ପ୍ରଶାସନିକ ତଥା ପ୍ରତ୍ନତତ୍ତ୍ବ ବିଭାଗର ଅଢ଼ୁଆଳରେ ଶୈବପୀଠ

Advertisment
ପ୍ରଶାସନିକ ତଥା ପ୍ରତ୍ନତତ୍ତ୍ବ ବିଭାଗର ଅଢ଼ୁଆଳରେ ଶୈବପୀଠ

YouTube

ବରଗଡ଼: ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୬ଟି ଶୈବପୀଠ ରହିଛି। ସେଗୁଡିକ ମଧ୍ୟରେ ଅମ୍ବାଭୋନା ସ୍ଥିତ କେଦାରନାଥ ବାବା, ବରଗଡ଼ ଦେଓଗାଁସ୍ଥିତ ବୈଦ୍ୟନାଥ ବାବା, ଗାଇସୀମାସ୍ଥିତ ବରାଡ଼ ବାଲୁଙ୍କେଶ୍ୱର ବାବା, ଭଟଲି ନିଲ୍‌ଜି ସ୍ଥିତ ନୀଳକଣ୍ଠେଶ୍ୱର ବାବା, ସ୍ୱର୍ଣ୍ଣାସ୍ଥିତ ସ୍ୱପ୍ନେଶ୍ୱର ବାବା ଏବଂ ସରଣ୍ଡା ସ୍ଥିତ ବିଶ୍ୱେଶ୍ୱର ବାବା। ଏହି ଶୈବପୀଠ ଗୁଡ଼ିକରେ ଶ୍ରାବଣ ମାସ, ଶିବରାତ୍ରୀ ସମେତ ବିଭିନ୍ନ ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ତେବେ ଏହି ଶୈବପୀଠ ଗୁଡ଼ିକରେ ବର୍ତମାନ ଅନେକଗୁଡିଏ ସମସ୍ୟା ପରିଲକ୍ଷିତ ହେଉଥିବାବେଳେ ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖ୍ରୀଷ୍ଟାବ୍ଦ ୧୬୧୭ ରୁ ୧୭୬୬ ମଧ୍ୟରେ ତତ୍କାଳୀନ ସମ୍ବଲପୁର ରାଜା ବଳିୟାର ସିଂ ଏବଂ ରାଜା ଅଜିତ ସିଂଙ୍କ ସମୟରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ୮ଟି ଅଷ୍ଟଶମ୍ଭୁ ମନ୍ଦିର ନିର୍ମାଣ କରାଯାଇଥିବା ଜଣାପଡିଛି।

ଏହି ଅଷ୍ଟଶମ୍ଭୁ ପୀଠ ମଧ୍ୟରୁ ବରଗଡ଼ ଜିଲ୍ଲାରେ ରହିଥିବା ୬ଟି ଶୈବପୀଠ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି। ସରଣ୍ଡାସ୍ଥିତ ବାବା ବିଶ୍ୱେଶ୍ୱର ଏବଂ ଅମ୍ବାଭୋନାସ୍ଥିତ କେଦାରନାଥ ମନ୍ଦିରକୁ ଛାଡିଦେଲେ ଅନ୍ୟ ୪ଟି ଅଷ୍ଟଶମ୍ଭୁ ପୀଠକୁ ଏ ଯାଏଁ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଭକ୍ତମାନଙ୍କୁ ଗ୍ରାମ୍ୟ ରାସ୍ତାରେ ବହୁ କଷ୍ଟରେ ଉକ୍ତ ପୀଠକୁ ଯିବାକୁ ପଡ଼ିଥାଏ। କେଦାରନାଥକୁ ବାଦ ଦେଇ ପ୍ରତ୍ୟେକ ଶୈବପୀଠ ନିକଟରେ ରହିଥିବା ପୁଷ୍କରଣୀରେ ଜଳ ସଂରକ୍ଷଣ ରଖିବା ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ପ୍ରତ୍ୟହ ବିଶେଷ କରି ଶ୍ରାବଣ ମାସରେ ଏହି ପୀଠଗୁଡିକରେ ଭକ୍ତମାନଙ୍କ ଦ୍ୱାରା ରୁଦ୍ରାଭିଷେକ, ଜଳାଭିଷେକ ଆଦି କରାଯାଇଥାଏ। ଗୋଟିଏ ଦିନରେ ୪/୫ଟି ଜଳାଭିଷେକ କିମ୍ବା ରୁଦ୍ରାଭିଷେକ ଅନୁଷ୍ଠିତ ହେଲେ ରନ୍ଧାଘରର ଅସୁବିଧା ଯୋଗୁଁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

publive-image Justdial

ସେହିପରି କୌଣସି ପୀଠରେ  ରାତ୍ରିଯାପନ କି ଖାଇବା ପାଇଁ  କୌଣସି ପ୍ରକାର ସୁବିଧା ସୁଯୋଗ କରାଯାଇପାରି ନାହିଁ । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ତଥା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅମ୍ବାଭୋନା ସ୍ଥିତ କେଦାରନାଥ ପୀଠରେ ମନ୍ଦିର କମିଟି ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଉଥିବା ବେଳେ ଅନ୍ୟ ମନ୍ଦିରରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ସ୍ଥାନୀୟ ଗ୍ରାମ୍ୟ କମିଟି ଦ୍ୱାରା ଏହି ପୁରାତନ ଶୈବପୀଠ ଗୁଡ଼ିକର ରକ୍ଷଣାବେକ୍ଷଣ କିଛିମାତ୍ରାରେ ହେଉଥିବା ବେଳେ ପ୍ରଶାସନିକସ୍ତରରେ ହେଉ କିମ୍ବା ପ୍ରତ୍ନତତ୍ତ୍ବ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe