ବେଆଇନ୍‌ ବାଲି ଡିପୋରେ ଚଢ଼ଉ, ଜବତ ବାଲି ଏନ୍‌ଏଚ୍‌ଏଆଇକୁ ବିକ୍ରି କଲା ପ୍ରଶାସନ

ବେଆଇନ୍‌ ବାଲି ଡିପୋରେ ଚଢ଼ଉ, ଜବତ ବାଲି ଏନ୍‌ଏଚ୍‌ଏଆଇକୁ ବିକ୍ରି କଲା ପ୍ରଶାସନ

ବାଲେଶ୍ବର: ରେମୁଣା ତହସିଲ ଅଧୀନସ୍ଥ ନୂଆଗାଁ, ଗମ୍ଭାରିଆ, ଘାଘରାପାଳ ଓ ହଳଦିଆ ଅଞ୍ଚଳରେ ବେଆଇନ୍‌ ଭାବେ ବିପୁଳ ପରିମାଣର ବାଲି ଗଦା ହୋଇଥିବା ଖବର ପାଇ ଆଜି ସ୍ଥାନୀୟ ତହସିଲଦାର ପୁଲିସ ଫୋର୍ସ ସହ ଚଢ଼ଉ କରି ଗଚ୍ଛିତ ବାଲି ଜବତ କରିଥିଲେ। ଜବତ ବାଲି ୪୫ଟି ହାଇଵାରେ ନେଇ ରାଜପଥ ପ୍ରାଧିକରଣକୁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ବିକ୍ରି କରା ଯାଇଥିବା ସୂଚନା ଦିଆଯାଇଛି।

ରେମୁଣା ତହସିଲ ପକ୍ଷରୁ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି କହିବା ସହ ସ୍ଥାନୀୟ ଅଞ୍ଚଳରେ ବାଲି ଓ ମାଟି ମାଫିଆ ସକ୍ରିୟ ଥିବାରୁ ସେମାନଙ୍କ ବିରୋଧରେ ପ୍ରଶାସନ ତରଫରୁ କାର୍ଯ୍ୟା‌ନୁଷ୍ଠାନ ଜାରି ରହିଛି ବୋଲି ରେମୁଣା ତହସିଲଦାର ସିତାଂଶୁ ଶେଖର ଦାସ କହିଛନ୍ତି। ସେହି କ୍ରମରେ ଆଜି ଚଢ଼ଉ ହୋଇଥିବା ସ୍ଥାନଗୁଡ଼ିକରେ ପୂର୍ବରୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରା ଯାଇଥିଲା। ତେବେ କେହି ଦାବିଦାର ନଥିବାରୁ ପ୍ରଶାସନ ଆଜି ସଦଳବଳେ ଚଢ଼ଉ କରି ବିପୁଳ ପରିମାଣର ବାଲି ଜବତ କରିଥିଲା। ପରେ ୪୫ଟି ହାଇୱାରେ ଜବତ ବାଲି ନେଇ ଏନ୍‌ଏଚ୍‌ଏଆଇକୁ ବିକ୍ରି କରାଯାଇଛି। ପ୍ରତି କ୍ୟୁବିକ୍‌ ମିଟର ବାଲିର ସରକାରୀ ରୟାଲିଟି ୩୫ ଟଙ୍କା ଥିବା ବେଳେ ସମସ୍ତ ଟିକସ ଲଗାଇ ୩୧୫ଟଙ୍କାରେ ବିକ୍ରି ହୋଇଥିବା ‌ତହସିଲଦାର ସୂଚନା ଦେଇଛନ୍ତି।

ସେହିପରି ବାଲିମାଫିଆଙ୍କ ବିରୋଧରେ ଏହି ଚଢ଼ଉ ଆଗାମୀ ଦିନରେ ଜୋରଦାର କରାଯିବା ସହିତ ଯେଉଁ ସ୍ଥାନରେ ବେଆଇନ୍‌ ଭାବେ ବାଲି କିମ୍ବା ମାଟି ଗଦା ହୋଇଥିବା କାହାର ଦୃଷ୍ଟିଗୋଚର ହେଉଛି ସେମାନେ ପ୍ରଶାସନ ନଜରକୁ ଆଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe