ପଛୁଆବର୍ଗ ସର୍ଭେ ପ୍ରତି ଲୋକଙ୍କ ବିଶ୍ବାସ ନଥିବାରୁ ସାମିଲ୍ ହେଉନାହାନ୍ତି: ବିଜେପି

ପଛୁଆବର୍ଗ ସର୍ଭେ ପ୍ରତି ଲୋକଙ୍କ ବିଶ୍ବାସ ନଥିବାରୁ ସାମିଲ୍ ହେଉନାହାନ୍ତି: ବିଜେପି

ଭୁବନେଶ୍ବର : ୧୯୩୧ ମସିହାର ଜନଗଣନା ଆଧାରରେ ୫୪% ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶ‌ର ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ମିଳୁଥିବାବେଳେ କେବଳ ଓଡ଼ିଶାରେ ଏହା କାର୍ଯ୍ୟକାରୀ କରାଯାଉନି। ଏହା ଦୁର୍ଭାଗ୍ୟଜନକ। ସର୍ଭେ ବାହାନାରେ ରାଜ୍ୟ ସରକାର କେବଳ ପ୍ରଚାର କରୁଛନ୍ତି। ସଂରକ୍ଷଣ ମିଳୁନଥିବାରୁ ଜନସାଧାରଣଙ୍କର ଏଥିପ୍ରତି କୌଣସି ଆଗ୍ରହ ନାହିଁ। ତେଣୁ ସର୍ଭେରେ ଅଧିକାଂଶ ଲୋକ ସାମିଲ୍ ହେଉନାହାନ୍ତି ବୋଲି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି।

ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ରାଜ୍ୟରେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଏବେ ବି କେଉଁ କେଉଁ ଜାତିବର୍ଗର ସର୍ଭେ ହେବ ତାହା ଚୂଡ଼ାନ୍ତ ନୁହେଁ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାତି କୋଡ୍ ନମ୍ବର ତାଲିକାରେ ୨୧୦ଜାତିବର୍ଗ ନାମ ଉଲ୍ଲେଖ ଅଛି। ନୂତନ ଭାବେ ଅଧ୍ୟାଦେଶ ବଳରେ ଯୋଡ଼ାଯାଇଥିବା ଜାତିବର୍ଗ ତାଲିକା ଗଲା କୁଆଡ଼େ? କେନ୍ଦ୍ର ଓବିସି ତାଲିକାରେ ଥିବା ଜାତିଗୁଡ଼ିକ କ’ଣ ଏଥିରୁ ବଞ୍ଚିତ କି? ଆଜି କେତେକ ଗଣମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଆପାତତଃ ସଂଖ୍ୟା ପ୍ରକାଶ ପାଇଛି ଏବଂ ଏହି ସଂଖ୍ୟା ବାସ୍ତବତାଠାରୁ ବହୁତ କମ୍।

ସେ କହିଛନ୍ତି ଯେ, ଆରମ୍ଭରୁ ବିଜେପି ଏହି ସର୍ଭେର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଶଙ୍କା ପ୍ରକଟ କରିଆସିଛି । ସତରେ ଯଦି ମୁଖ୍ୟମନ୍ତ୍ରୀ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବାକୁ ଚାହୁଁଛନ୍ତି ତେବେ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ପଛୁଆବର୍ଗ ତାଲିକା ଏବଂ ଅନ୍ୟ ରାଜ୍ୟଗୁଡ଼ିକର ଯେଉଁ ମାପଦଣ୍ଡ ଅନୁଯାୟୀ ସଂରକ୍ଷଣ ଯୋଗାଇ ଦିଆଯାଉଛି ସେହି ଆଧାରରେ ସଂରକ୍ଷଣ ଯୋଗାଇ ଦେଇପାରନ୍ତେ। କିନ୍ତୁ ସେପରି ନକରି ମୁଷ୍ଟିମେୟ ପଛୁଆବର୍ଗ ବିରୋଧୀ ଷଡ଼ଯନ୍ତ୍ରକାରୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସଂଖ୍ୟାଗରିଷ୍ଠ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି।

ସେହିପରି ଚଳିତବର୍ଷ ନାମଲେଖା ସମୟ ଅବଧି ଶେଷ ହେବା ପୂର୍ବରୁ ରାଜ୍ୟ ସରକାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ୨୭%ସଂରକ୍ଷଣ ଘୋଷଣା କରିବାକୁ ମୁଖପାତ୍ର ଅନିଲ ବିଶ୍ୱାଳ ଦାବି କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ଓ କୃଷକମୋର୍ଚ୍ଚା ଉପସଭାପତି ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe