ସ୍ବାଭିମାନ ଅଞ୍ଚଳରେ ବିଗୁଡ଼ୁଛି ସନ୍ତୁଳନ: ପୋଡ଼ୁଚାଷ ପାଇଁ ଜଙ୍ଗଲ ପଦା

Advertisment

ନକ୍ସଲ ଭୟରେ ବନ ବିଭାଗ ଚୁପ୍‌

ନକ୍ସଲ ଭୟରେ ବନ ବିଭାଗ ଚୁପ୍‌

ସ୍ବାଭିମାନ ଅଞ୍ଚଳରେ ବିଗୁଡ଼ୁଛି ସନ୍ତୁଳନ: ପୋଡ଼ୁଚାଷ ପାଇଁ ଜଙ୍ଗଲ ପଦା

ମାଲକାନଗିରି: ପୋଡ଼ୁଚାଷ ପାଇଁ ଚିତ୍ର‌କୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ପଦା ହେବାରେ ଲାଗିଛି ଜଙ୍ଗଲ। ହେକ୍ଟର ହେକ୍ଟର ସଂରକ୍ଷିତ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛକୁ ସ୍ଥାନୀୟ ଲୋକ ଚାଷ ଆଳରେ କାଟିବାରେ ଲାଗିଛନ୍ତି। ନକ୍ସଲ ଭୟରେ ଏହି ଅଞ୍ଚଳକୁ ବନ ବିଭାଗ କର୍ତ୍ତୃପକ୍ଷ ଯାଉନଥିବାରୁ ପ୍ରତିଦିନ ବଳି ପଡ଼ୁଛି ଶହ ଶହ ଗଛ।
ଚିତ୍ରକୋଣ୍ଡା ବନାଞ୍ଚଳରେ ୨୨୬୮.୨୫୧ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି। ସେହିପରି ୧୫,୪୯୫.୯୪୫ ହେକ୍ଟର ପ୍ରସ୍ତାବିତ ଜଙ୍ଗଲ, ୩୦୭୪.୮୮୯ ହେକ୍ଟର ଚିହ୍ନଟ ଏବଂ ୭୬୪୧୬.୮୮୫ ହେକ୍ଟର ଚିହ୍ନଟ ହୋଇନଥିବା ଜଙ୍ଗଲ ରହିଛି। କୁରମାନୁର ପଞ୍ଚାୟତର ନାନ୍ଦୁପୁର ଓ ଗରାଲୁର ଗ୍ରାମ୍ୟ ଜଙ୍ଗଲ ଭେଜେଙ୍ଗଵାଡା ୟୁଆରଏଲ୍‌ (ଚିହ୍ନଟ ହୋଇନଥିବା ଜଙ୍ଗଲ) ଅଧୀନରେ ରହିଛି। ଭେଜେଙ୍ଗଵାଡା ୟୁଆରଏଲ୍‌ରେ ପ୍ରାୟ ୩୯୦୯୦ ହେକ୍ଟର ଜଙ୍ଗଲ ଜମି ରହିଛି। ଯାହାକୁ ଲୋକେ ବେଧଡ଼କ କାଟି ସେଠାରେ ଚାଷ କରୁଛନ୍ତି। କାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକ୍ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଏହି ଜଙ୍ଗଲକୁ ପଦା କରି ଅଞ୍ଚଳବାସୀ ଧାନ, ମାଣ୍ଡିଆ, ସୁଆଁ ଚାଷ କରୁଛନ୍ତି। ବହୁ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ମଧ୍ୟ ହୋଇଛି। ଏଭଳି ଗଛ କଟା ଜାରି ରହିଲେ ଆସନ୍ତା କିଛି ବର୍ଷ ମଧ୍ୟରେ ସ୍ବାଭିମାନ ଅଞ୍ଚଳ ମରୁଭୂମିରେ ପରିଣତ ହେବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ବହୁ ସ୍ଥାନରେ ଲୋକେ ଜଙ୍ଗଲକୁ ନିଜ ଅକ୍ତିଆରରେ ରଖି ଜଙ୍ଗଲ ଜମି ପଟ୍ଟା ହାତେଇଛନ୍ତି।

ଅଗଷ୍ଟ ୯ରୁ ଜଙ୍ଗଲ ଜମି ଅଧିକାର ସପ୍ତାହ ଆରମ୍ଭ ହୋଇଥିବାରୁ ପୁଣି ଜଙ୍ଗଲ ପଦା କରି ସରକାରଙ୍କଠାରୁ ପଟ୍ଟା ହାତେଇ ପୋଡ଼ୁ ଚାଷ କରିବା ଲାଗି ଯୋଜନା କରୁଛନ୍ତି। ଯାହାର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ପଡ଼ୁଛି। ଦିନକୁ ଦିନ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଥିଲେ ମଧ୍ୟ ସ୍ଥାନୀୟ ଲୋକ ଏ ସଂପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। ଚିତ୍ରକୋଣ୍ଡା ବନାଞ୍ଚଳର କୁରମାନୁର ପଞ୍ଚାୟତର ନାନ୍ଦୁପୁର ଏବଂ ଗୁରାଲୁର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ବ୍ୟାପକ ଗଛ କଟା ଚାଲିଛି। ପୋଡ଼ୁ ଚାଷ ପାଇଁ ବଳି ପଡ଼ୁଥିବା ଶତାଧିକ ଗଛ ବହୁ ପୁରୁଣା ହୋଇଥିବା ‌ବେଳେ କିଛି ସମୟ ମଧ୍ୟରେ ଏହାକୁ କାଟି ପଦା କରି ଦେଉଛନ୍ତି ଲୋକେ। ବନ ବିଭାଗ ଲୋକଙ୍କୁ ସଚେତନ କରାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ବଳରାମ ନାୟକ। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସେଠାକୁ ବାରମ୍ବାର ଯିବାକୁ ଉଚିତ ମଣୁନାହାନ୍ତି ବନ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe