ରାଗିଂ ବିରୋଧରେ ପ୍ରଶାସନର ରଣନୀତି: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଜିଲ୍ଲାପାଳ ଓ ଏସ୍‌ପି

Advertisment

ପରିବେଶ ପରିବର୍ତ୍ତନ ପାଇଁ ପ୍ରୟାସ

ପରିବେଶ ପରିବର୍ତ୍ତନ ପାଇଁ ପ୍ରୟାସ

ରାଗିଂ ବିରୋଧରେ ପ୍ରଶାସନର ରଣନୀତି: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗୀର : ଗତ କିଛିଦିନ ହେବ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁନି। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ ଛାତ୍ର ନିଶାନ୍ତଙ୍କ ଚାଟିଂକୁ ନେଇ ବି ଚର୍ଚ୍ଚା ହେଉଛି। କିନ୍ତୁ ଏସବୁ ଭିତରେ ଭୀମଭୋଇ ମେଡିକାଲ କଲେଜ ପରିସରରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। କ୍ୟାମ୍ପସକୁ ରାଗିଂ ଫ୍ରି କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନର ଉପସ୍ଥିତିରେ କଲେଜ ଅଡିଟୋରିୟମରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।

publive-image

କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ, ଡାକ୍ତର କେବଳ ଜୀବନ ବଞ୍ଚାଇବା ପାଇଁ। କୌଣସି ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ଆଲୋଚନା କରିବା ନାହିଁ। କିନ୍ତୁ କଲେଜ କ୍ୟାମ୍ପସ ଭିତରେ ହସପିଟାଲ ଆରମ୍ଭ ହେବା ପୂର୍ବରୁ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ। ଏଭଳି କିଛି ଉଚ୍ଚାରଣରୁ ଛାତ୍ରଛାତ୍ରୀଙ୍କୁ ରାଗିଂ ବିରୋଧରେ ସେ ସଚେତନ କରାଇଥିଲେ। ଏସ୍‌ପି ନୀତିନ କୁଶଲକର ବି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ରାଗିଂ ବିରୋଧରେ ଥିବା ଆଇନ ସମ୍ପର୍କରେ ସଚେତନ କରିଥିଲେ। ପାଖାପାଖି ଦୁଇଘଣ୍ଟାର କାର୍ଯ୍ୟକ୍ରମରେ କଲେଜର ଡିନ୍‌ ଡା. ସବିତା ମହାପାତ୍ରଙ୍କ ସମେତ ମେଡିକାଲ ଛାତ୍ରଛାତ୍ରୀ ମଧ୍ୟ ରାଗିଂ ବିରୋଧରେ ନିଜ ପ୍ରତିବଦ୍ଧତା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ପାଇଁ ଗର୍ବ ଗୌରବ ବହନ କରୁଥିବା ଭୀମଭୋଇ ମେଡିକାଲ କଲେଜ କେମିତି ରାଗିଂ ଫ୍ରି କ୍ୟାମ୍ପସ ହୋଇପାରିବ ତା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। କଲେଜ ଡିନ୍‌ ଡା. ସବିତା ମହାପାତ୍ର କହିଥିଲେ, ବାହାର ରାଜ୍ୟରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା କାଉନସେଲିଂ ସେଲ୍‌ ମଧ୍ୟ ଖୋଲାଯାଇଛି। ଆଣ୍ଟିଂ ରାଗିଂ ହେଲ୍‌ପଲାଇନ୍‌ ଜାରି କରାଯାଇଛି ବୋଲି ସେ ମତ ରଖିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୨ ତାରିଖ ପ୍ରଥମ ବର୍ଷ ମେଡ଼ିକାଲ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଲେଜ କର୍ତ୍ତୃପକ୍ଷ ଅଡୁଆରେ ପଡ଼ିଥିଲେ। କଲେଜରେ ରାଗିଂର ଅଭିଯୋଗ ଆଣିଥିଲେ ମୃତ ନିଶାନ୍ତଙ୍କ ବାପା, ମା’। ଏପରି ମୃତ ଛାତ୍ର ନିଶାନ୍ତଙ୍କ ହ୍ବାଟ୍‌ସଅପ ଚାଟିଂରୁ ରାଗିଂ ହୋଇଥିବା ନେଇ ଚିତ୍ର ସାମ୍ନାକୁ ଆସିଥିଲା। ଏବେବି ନିଶାନ୍ତ କୁମାରଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଜାରି ରହିଛି। ପ୍ରତିଦିନ କଲେଜ ସମ୍ପର୍କରେ ରକମ ରକମର ଖବର ପ୍ରଚାରିତ ହେଉଥିବା ବେଳେ କଲେଜ କ୍ୟାମ୍ପସର ପରିବେଶ ପରିବର୍ତ୍ତନ ପାଇଁ ପ୍ରଶାସନର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ପୂରା କଲେଜକୁ ପ୍ରଶାସନର ତୀକ୍ଷ୍‌ଣ ନଜରରେ ରଖିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe