Coastal Digest
ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ-୨୦୦୯ ଅନୁଯାୟୀ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଘରୋଇ ସ୍କୁଲରେ ୨୫% ସିଟ୍ ସଂରକ୍ଷଣ ରହିବ। ନିୟମକୁ କଡ଼ାକଡ଼ି କରିବା ଲାଗି ବିଭାଗୀୟ ଅଧିକାରୀମାନେ ବାରମ୍ବାର ନୋଟିସ୍ ପଠାଉଛନ୍ତି। ମାତ୍ର ତାହା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ପାରଦର୍ଶୀ ପୋର୍ଟାଲରେ ଆବେଦନ କରି ନାମଲେଖା ପାଇଁ ପିଲାମାନେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ କେତେକ ଘରୋଇ ସ୍କୁଲ ଖୁଲମ୍ଖୁଲା ନିୟମ ଉଲ୍ଲଂଘନ କରୁଛନ୍ତି। ଏହି ଆଇନ ବଦଳରେ ନିକଟସ୍ଥ ଘରୋଇ ସ୍କୁଲରେ ପଢ଼ିବା ଲାଗି ପିଲା ଚୟନ ହୋଇଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ସେମାନଙ୍କ ନାମ ଲେଖାଉ ନାହାନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି। ଯେଉଁଠି ଅଭିଯୋଗ ଆସୁଛି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି। ପିଲାମାନେ ଯେପରି ସମ୍ପୃକ୍ତ ସ୍କୁଲରେ ନାମ ଲେଖାଇ ଶିକ୍ଷା ଗ୍ରହଣ କରିବେ ତାହାକୁ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି। ଏଥିସହ ପିଲାଙ୍କ ପାଠପଢ଼ା ଲାଗି ଖର୍ଚ୍ଚ ହୋଇଥିବା ଅର୍ଥ ଯେପରି ତୁରନ୍ତ ସମ୍ପୃକ୍ତ ସ୍କୁଲ ନିକଟରେ ପହଞ୍ଚିବ ସେଦିଗରେ ପଦକ୍ଷେପ ନେବାକୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କୁ ପରାମର୍ଶ ଦିଆଯାଇଛି। ବିଇଓମାନେ ନିଜସ୍ତରରେ ଘରୋଇ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଚିଠି ଲେଖି ନିର୍ଧାରିତ ସମୟ ଓ ଫର୍ମାଟରେ ଗରିବ ପିଲାଙ୍କ ଲାଗି ଖର୍ଚ୍ଚ କରିଥିବା ଅର୍ଥ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କହିବେ।
ପଦକ୍ଷେପ ନେବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ
ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କଠାରୁ ରିପୋର୍ଟ ତଲବ
Mid-Dayସେପଟେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କଠାରୁ ଏସମ୍ପର୍କିତ ରିପୋର୍ଟ ତଲବ କରାଯାଇଛି। ବିଭାଗୀୟ ଉପ ସଚିବ ବି ଏମ୍ ପଟ୍ଟନାୟକ କହିଛନ୍ତି ଯେ କିଛି ଘରୋଇ ସ୍କୁଲ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା କରିବାକୁ ମନା କରି ଦେଉଥିବା ନଜରକୁ ଆସିଛି। ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ସହ ନିୟମକୁ କଡ଼ାକଡ଼ି ପାଳନ କରାଯାଉ। ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ। ଏଥିସହ ଆସନ୍ତା ୧୫ ଦିନ ମଧ୍ୟରେ ଏସମ୍ପର୍କିତ ରିପୋର୍ଟ ଦାଖଲ କରନ୍ତୁ।
ଓଡ଼ିଶା ଅବିଭାବକ ମହାସଂଘ ପକ୍ଷରୁ କୁହାଯାଇଛି ଯେ ବାରମ୍ବାର ଧାରଣା, ଧର୍ମଘଟ, ଅନଶନ ପରେ ଗତବର୍ଷ ଆଇନ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ କରିଥିଲେ। ପ୍ରଥମ ବର୍ଷ ପ୍ରାୟ ୫ହଜାର ପିଲା ନାମ ଲେଖାଇଥିଲେ। ମାତ୍ର ସେତେଟା ସଫଳତା ମିଳିପାରି ନ ଥିଲା। ଯଦି ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହୁଏ, ତେବେ ପ୍ରତିବର୍ଷ ପାଖାପାଖି ୭୦ ହଜାରରୁ ଅଧିକ ଗରିବ ପିଲା ଏହି ସୁବିଧା ପାଇବେ। ଚଳିତ ଶିକ୍ଷାବର୍ଷରେ ପ୍ରାୟ ୧୫ହଜାର ଛାତ୍ରଛାତ୍ରୀ ନାମଲେଖା ଲାଗି ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଯୋଜନାରେ ୩ରୁ ୭ବର୍ଷ ମଧ୍ୟରେ ପିଲା ଉଭୟ ନର୍ସରି ଓ ପ୍ରଥମ ଶ୍ରେଣୀରେ ନାମଲେଖା ଲାଗି ବ୍ୟବସ୍ଥା ରହିଛି। ତେବେ ଘରୋଇ ସ୍କୁଲଗୁଡ଼ିକ ନାମଲେଖା କରିବାକୁ ଅଭିଭାବକ ଓ ପିଲାଙ୍କୁ ମନା କରୁଛନ୍ତି। ଭୁବନେଶ୍ୱରରେ ଏଭଳି ଶତାଧିକ ଅଭିଭାବକ ଅଭିଯୋଗ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସ୍ୱୀକୃତି ପ୍ରତ୍ୟାହାର ଲାଗି ମହାସଂଘ ଦାବି କରିଥିଲା।
Follow Us