ଅମର୍ଦାରୋଡ୍‌ ବିମାନ ଦୁର୍ଘଟଣା ସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମୃତି ଜଡ଼ିତ : ରାସଗୋବିନ୍ଦପୁରରେ ପ୍ରତିଷ୍ଠା ହେବ ଶାନ୍ତି ସଂଗ୍ରହାଳୟ

Advertisment
ଅମର୍ଦାରୋଡ୍‌ ବିମାନ ଦୁର୍ଘଟଣା ସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମୃତି ଜଡ଼ିତ : ରାସଗୋବିନ୍ଦପୁରରେ ପ୍ରତିଷ୍ଠା ହେବ ଶାନ୍ତି ସଂଗ୍ରହାଳୟ

ଭୁବନେଶ୍ୱର : ଓଡ଼ିଶାରେ ଦୁଇ ବିମାନ ପରସ୍ପରକୁ ଧକ୍କା ଦେବା ପରେ ଯେ ୧୪ ବାୟୁସେନାଙ୍କ ମୃତ୍ୟୁ ହୋଇଥିଲା, ଏହା ଖୁବ୍‌ କମ ଲୋକ ଜାଣିଥିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ୧୯୪୫ ଜୁଲାଇ ୨୬ ତାରିଖରେ ଘଟିଥିଲା ଏହି ଭୟାନକ ଦୁର୍ଘଟଣା। ମୟୂରଭଂଜର ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ (ଉଡ଼ାଜାହାଜ ପଡ଼ିଆ ରନ୍‌େଓ୍ଵ)ରେ ଘଟିଥିବା ଏହି ଦୁର୍ଘଟଣା ‘ଅମର୍ଦାରୋଡ୍‌ ବିମାନ ଦୁର୍ଘଟଣା’ ନାମରେ ଇତିହାସ ପୃଷ୍ଠାରେ ଏବେ ବି ଲିପିବଦ୍ଧ। ତେଣୁ ଏହାର ଐତିହାସିକ ଗୁରୁତ୍ୱ ଦୃଷ୍ଟିରୁ ଏଠାରେ ଏକ ‘ଶାନ୍ତି ସଂଗ୍ରହାଳୟ’ ସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଗବେଷକ ତଥା ଐତିହାସିକ(ଯୁଦ୍ଧ) ଅନିଲ୍‌ ଧୀର୍‌ କହିଛନ୍ତି ଯେ, ଅମର୍ଦା ରୋଡ୍‌ ବିମାନ ପଡ଼ିଆରେ ଥିବା ଏୟାର ଫାଇଟିଂ ଟ୍ରେନିଂ ୟୁନିଟ୍‌ର ୬ଟି ବିମାନ ମଧ୍ୟରୁ ଦୁଇ ବ୍ରିଟିସ୍‌ ରୟାଲ୍‌ ଏୟାରଫୋର୍ସ ବି-୨୪ ଲିବରେଟର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୬ଜଣ ବ୍ରିଟିସ୍‌, ଆମେରିକାରୁ ୩ଜଣ, କାନାଡ଼ା, ଡଚ୍‌, ନିଉଜିଲାଣ୍ଡ୍‌ ଓ ଭାରତରୁ ଜଣେ ଲେଖାଏଁ ବାୟୁ ସେନା ମୃତ୍ୟୁବରଣ କରିଥିଲେ। ବିମାନଘାଟି ନିକଟରେ ଥିବା ଗାନ୍ଧୀ ଗୁରୁକୁଳ ମଧ୍ୟରେ ଗାନ୍ଧିବାଦୀ ଆଦିତ୍ୟ ପଟ୍ଟନାୟକ ଜାଗା ଦେବା ପାଇଁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ଧୀର୍‌ ମଧ୍ୟ ଏ ବାବଦରେ ବ୍ରିଟିସ୍‌, ଅଷ୍ଟ୍ରେଲିଆ, ଡଚ୍‌ ଓ ଆମେରିକା ସହ ଯୋଗାଯୋଗ କରିଛନ୍ତି। ସମ୍ପୃକ୍ତ ଦେଶମାନଙ୍କରୁ ଏନେଇ ସନ୍ତୋଷଜନକ ଉତ୍ତର ମିଳିଛି।

ବିଶ୍ୱଜିତ ମହାନ୍ତିଙ୍କ ସୂଚନା ମୁତାବକ, ୯୦୦ ଏକର ଜାଗାରେ ୩କୋଟି ବ୍ୟୟରେ ୧୯୪୦ ମସିହାରେ ଏହି ବିମାନଘାଟି ହୋଇଥିଲା। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଧୀରେଧୀରେ ଏହା ଅସ୍ତିତ୍ୱ ହରାଇଥିଲା। ସଂପ୍ରତି ଏଠାରେ ୧୧ହଜାର ଫୁଟର କଙ୍କ୍ରିଟ୍‌ ରନ୍‌େଓ୍ଵ ଥିଲେ ହେଁ ଏଠାରେ ଥିବା ବିମାନଶାଳା, କାର୍ଯ୍ୟାଳୟ ବିଲ୍‌ଡିଂ, ଯାନ୍ତ୍ରିକ ଘର, ବାରାକ୍‌ ଆଦି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ତେଣୁ ବିମାନ ଦୁର୍ଘଟଣାସ୍ଥଳରେ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା ପାଇଁ ଶ୍ରୀ ଧୀର୍‌ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe