି କରିଆ କନାରେ ଛାଣି ଚୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ଏଥିରେ ରାଜବୈଦ୍ୟଙ୍କ ପରିବାର ବର୍ଗ ମଧ୍ୟ ସହଯୋଗ କରିଥିଲେ। କ୍ଷୀର, ମହୁ, ଚିନି, ଖୁଆ, ସର, ଘିଅ ଓ ଅନ୍ୟାନ୍ୟ ମସଲାକୁ ଦଶମୂଳ ଗୁଣ୍ଡକୁ ମିଶାଇ ରନ୍ଧା ଯାଇଥିଲା। ଥଣ୍ଡା ହେବା ପରେ ସେଥିରେ ଗୁଳା ଆକାରରେ ଦଶମୂଳ ମୋଦକ ପ୍ରସ୍ତୁତ ରାଯାଇଥିଲା। ଏହାକୁ ଆଜି ରାଜବୈଦ୍ୟ ନିଜେ ନେଇ ଗାରଦରେ କମାଣ୍ଡରଙ୍କୁ ଜିମା ଦେଇଛନ୍ତି।

ରାଜବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ରଙ୍କ ସୂଚନା ମୁତାବକ, ୭ଟି ରାଜବୈଦ୍ୟ ପରିବାର ଏହି ଦଶମୂଳ ମୋଦକ ଯୋଗାଇ ଆସୁଛନ୍ତି। ୨ ମାସ ଆଗରୁ ଏହାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ। ଦଶମୂଳ ସଂଗ୍ରହ କରାଯିବା ପରେ ଏହାକୁ ନିର୍ଦ୍ଦିଷ୍ଟ ପରିମାଣରେ ମିଶାଇ ଶୁଖାଯିବା ପରେ ଗୁଣ୍ଡ କରାଯାଇଥିଲା। ଗୁଣ୍ଡକୁ ପାକ କରାଯାଇ ମୋଦକ ପ୍ରସ୍ତୁତ ହୋଇଥିଲା। ଏହି ମୋଦକକୁ ୭ଟି ଓଳିରେ ଯୋଗାଇ ଦିଆଯାଇଛି। ପତି ମହାପାତ୍ର ଆସନ୍ତାକାଲି ସଂସ୍କାର କରିବାପରେ ଏହି ଭୋଗ ମହାପ୍ରଭୁଙ୍କ ନିକଟରେ କରାଯିବ। ମୋଦକ ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ପରେ ନବଯୌବନରେ ଶ୍ରୀଜିଉ ଦର୍ଶନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe