ସମ୍ବଲପୁରୀ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ

ସମ୍ବଲପୁରୀ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ

ସମ୍ବଲପୁର: ପ୍ରସିଦ୍ଧ ସମ୍ବଲପୁରୀ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାର ଆଉ ନାହାନ୍ତି। ଯକୃତଜନିତ ରୋଗରେ ଆକ୍ରାନ୍ତ ହୋଇ ୫୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଶନିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନେକ କାଳଜୟୀ ଗୀତ ଦେଇଥିବା ଶ୍ରୀରାମଙ୍କ ଆକସ୍ମିକ ବିୟୋଗରେ ସମଗ୍ର ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି।

ସମ୍ବଲପୁରୀ ଗୀତ, ସଂଗୀତ ଜରିଆରେ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରଚାର ଦିଗରେ ଶ୍ରୀରାମ ଲୁହାରଙ୍କ ଅବଦାନ ଅତୁଳନୀୟ। ଓଡ଼ିଆ ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ବି ସେ ତାଙ୍କର ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ନି‌ର୍ଦ୍ଦେଶନାରେ ସୋନୁ ନିଗମ, ସୁରେଶ ୱାଡେକରଙ୍କ ଭଳି ଦେଶର ଖ୍ୟାତନାମା କଣ୍ଠଶିଳ୍ପୀ ମଧ୍ୟ ଗୀତ ଗାଇଛନ୍ତି। ସ୍କୁଲ ଜୀବନରୁ ଗୀତ ଗାଇବା ଆରମ୍ଭ କରିଥିବା ଶ୍ରୀରାମ ପରବର୍ତ୍ତୀ ସମୟରେ ଇଜେଡ୍‌ସିସିର ସ୍ବୀକୃତିପ୍ରାପ୍ତ ନିଶାନ ବାଦକ ମାନ୍ୟତା ପାଇଥିଲେ। ଆକାଶବାଣୀରୁ କଣ୍ଠଶିଳ୍ପୀ ଏବଂ ସଂଗୀତ ସଂଯୋଜନା କ୍ଷେତ୍ରରେ ସ୍ବୀକୃତି ମିଳିଥିଲା। ତ‌େବେ, ସଂଗୀତ ଓ ନୃତ୍ୟ ନିର୍ଦ୍ଦେଶନା ତାଙ୍କୁ ସୁନାମ ଆଣିଦେଇଥିଲା। ‌

ତାଙ୍କ ନିର୍ଦ୍ଦେଶନାରେ ସର୍ବେଶ୍ବର ଭୋଇ, ପମି, ଶୈଳଭାମା, ଉମାକାନ୍ତ ବାରିକ, ରବିରତ୍ନ ବାଗ, ଶାନ୍ତନୁଙ୍କ ସମେତ ଅନେକ ଜଣାଶୁଣା କଣ୍ଠଶିଳ୍ପୀ ବହୁ ହିଟ୍‌ ଗୀତ ଗାଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ରତନ ପୂଜାରୀ, ନିର୍ମଳା ପଣ୍ଡା, ଶିବଶଙ୍କର ପ୍ରଧାନ, ନିର୍ମଳା ପଣ୍ଡା, ଯତୀନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହିତ ଅନେକ ଗୀତିକାରଙ୍କ ଗୀତ ‌ବି ଲୋକପ୍ରିୟତାର ଶିଖର ଛୁଇଁଛି।  ଭଜନଠାରୁ ଆରମ୍ଭକରି ଲୋକଗୀତ ପର୍ଯ୍ୟନ୍ତ ତାଙ୍କର ସବୁଥିରେ ତାଙ୍କ ବିଶେଷ ଦକ୍ଷତା ରହିଥିଲା। ‘ଫୋର୍‌ ପି’ ପ୍ରଡକ୍ସନରେ ତାଙ୍କ ଅନେକ କ୍ୟାସେଟ ବାହାରିଛି। ପିଲାଦିନରୁ ସେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟ ରଖି ସଂଗୀତ କ୍ଷେତ୍ରକୁ ବାଛିଥିଲେ। ସଂଗୀତ ନିର୍ଦ୍ଦେଶକ ଭାବେ ସେ ଇତିହାସ ସୃଷ୍ଟି କରିଯାଇଛନ୍ତି। ସମ୍ବଲପୁରୀ ସିନେମା ‘ଅଲାର୍‌’ରେ ସଂଗୀତ ନିର୍ଦ୍ଦେଶନା ଦେଇ ସୁନାମ ଅର୍ଜନ କରିଛନ୍ତି।

ଶ୍ରୀରାମ ତାଙ୍କ ପଛରେ ପତ୍ନୀ ପଦ୍ମାବତୀ, ଦୁଇ ପୁଅ ଦେବାଶିଷ ଓ ଅଂଶୁଙ୍କୁ ଛାଡ଼ି ଯାଇଛନ୍ତି। ଆଜି ତାଙ୍କ ମରଶରୀର ସମ୍ବଲପୁର କୁମ୍ଭାରପଡ଼ାସ୍ଥିତ ବାସଭବନରେ ପହଂଚିବା ପରେ ବହୁ କଳାକାର, ସଂଗୀତ ପ୍ରେମୀ ତାଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆସନ୍ତାକାଲି ସକାଳେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି।

ତାଙ୍କ ନିର୍ଦ୍ଦେଶିତ କେତେକ ଲୋକପ୍ରିୟ ଗୀତ

ଆଲୋ ରାଧିକା, ପାଟ ଓଢ଼ଣି, ଆମର୍‌ ପରାକେ ନାଇଁ  ଆଏବ ଘାଏ ବୁଲି, ପଖନ ଉପରେ ଝରନା ପାନି, ଏ କିଆ ଫୁଲ ଚୁମ୍‌କୁ ଚୁମା, ତୁମର ଲାଗର ଲେସର ବୁହେନମାନେ ସୁନ୍ଦରୀ ସୁନ୍ଦରୀଟା, ଫୁଲ ତ ଫୁଲରେ ମୋର ଗୁଲାପ ଫୁଲ,  ହଏଗୋ ଯଶୋଦା ରାନୀ, ଘଡ଼ିମାରି ଉଦେ ଦଶରା ଜହ୍ନ, ଏ କଲେଜବାଲି ଫୁଲ୍‌କି ଗାଲି,  ହାଏରେ ଦିଲ୍‌ ବେହେଲି ଗଲା ନ,  ହରେ କୃଷ୍ଣ ହରେ ରାମ, ହେ ମାଧବ ହରି, ଶିରାବନର ଝଁକେର ପାନି ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe