କଟକ: ଦିଲ୍ଲୀର ଏକ ଘରୋଇ ବ୍ୟାଙ୍କରେ ରହିଛି ବିଜେଡିର ୮୨୬ କୋଟି ଟଙ୍କା। କିନ୍ତୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ବଦଳରେ ଅନ୍ୟ ୩ ଜଣ ସେହି ଆକାଉଣ୍ଟର ପରିଚାଳନା ପାଇଁ ଅଧିକୃତ। ଏଭଳି ନି‌ଷ୍ପତ୍ତି କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନିଆଯାଇଛି? ଦଳର ବରିଷ୍ଠ ନେତାମାନଙ୍କ ସହମତିରେ ଏଭଳି ନିଷ୍ପତ୍ତି ନିଆଯାଇଛି କି? ସଂତୃପ୍ତ ମିଶ୍ର ସେହି ୩ ଜଣଙ୍କ ଭିତରେ ନାହାନ୍ତି ତ? ଓଡ଼ିଶାର କୌଣସି ବ୍ୟାଙ୍କରେ କାହିଁକି ଏ ଟଙ୍କା ରଖାଗଲା ନାହିଁ? ଆଜି ଏଭଳି କିଛି ପ୍ରଶ୍ନ ଉଠାଇ ବିଜେଡି ଗୁମର ଖୋଲିଛନ୍ତି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ। 

Advertisment

ଦେବାଶିଷଙ୍କ ଚିଟ୍‌ଫଣ୍ଡ ସଂପୃକ୍ତି, ପିଲାସ୍କି ସଂପର୍କର ଚିଠା ଖୋଲିବି

ନବୀନଙ୍କ ସୁରକ୍ଷାରେ ପ୍ରଭାତ ତିଷ୍ଠି ଆସିଛନ୍ତି: ଦେବାଶିଷ

ଶ୍ରୀ ବିଶ୍ବାଳ କହିଛନ୍ତି ଯେ ଦଳର ୪ ହଜାର କୋଟି ଟଙ୍କା ହଡ଼ପ ହୋଇଯାଇଥିବାର ରିପୋର୍ଟ ଆସୁଛି। ଏବେ ଏ ଟଙ୍କା ବି ହଡ଼ପ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ଦଳ ପାଇଁ ପାଣ୍ଠି ସଂଗ୍ରହରେ ତାଙ୍କର ବି ଭୂମିକା ରହିଥିଲା। ଦଳର ଅନେକ ନେତା ଓ କର୍ମୀଙ୍କର ଅବଦାନ ରହିଛି। ତେଣୁ ଏ ସଂପର୍କିତ ସତ ସାମନାକୁ ଆସିବା ଆବଶ୍ୟକ। ତାଙ୍କୁ ବହିଷ୍କାର ସଂପର୍କରେ ସେ ଆସନ୍ତାକାଲି ମତ ରଖିବେ ବୋଲି ପ୍ରଭାତ କହିଛନ୍ତି। ସଂତୃପ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପରେ ପ୍ରଭାତ ନବୀନ ନିବାସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦଳ ପ୍ରତି ଅବଦାନ ଥିବା ‌ଲୋକଙ୍କୁ ପ୍ରାର୍ଥୀ କରିଥିଲେ ଉଚିତ ହୋଇଥାନ୍ତା ବୋଲି ମତ ଦେଇଥିଲେ। ପ୍ରଭାତଙ୍କ ଏଭଳି ମତ ଉପରେ ପ୍ରତିକ୍ରିୟା ରଖି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ପ୍ରଭାତ କିଏ ବୋଲି ପ୍ରଶ୍ନ କରିଛନ୍ତି। ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବାକୁ ତାଙ୍କୁ କିଏ ଅଧିକାର ଦେଲା ବୋଲି ଦେବାଶିଷ କହିଛନ୍ତି।

GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ

 ସେ ଆହୁରି କହିଛନ୍ତି ଯେ ପ୍ରଭାତଙ୍କର ଏବେ ଦୁଇଟି ପରିଚୟ। ଗୋଟିଏ ହେଉଛି ସେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଏବଂ ନାଲିରଙ୍ଗର ପୋଷାକ ପିନ୍ଧି ନାଲିଆ ବାବା। ନବୀନ ପଟ୍ଟନାୟକଙ୍କ ଯୋଗୁଁ ସେ ତିଷ୍ଠି ରହିଛନ୍ତି। ଗୋଟିଏ ସମୟରେ ସେ ଢେଲା ଫିଙ୍ଗି ନବୀନଙ୍କ କାର୍ କାଚ ଭାଙ୍ଗିଥିଲେ। କିନ୍ତୁ ନବୀନଙ୍କ ସୁରକ୍ଷାରେ ରହି ସେ ଆଜି ଯାହା ବି କିଛି ହୋଇପାରିଛନ୍ତି। ଦେବାଶିଷଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇ ପ୍ରଭାତ କହିଛନ୍ତି ଯେ ଦେବାଶିଷ ବାବୁ କ’ଣ କେତେବେଳେ କୁହନ୍ତି, ତାହା ସେ ନିଜେ ଜାଣି ପାରନ୍ତି ନାହିଁ। ଚିଟ୍‌ଫଣ୍ଡ ଦୁର୍ନୀତିରେ କିଏ ସଂପୃକ୍ତ ତାହା ସମସ୍ତେ ଜାଣନ୍ତି। ପିଲାସ୍କି ସ୍ବାଇଁଙ୍କ ସହିତ ଦେବାଶିଷଙ୍କ ସଂପର୍କ, ସେ ଚଢୁଥିବା କାର୍‌ ଏବଂ ତା’ ପଛରେ ଥିବା ଚିଟ୍‌ଫଣ୍ଡ ଦୁର୍ନୀତିର ସବୁ ଚିଠା ଖୋଲିବେ। ଯେଉଁ ଦୁଇ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ପାଇଁ ସେ ନାଲିରଙ୍ଗର ପୋଷାକ ପିନ୍ଧୁଛନ୍ତି, ସେମାନଙ୍କ ତଥ୍ୟ ସେ ଜନସାଧାରଣଙ୍କ ପାଖରେ ରଖିବେ। ତାଙ୍କୁ ଫସାଇଥିବା ବ୍ୟକ୍ତିବିଶେଷଙ୍କ ମୁଖା ଖୋଲିବେ। ଦୁର୍ନୀତିମୁକ୍ତ ସ୍ବାଭିମାନର ଲଢ଼େଇ ସେ ଲଢୁଛନ୍ତି ଏବଂ ତାଙ୍କର ଏହି ଲଢ଼େଇ ଜାରି ରହିବ ବୋଲି ପ୍ରଭାତ କହିଛନ୍ତି।