ପର୍ଯ୍ୟଟନର ବିକାଶ ପାଇଁ ମଞ୍ଜୁର ଅର୍ଥ ଖର୍ଚ୍ଚ ହେଉନି, ବିଧାନସଭାରେ କ୍ଷୋଭ ପ୍ରକାଶ କଲେ ବିଧାୟକ

ନୂଆ ପର୍ଯ୍ୟଟନ ନୀତି ପାଇଁ ବିଚାରବିମର୍ଶ ଚାଲିଛି: ମନ୍ତ୍ରୀ

ପର୍ଯ୍ୟଟନର ବିକାଶ ପାଇଁ ମଞ୍ଜୁର ଅର୍ଥ ଖର୍ଚ୍ଚ ହେଉନି, ବିଧାନସଭାରେ କ୍ଷୋଭ ପ୍ରକାଶ କଲେ ବିଧାୟକ

ଭୁବନେଶ୍ବର : ୨୦୧୭ ମସିହାରେ ନୂଆପଡ଼ା ଜିଲ୍ଲାର ପାତାଳଗଙ୍ଗାର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସେହି ଟଙ୍କା ଏ ଯାଏ ହୋଇପାରିଲା ନାହିଁ। କେବେ ସୁଦ୍ଧା ଏହା ଖର୍ଚ୍ଚ ହେବ?

୨୦୧୭-୧୮ ଓ ୨୦୧୮-୧୯‌ରେ ଖୋର୍ଦ୍ଧା ଜିଲ୍ଲାରେ ପର୍ଯଟନ ବିଭାଗ ପକ୍ଷରୁ ଯେଉଁ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିଲା, ତାହା ଖର୍ଚ୍ଚ ହୋଇନାହିଁ କାହିଁକି? ବରୁଣେଇର ବିକାଶ ପାଇଁ ଯେତିକି ଟଙ୍କା ମଞ୍ଜୁର ହୋଇଥିଲା, ତିନି ବର୍ଷ ଭିତରେ ତାହା ପ୍ରତ୍ୟାହାର କରିନିଆଯାଇଛି। ଏହା ସତ୍ୟ କି?

କୋରାପୁଟ ଜିଲ୍ଲାରେ ଦେଓମାଳି ସବୁଠାରୁ ଆକର୍ଷଣୀୟ ସ୍ଥାନ। କିନ୍ତୁ ସେଠାରେ ପର୍ଯ୍ୟଟକଙ୍କ ପାଇଁ କିଛି ସୁବିଧା ନାହିଁ। ସେଠାରେ ତାରକା ହୋଟେଲ୍‌ର ଆବଶ୍ୟକତା ଅଛି। ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି?

ବଲାଙ୍ଗୀର ଜିଲ୍ଲାର ଭୀମପାହାଡ଼ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ୬ ବର୍ଷ ତଳେ ପର୍ଯ୍ୟଟନ ବିଭାଗ ଆର୍କିଟେକ୍ଟ ନିଯୁକ୍ତି ଦେଇ ଏହାର ବିକାଶ ପାଇଁ ୭ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଥିଲା। ସେହି ଯୋଜନା ଗଲା କୁଆଡ଼େ? ଏପରିକି ସେଠାରେ ନବନିର୍ମିତ ଡାକବଙ୍ଗଳା କାହିଁକି ପରିତ୍ୟକ୍ତ ହୋଇପଡ଼ିଛି?

ଆଜି ବିଧାନସଭାର ପ୍ରଶ୍ନକାଳରେ ପର୍ଯ୍ୟଟନ ବିଭାଗର ଏକ ପ୍ରଶ୍ନର ଆଲୋଚନା ବେଳେ ଏମିତି ପ୍ରଶ୍ନ ଗଦା‌ କରିଦେଇଥିଲେ ବିଧାୟକମାନେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ। ମନ୍ତ୍ରୀ ନିକଟରେ ଦାୟିତ୍ବ ନେଇଥିବାରୁ ନିର୍ଦ୍ଦଷ୍ଟ ଭାବେ ଉତ୍ତର ଦେଇପାରି ନ ଥିଲେ। ତେବେ ବିଧାୟକମାନଙ୍କୁ ଆଶ୍ବାସନା ଦେଇଥିଲେ ଯେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରି ନିଶ୍ଚିତ ପଦକ୍ଷେପ ନେବେ।

ବିଧାୟକ ଧ୍ରୁବ ସାହୁଙ୍କ ପର୍ଯ୍ୟଟନ ନୀତି ସଂକ୍ରାନ୍ତୀୟ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଲାଗି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ନୀତି ରହିଛି ଏବଂ ଏହା ୨୦୧୬ ମସିହା ପର୍ଯ୍ୟଟନ ନୀତି ଅନୁସାରେ ଏଯାବତ୍‌ ପ୍ରଚଳିତ ହେଉଅଛି। ପରିବର୍ତ୍ତିତ ସମୟର ଆବଶ୍ୟକତା ଦେଖି ସରକାର ନୂଆ ନୀତି ପ୍ରଣୟନ କରିବାକୁ ବିଚାର କରୁଛନ୍ତି। ଏ ଦିଗରେ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଜାରି ରହିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ, ସୁବାସ ପାଣିଗ୍ରାହୀ, ମଉଷଧୀ ବାଗ, ଭାସ୍କର ମଢ଼େଇ, ସୁକାନ୍ତ ନାଏକ ଓ ଭୂପିନ୍ଦର ସିଂହ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରି ନିଜ ନିଜ ଅଞ୍ଚଳର ପର୍ଯ୍ୟଟନସ୍ଥଳୀ ବିକାଶ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe