ଜନଶୁଣାଣିରେ ଅକଳରେ ପଡ଼ିଗଲା ପ୍ରଶାସନ: ଜବାବ ମାଗିଲେ ଆଦିବାସୀ ବୃଦ୍ଧା ଦୁଃଖୀ ଭକ୍ତା

Advertisment

ଏମିତି ହୋଇଛି ଅତନୁଙ୍କ ମହାକାଳପଡ଼ାରେ ବିକାଶ, ଅପନ୍ତରା ମୂଲକର ନାଁ ଜଙ୍ଗଲଘେରୀ

ଏମିତି ହୋଇଛି ଅତନୁଙ୍କ ମହାକାଳପଡ଼ାରେ ବିକାଶ, ଅପନ୍ତରା ମୂଲକର ନାଁ ଜଙ୍ଗଲଘେରୀ

ଜନଶୁଣାଣିରେ ଅକଳରେ ପଡ଼ିଗଲା ପ୍ରଶାସନ: ଜବାବ ମାଗିଲେ ଆଦିବାସୀ ବୃଦ୍ଧା ଦୁଃଖୀ ଭକ୍ତା

କେନ୍ଦ୍ରାପଡ଼ା: ‘ରାସ୍ତା ନାହିଁ। ସ୍କୁଲ କି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଅଧିକାଂଶ ଲୋକଙ୍କୁ ଭତ୍ତା କି ରାସନ୍‌ କାର୍ଡ ମିଳି ନଥିବା ବେଳେ ଆବାସ ଯୋଜନାରେ ଘର ସ୍ବପ୍ନ ପାଲଟିଛି। ନଳକୂପ ଅଛି, କିନ୍ତୁ ତାହା ଲୋକଙ୍କ ପିଇବା ପାଣିର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। କେବେ ଏ ସବୁ ସମସ୍ୟାର ସମାଧାନ ହେବ, ଜବାବ ଦିଅ... ା

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଆଦିବାସୀ ବୃଦ୍ଧା ଦୁଃଖୀ ଭକ୍ତାଙ୍କର ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।ପେଟଛେଲା ପଂଚାୟତ ଲୁଣିମାଠିଆ ଗାଁର ଜଂଗଲଘେରୀ ଅଞ୍ଚଳର ଏହି ଦୃଶ୍ୟ ରାଜ୍ୟ ସରକାରଙ୍କର ଅତି କ୍ଷମତାଶାଳୀ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନମଣ୍ଡଳୀର। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳର ବିକାଶ ପଛର ସତ ସାମ୍ନାକୁ ଆଣିଛି। ପ୍ରଶ୍ନ ଉଠିଛି, ମହାକାଳପଡ଼ା ଅଞ୍ଚଳର ବିକାଶ କ’ଣ କେବଳ କାଗଜପତ୍ର ଓ ପ୍ରଚାରରେ ସୀମିତ? ଯେଉଁ ରଙ୍ଗିନ୍‌ ଚିତ୍ର ଅଙ୍କାଯାଉଛି, ତାହା ପଛରେ କେତେ ସତ ରହିଛି?

ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ମହାକାଳପଡ଼ାରୁ କ୍ରମାଗତ ଭାବେ ଭୋଟ୍‌ ପାଇ ଜିତି ଆସୁଛନ୍ତି ା ସରକାରରେ ଏକାଧିକଥର କ୍ୟାବିନେଟ୍‌ ମନ୍ତ୍ରୀ ବି ହୋଇଛନ୍ତି ା ଏବେ ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି। କିନ୍ତୁ ମହାକାଳପଡ଼ା ବ୍ଲକ୍‌ କାର୍ଯ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଛୋଟିଆ ଆଦିବାସୀ ପଡ଼ାର ସ୍ଥିତି ଅତନୁ ବାବୁଙ୍କ ଲମ୍ବା କାର୍ଯ୍ୟକାଳ ଭିତରେ ନ ସୁଧୁରିବା ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।
ସୂଚନା ଅନୁଯାୟୀ ପ୍ରଭାକରପୁର-ଖରିନାସୀ ମୁଖ୍ୟ ରାସ୍ତାଠାରୁ ଏହି ଆଦିବାସୀ ପଡ଼ାର ଦୂରତା ପ୍ରାୟ ଦେଢ଼ କିଲୋମିଟର। ୩୦ରୁ ଅଧିକ ପରିବାରର ଶହେରୁ ଅଧିକ ଲୋକେ ଏଠାରେ ବାସ କରୁଛନ୍ତି। ସମସ୍ତେ ଶ୍ରମିକ ଶ୍ରେଣୀର। କାହାର ଚାଷ ଜମି ନାହିଁ। ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଅଞ୍ଚଳର ଚାରିପଟକୁ ଚାଷ ଜମି ଓ ନଦୀ ଘେରି ରହିଥିବା ବେଳେ ଏଯାଏ ଭଲ ରାସ୍ତାଟିଏ ତିଆରି ହୋଇପାରିନାହିଁ। ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ପିଲାମାନେ ପାଠ ପଢ଼ିବାରୁ ବଂଚିତ ହେଉଛନ୍ତି। ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ଘର ମିଳୁନାହିଁ। ମାଟି ରାସ୍ତା କାରଣରୁ ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି ଏହି ପଡ଼ାର ଲୋକ। ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଚାରି ଚକିଆ ଗାଡ଼ି ଆସିପାରୁନାହିଁ। ଦେହ ଖରାପ ହେଲେ ଭାରରେ ମୁଖ୍ୟ ରାସ୍ତା ଯାଏ ଦୁଇ କିଲୋମିଟର ବୋହି ଆଣିବାକୁ ପଡ଼ୁଛି। ଅତୀତରେ ଭାରରେ ରୋଗୀ ବୁହା ହେବା ଓ ଆମ୍ବୁଲାନ୍ସ ରାସ୍ତାରେ ଫସି ରହିବା ଘଟଣା ଦେଖିବାକୁ ମିଳିଛି।

ଅଞ୍ଚଳବାସୀ ମୌଳିକ ସମସ୍ୟା ସଂପର୍କରେ ସ୍ଥାନୀୟ ପ୍ରଶାସନଠୁ ନେଇ ଲୋକ ପ୍ରତିନିଧିଙ୍କ ଯାଏ ସମସ୍ତଙ୍କୁ ଏକାଧିକବାର ଅଭିଯୋଗ କରିଛନ୍ତି। ଗଣମାଧ୍ୟମରେ ଏ ବାବଦରେ ବାରମ୍ବାର ଖବର ପ୍ରକାଶ ପାଇଛି। କିନ୍ତୁ ଫଳ ଶୂନ। ନିକଟରେ ଯଦିଓ ଏହି ଆଦିବାସୀ ପଡ଼ାକୁ ଯୋଡ଼ିବା ପାଇଁ ପେଭର ବ୍ଲକ୍‌ ରାସ୍ତା କରିବାକୁ ଯୋଜନା ହେଲା, କିନ୍ତୁ ତାହା ମାତ୍ର ଶହେ ମିଟର୍‌ ଭିତରେ ସୀମିତ ରହିଗଲା। ବାକି ରାସ୍ତା କାହିଁକି ହେଲା ନାହିଁ, ତାହାର ଉତ୍ତର କେହି ଦେଉନାହାନ୍ତି। ସୋମବାର ଦିନ ଜନଶୁଣାଣି କାର୍ଯ୍ୟକ୍ରମରେ ଆଦିବାସୀ ବୃଦ୍ଧା ଦୁଃଖୀ ଭକ୍ତା କାହିଁକି ଆମ ଅଞ୍ଚଳରେ ରାସ୍ତା, ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ହେଉନାହିଁ ବୋଲି ପଚାରି ତାର ଜବାବ୍ ଦେବାକୁ ଅଡ଼ି ବସିଥିଲେ। ପ୍ରଶାସନିକ ଅଧିକାରୀ ହଡ଼ବଡ଼େଇ ଯାଇ ଯେତେ ବୁଝାସୁଝା ଉଦ୍ୟମ କରିଥିଲେ ମଧ୍ୟ ବୃଦ୍ଧା ବୁଝି ନଥିଲେ। ଶେଷରେ ଉପଜିଲ୍ଳାପାଳ ହସ୍ତକ୍ଷେପ କରି ଆସନ୍ତାକାଲି ଗାଁକୁ ପ୍ରଶାସନିକ ଅଧିକାରୀ ଯାଇ ସମସ୍ୟା ବୁଝିବେ ବୋଲି କହିବା ପରେ ଦୁଃଖୀ ସେଠାରୁ ଯାଇଥିଲେ ା

ଏ ସଂପର୍କରେ ପେଟଛେଲା ସରପଞ୍ଚ ପ୍ରସନ୍ନ ବେହେରା କହିଛନ୍ତି ଯେ ପଞ୍ଚାୟତରେ ପାଣ୍ଠି ନ ଥିବାରୁ ରାସ୍ତା ହେଇପାରୁନାହିଁ। କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର ସରିଛି। ବର୍ଷା ଦିନ ପରେ କାମ ହେବ। ପଟ୍ଟା ନ ଥିବାରୁ ଘର ମିଳିପାରୁ ନାହିଁ। ଅନ୍ୟପଟେ କିନ୍ତୁ ବିଧାୟକଙ୍କ ପାଣ୍ଠିରୁ ପ୍ରତିବର୍ଷ ନିର୍ବାଚନ ମଣ୍ଡଳୀର ଆଞ୍ଚଳିକ ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଗୋଟିଏ ବର୍ଷରେ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବାର କ୍ଷମତା ବିଧାୟକଙ୍କୁ ଦିଆଯାଇଛି। କିନ୍ତୁ ଲଗାତାର ତିନି ଥର ବିଧାୟକ ହେବା ପରେ ବି ଅତନୁଙ୍କ ବିଧାୟକ ପାଣ୍ଠିରୁ ଏହି ଆଦିବାସୀ ପଡ଼ା ଯଦି ଉପକୃତ ହୋଇପାରିଲା ନାହିଁ, ତେବେ ମହାକାଳପଡ଼ାର ବିକାଶ କେବଳ କାଗଜକଲମ ଓ ସ୍ଲୋଗାନ୍‌ରେ ​ସୀମିତ ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe