ଗାଁ ଛାଡ଼ିଲେ ପରାଜିତ ସରପଞ୍ଚ ପ୍ରାର୍ଥିନୀଙ୍କ ବାସନ୍ଦ ପରିବାର

Advertisment
ଗାଁ ଛାଡ଼ିଲେ ପରାଜିତ ସରପଞ୍ଚ ପ୍ରାର୍ଥିନୀଙ୍କ ବାସନ୍ଦ ପରିବାର

ଦିଗପହଣ୍ଡି : ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦରେ ଲଢ଼ିବା ସହ ଅନ୍ୟ ଜାତିର ପୁଅକୁ ବାହା ହେବାରୁ ଗାଁରୁ ମହିଳା ପ୍ରାର୍ଥିନୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଗଲା। ହେଲେ ଦୁଃଖର କଥା ହେଲା, ‌ପୁଲିସ ବିଭାଗ ଓ ପ୍ରଶାସନ ନ୍ୟାୟ ଦେଇପାରିଲାନି। ପଦାଧିକାରୀମାନଙ୍କ ଉପସ୍ଥିତିରେ ବି ସମାଧାନର ବାଟ ନ ବାହାରିବାରୁ ବାସନ୍ଦ ପରିବାରକୁ ଶେଷରେ ଗାଁ ଛାଡ଼ି ଯିବାକୁ ପଡ଼ିଲା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଓ ସାନଖେମୁଣ୍ଡି ବ୍ଲକ୍ ମୌଳାଭଞ୍ଜା ଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, କାଳୁଚରଣ ବେହେରା ଓ ପତ୍ନୀ ପୁଷ୍ପଲତା ବେହେରା ଏବଂ ବିଏସ୍‌ସି ନର୍ସିଂ ପଢ଼ୁ୍ଆ ଝିଅ ରୋଜାଲିନ୍ ମୌଳାଭଞ୍ଜା ଗ୍ରାମରେ ରହୁଥିଲେ। ସଦ୍ୟସମାପ୍ତ ପଞ୍ଚାୟତ ନିର୍ବାଚନରେ କାଳୁଙ୍କ ଝିଅ ରୋଜାଲିନ୍ ସରପଞ୍ଚ ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢ଼ି ହାରିଯାଇଥିଲେ। ଫଳରେ ରାଜନୈତିକ ଆକ୍ରୋଶ ରଖି କାଳୁଙ୍କ ପରିବାରକୁ ଗତମାସ ୨୫ ତାରିଖରେ ଗ୍ରାମରୁ ବାସନ୍ଦ କରାଯାଇଥିଲା। ସ୍ଥିତି ଏମିତି ହୋଇଥିଲା, ଏପରିକି ନିଜ ଭାଇଙ୍କ ଭୋଜିରେ ବସି ଖାଉଥିବା ସମୟରେ କାଳୁ ଓ ତାଙ୍କର ପରିବାରଲୋକଙ୍କୁ ସେଠାରୁ ଜୋର୍ ଜବରଦସ୍ତି ଉଠାଇ ଅଣାଯାଇଥିଲା। ଗାଁରେ କାହା ସହ ମଧ୍ୟ କଥାବାର୍ତ୍ତା କରିପାରିବନି ବୋଲି ତାଗିଦ୍ କରାଯାଇଥିଲା।
ଫଳରେ କାଳୁଙ୍କ ପରିବାରବର୍ଗ ନ୍ୟାୟ ପାଇଁ ଗତ ଶୁକ୍ରବାର ଦିନ ବ୍ରହ୍ମପୁର ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଥି‌ଲେ। ଯୁଦ୍ଧକାଳୀନ ଭିତ୍ତିରେ ଏହି ବିବାଦର ସମାଧାନ କରିବାକୁ ପୁଲିସ ଅଧିକାରୀ ଓ ପ୍ରାଶାନସିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାମାଜିକ ବାସନ୍ଦ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି କହିଥିଲେ।

publive-image

ଏହିକ୍ରମରେ ଗତକାଲି ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଦିଗପହଣ୍ଡି ଥାନାଧିକାରୀ ଦିପ୍ତୀରଞ୍ଜନ ବେହେରା ଓ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଉଭୟ ପକ୍ଷକୁ ଡାକି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଳସମାଜର ସଭାପତିଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ହେଲେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ହେଁ, କୌଣସି ନିର୍ଯାସ ବାହାରି ନଥିଲା। ରୋଜାଲିନ୍ ଅନ୍ୟ ଜାତିରେ ବିବାହ କରିଥିବାରୁ ତାହା କୁଳ ସମାଜ ଉପରେ ପ୍ରଭାବ ପକାଉଥିବା କହିଥିଲେ। ଫଳରେ କାଳୁଙ୍କ ପରିବାର ଗ୍ରାମ ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ନ୍ୟାୟ ପାଇଁ ପୁଣି ବ୍ରହ୍ମପୁର ଏସ୍‌.ପି.ଙ୍କ ଦ୍ବାରସ୍ଥ ହେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe