ଆଇନ ଆଗରେ ହାରିଗଲା ଯଶୋଦା ମା’ର ମମତା: ଜହ୍ନକୁ ନେଇଗଲା ପ୍ରଶାସନ

Advertisment

୮ ମାସ ପରେ ସ୍ନେହ ସରାଗ ଦୁଃଖରେ ବଦଳିଲା

୮ ମାସ ପରେ ସ୍ନେହ ସରାଗ ଦୁଃଖରେ ବଦଳିଲା

ଆଇନ ଆଗରେ ହାରିଗଲା ଯଶୋଦା ମା’ର ମମତା: ଜହ୍ନକୁ ନେଇଗଲା ପ୍ରଶାସନ

ଜଗନ୍ନାଥପ୍ରସାଦ : ଜନ୍ମ ଦେଇ ନଥିଲେ। ହେଲେ, ଯଶୋଦା ଭଳି ବେସାହାରା ଶିଶୁକନ୍ୟାକୁ କୋଳେଇ ନେଇଥିଲେ ନିଃସନ୍ତାନ ମାଆ। ସ୍ନେହରେ ନାଁ ରଖିଥିଲେ ଜହ୍ନ। ହସଖୁସିରେ ଭରିଯାଇଥିଲା ସଂସାର। ଏହାର ୮ମାସ ପରେ ଝଡ଼ ଭଳି ମାଡ଼ିଆସିଲା ଦୁଃଖ। ଆଇନ ଜାଲରେ ଛନ୍ଦି ହୋଇଗଲା ମାଆର ମମତା। ସବୁଦିନ ପାଇଁ ପାଳିତ ଶିଶୁକନ୍ୟାକୁ ପ୍ରଶାସନ ନିୟମର ଦ୍ବାହି ଦେଇ ନିଜ ହେପାଜତକୁ ନେଇଗଲା। ନିମିଷକରେ ସବୁ ଖୁସି ଉଭେଇଗଲା। ଏବେ କୁନି ଜହ୍ନକୁ ଝୁରି ଆଖିରୁ ଲୁହ ଗଡ଼ାଇବା ଓ ବାହୁନି ବାହୁନି କାନ୍ଦିବା ଛଡ଼ା ବିଚରା ମାଆ ପାଖରେ ଆଉ କିଛି ଉପାୟ ନାହିଁ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗ୍ରାମର ନୂଆସାହିରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଃସନ୍ତାନ ଦମ୍ପତି ନିକଟରୁ ପାଳିତ ଶିଶୁକନ୍ୟାକୁ ଶିଶୁ କଲ୍ୟାଣ କମିଟି ଉଦ୍ଧାର କରିଛି।

ପବିତ୍ର ଓ ମାଧୁରୀ ନିଃସନ୍ତାନ ଥିବାରୁ ‌ଅତି ଯତ୍ନ ସହକାରେ ଶିଶୁକନ୍ୟାର ଲାଳନପାଳନ କରୁଥିଲେ। ଆଉ ତାର ନାଁ ରଖିଥିଲେ ‘ଜହ୍ନ’। ଝିଅ ପାଇଁ ମାଧୁରୀଙ୍କ ଖୁସିର ସୀମା ରହୁ ନଥିଲା। ପଡ଼ୋଶୀ ବି ଶିଶୁ ଜହ୍ନକୁ ଖୁବ୍ ଭଲ ପାଉଥିଲେ। ହଠାତ୍ ମାଧୁରୀଙ୍କ ସଂସାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଲା ଯେମିତି। କୌଣସି ବ୍ୟକ୍ତି ମାଧୁରୀ ଓ ଶିଶୁକନ୍ୟା ଜହ୍ନର ଏକ ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍ କରିଦେଇଥିଲେ। ଏହାକୁ ବେଆଇନ ବୋଲି ଦର୍ଶାଇଥିଲେ। ଘଟଣା ଶିଶୁ ସୁରକ୍ଷା ବିଭାଗର ନଜରକୁ ଆସିବା ପରେ ଜଗନ୍ନାଥପ୍ରସାଦ ସିଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ ‌ବୋଲି ସିଡିପିଓ ରିପୋର୍ଟ ଦେଇଥିଲେ। ଗତକାଲି ସିଡବ୍ଲୁସି ସଂଯୋଜକ ପ୍ରଣତି କୌର, ଟିମ୍‌ସଭ୍ୟ ରଶ୍ମିତା ବେହେରା ଓ ସିଡିପିଓ ବିଷ୍ଣୁପ୍ରିୟା ସେଠୀ ଏବଂ ସୁପରଭାଇଜର୍ ଲିଲିମା ପଣ୍ଡା ଶିଶୁକନ୍ୟାଟିକୁ ଉଦ୍ଧାର କରିବାକୁ ମାଧୁରୀଙ୍କ ଘରେ ପହଞ୍ଚିଥିଲେ। ତେବେ, କୌଣସି ପରିସ୍ଥିତିରେ ବି ଝିଅକୁ ହସ୍ତାନ୍ତର କରିବାକୁ ରାଜି ହୋଇନଥିଲେ ମାଧୁରୀ। ଶେଷରେ, ସେମାନେ ତହସିଲଦାର ମନୋଜ ତ୍ରିପାଠୀ ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ଅବଗତ କରିଥିଲେ। ତହସିଲଦାର ଓ ଥାନାଧିକାରୀ ଯାଇ ପହଞ୍ଚି ମାଧୁରୀଙ୍କୁ ବୁଝାସୁଝା କରିଥିଲେ ବି ସେ ଶେଷ ରାଜି ହୋଇ ନଥିଲେ। ମିଳିଥିବା ସୂଚନା ଅନୁସାରେ, ଶିଶୁକନ୍ୟାଟିକୁ ଉଦ୍ଧାର କରିବା ଲାଗି ସ୍ଥାନୀୟ ସିଡିପିଓ, ତହସିଲଦାର, ସିଡବ୍ଲୁସି କର୍ମଚାରୀ ଓ ଥାନା କର୍ମଚାରୀଙ୍କୁ ୭ ଘଣ୍ଟା ଧରି କସରତ କରିବାକୁ ପଡ଼ିଛି। ଏସ୍‌ଆଇ ପ୍ରଭାତୀ ବେହେରା ଯାଇ ସେମାନଙ୍କୁ ବୁଝାସୁଝା କରି ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ବିଷୟରେ ସଚେତନ କରିଥିଲେ। ବହୁକଷ୍ଟରେ ମାଧୁରୀ ରାଜି ହେବା ସହ କାନ୍ଦି କାନ୍ଦି ଝିଅ ଜହ୍ନକୁ ଧରି ଥାନାକୁ ଆସିଥିଲେ।

ଶେଷ ନିଷ୍ପତ୍ତି ଅନୁସାରେ ଝିଅକୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। କାନ୍ଦବୋବାଳିରେ ଥାନା ପରିସର ଫାଟି ଉଠିଥିଲା। ମାଧୁରୀ କାକୁତିମିନତି ହୋଇ ‘ଝିଅକୁ ମୋତେ ଫେରାଇଦିଅ। ଯାହା ମୂଲ୍ୟ ବି ଦେବି ବୋଲି କୋହଭରା କଣ୍ଠରେ କହିଥିଲେ। ଏହାଶୁଣି ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା। ’ ରାତି ପ୍ରାୟ ୮ଟା ବେଳେ ମାଧୁରୀ ଓ ଦୁଇଜଣ ଗ୍ରାମବାସୀ ବ୍ରହ୍ମପୁର ଆସି ଝିଅକୁ ଛାଡ଼ି ଘରକୁ ‌ଆସିଥିଲେ। ଝିଅକୁ ଝୁରି ଝୁରି ମାଧୁରୀଙ୍କ ଆଖିରୁ ଏବେ ଲୁହ ଶୁଖୁନି। ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେଇ ଝିଅକୁ ଫେରାଇ ଆଣିବୁ ବୋଲି ମାଧୁରୀଙ୍କ ବାପା ସୁବାସ ନାଇକ ଓ ଦାଦା ସନ୍ତୋଷ ନାଇକ କହିଛନ୍ତି।

ଉଲ୍ଲେଖଯୋଗ୍ୟ , ଗତ ଜାନୁଆରି ୧୭ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଇଲାକାର ଜଣେ ଯୁବତୀ ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ପରିବାର ବିଷୟରେ କୌଣସି ସୂଚନା ଦେଇ ନଥିଲେ। ଜନ୍ମପରେ ଶିଶୁକନ୍ୟାଟିକୁ ଡାକ୍ତରଖାନାର ଜଣେ ସୁଇପର୍‌ଙ୍କୁ ଦେଇ ପଳାଇଥିଲେ। ସୁଇପର୍‌ଜଣକ ଶିଶୁଟିକୁ ତିନିଦିନ ନେଇ ରଖିବା ଶଙ୍ଖସାହିର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ, ଉକ୍ତ ବ୍ୟକ୍ତିଙ୍କ ଆଗରୁ ପାଞ୍ଚଟି ସନ୍ତାନ ଥିବାରୁ ଲାଳନପାଳନରେ ସମସ୍ୟା ଦେଖାଦେଇଥିଲା। ଶେଷରେ, ସେ ଶିଶୁକନ୍ୟାଟିକୁ ନୂଆସାହିର ପବିତ୍ର ନାଇକ ଓ ପତ୍ନୀ ମାଧୁରୀଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe