ଏମ୍ସ ଓପିଡିରେ ଲାଗିଲା କଟକଣା

Advertisment
ଏମ୍‌ସ ଅସ୍ଥିଶଲ୍ୟ ବିଭାଗର ସଫଳତା: ରାଜ୍ୟରେ ପ୍ରଥମ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବୁଧବାର ଠାରୁ ଏମ୍ସ ଓପିଡିରେ ରୋଗୀ ଦେଖାକୁ ନେଇ କଟକଣା ଜାରି କରାଯାଇଛି। ରୋଗୀ ସିଧାସଳଖ ଡାକ୍ତରଖାନା ଆସିବା ବଦଳରେ ଟେଲିମେଡିସିନ କିମ୍ବା ସ୍ବାସ୍ଥ୍ୟ ଆପ୍‌ର ସହାୟତା ନେବାକୁ ଏମ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରହିଆସିଥିବା ଟେଲିମେଡିସିନ ସେବା ନମ୍ବରଗୁଡ଼ିକ ଆଉ ଥରେ ଜାରି କରାଯାଇଛି।

ଏମ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭେଷଜ (ମେଡିସିନ), ଅସ୍ଥିଶଲ୍ୟ, ଚର୍ମ, ଶିଶୁ, ଶଲ୍ୟ ଚିକିତ୍ସା(ଜେନେରାଲ୍‌ ସର୍ଜରି), ଶ୍ବାସ(ପଲ୍‌ମୁନାରୀ ମେଡିସିନ୍‌), ଇଏନ୍‌ଟି, ଚକ୍ଷୁ, ଗ୍ୟାଷ୍ଟ୍ରୋ ଏଣ୍ଡୋକ୍ରିନୋଲୋଜି ଭଳି ବିଭାଗରେ ଦୈନିକ ରୋଗୀ ଦେଖିବା ସଂଖ୍ୟା ଏକ ଶହରେ ସୀମିତ ରଖାଯାଇଛି। ତେବେ ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, କାର୍ଡିଓଲୋଜି ଭଳି ବିଭାଗ ପୂର୍ବଭଳି କାର୍ଯ୍ୟ କରିବ। ଡେ-କେୟାର, ରେଡିଓଥେରାପି, ଡାଏଲିସିସ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି, ଜରୁରୀକାଳୀନ ଜୀବନ ବଞ୍ଚାଇବା, ଟେଲି ମେଡିସିନ୍, ‘ଏମ୍‌ସ ଭୁବନେଶ୍ୱର ଆପ୍, ଆଇପିଡି ସେବା, ଟିକାକରଣ ସେବା, ପ୍ରତିରୋପଣ ସେବା, ଫୁସ୍‌ଫୁସ (ଟିକାକରଣ ଆରଏମଆରସି), ଆନାସ୍ଥେସିଓଲୋଜି (ପିଏସି) ଏବଂ ପେନ୍ କ୍ଲିନିକ୍ ଇତ୍ୟାଦି ପୂର୍ବପରି ଜାରି ରହିବ। କୋଭିଡ୍‌ ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକ ଔଷଧ ସହିତ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇଁ ଏହାର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ।

ଏମ୍ସରେ ଗତ କିଛି ଦିନ ହେବ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ତେଣୁ ଡାକ୍ତରଖାନାକୁ ରୋଗୀମାନଙ୍କ ପାଇଁ ନିରାପଦ ତଥା ସୁସ୍ଥ ରଖିବା ପାଇଁ ଏପରି କିଛି ପଦକ୍ଷେପ ନିଆଯାଇଥିବା ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଏସ ଏନ ମହାନ୍ତି କହିଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡ୍‌ ମହାମାରୀର ପ୍ରୋଟୋକଲଗୁଡିକୁ ଅନୁସରଣ କରିବାକୁ, ଏମ୍ସ ଭୁବନେଶ୍ୱରର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀମାନେ ଡବଲ୍ ଡୋଜ ଟିକାକରଣ ପ୍ରମାଣପତ୍ର ବିଷୟରେ ପଚାରି ବୁଝିବେ। ଓପିଡିକୁ ଆସୁଥିବା ରୋଗୀଙ୍କ ସହିତ କେବଳ ଜଣେ ସହଯୋଗୀ ଡାକ୍ତରାଖାନା ପରିସରକୁ ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଜରୁରୀକାଳୀନ ପରିସ୍ଥିତିରେ ଦୁଇଜଣ ସହଯୋଗୀ ଆସିପାରିବେ। କୋଭିଡ୍‌ ଅସ୍ତ୍ରୋପଚାର କକ୍ଷ(ଓଟି) ସହିତ ପ୍ରସବ ଓଟି ଏବଂ ଅନ୍ୟାନ୍ୟ କୋଭିଡ୍‌ କ୍ଷେତ୍ରଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି। ସେହିଭଳି ଅଚାନକ୍‌ କୋଭିଡ୍‌ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ୁଥିବା ରୋଗୀଙ୍କ ପାଇଁ ସାରୀ (ଏସଏଆରଆଇ) ୱାର୍ଡ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ। କୋଭିଡ୍ ଯତ୍ନ ସମୟରେ ଏହା ଜରୁରୀକାଳୀନ ଗୁରୁତର ରୋଗୀଙ୍କୁ ବେଶ୍‌ ସହାୟକ ହେବ। ଭବିଷ୍ୟତରେ ଆବଶ୍ୟକତା ଉପରେ ନିର୍ଭର କରି ଧାର୍ଯ୍ୟ ସମୟର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe