ଶୁଖିଲା ପଡ଼ିଛି ସୋନ ଓ କାଳ ନଦୀଶଯ୍ୟା: ଦାୟରେ ଚାଷୀଙ୍କ ଜୀବନଜୀବିକା

Advertisment
ଶୁଖିଲା ପଡ଼ିଛି ସୋନ ଓ କାଳ ନଦୀଶଯ୍ୟା: ଦାୟରେ ଚାଷୀଙ୍କ ଜୀବନଜୀବିକା

କପ୍ତିପଦା: ସୋନ ଓ କାଳ ନଦୀରେ ଦୁଇଟି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଯାହାଦ୍ବାରା ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଅଧୀନ ଏକାଧିକ ବ୍ଲକ୍‌ର ହଜାର ହଜାର ଚାଷୀ ଉପକୃତ ହୁଅନ୍ତି। ହେଲେ ଏହି ଦୁଇନଦୀ ଏବେ ସତ୍ତା ହରାଇବାକୁ ବସିଲେଣି। କିଛି ଗଣ୍ଡକୁ ଛାଡ଼ିଦେଲେ ପୂରା ନଦୀ ଶୁଖିଯାଉଛି। ଫଳରେ ଉଭୟ ଚାଷୀ ଓ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ କଳମଗଢ଼ିଆ ପଞ୍ଚାୟତ ବାରଖୁଣ୍ଟିଆ ନିକଟରୁ ବାହାରିଥିବା ସୋନନଦୀର ଶଯ୍ୟା ପ୍ରାୟ ୪୫ କିଲୋମିଟର ପରିବ୍ୟାପ୍ତ। ଏହି ନଦୀ କପ୍ତିପଦା ବ୍ଲକ୍‌ ଦେଇ ବାଲେଶ୍ବର ଜିଲ୍ଲାରେ ପ୍ରବେଶ କରିଛି ଏବଂ ବୁଢ଼ାବଳଙ୍ଗ ନଦୀରେ ମିଶିଛି। ସୋନ ନଦୀ ଉପରେ ଶାଳଚୁଆ ପଞ୍ଚାୟତ ପାଖରେ ନିର୍ମିତ ହୋଇଛି ସୋନ ବନ୍ଧ।

ଏହି ବନ୍ଧରୁ କେନାଲ୍‌ ଦ୍ବାରା କପ୍ତିପଦା ଓ ଉଦଳା ଏବଂ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର ରାଜବରହମପୁର ପର୍ଯ୍ୟନ୍ତ ୯,୮୨୫ ହେକ୍ଟର ଚାଷଜମିକୁ ଜଳସେଚନ ହୋଇଥାଏ। ସୋନ ବନ୍ଧର ଜଳଧାରଣ କ୍ଷମତା ୮୫ ମିଟର ଥିବାବେଳେ ଏବେ ଏଠାରେ ୭୯.୯୯ ମିଟର ଜଳ ଗଚ୍ଛିତ ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ସମୀବୃକ୍ଷ ପାହାଡ଼ ପାଖରୁ ବାହାରିଥିବା କାଳ ନଦୀ ଉପରେ ନିର୍ମାଣ ହୋଇଛି କାଳ ବନ୍ଧ। ଏହି ବନ୍ଧଦ୍ବାରା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଅଧୀନ ୧,୩୬୪ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ସହକାରୀ ନିର୍ବାହୀଯନ୍ତ୍ରୀ ଗଜେନ୍ଦ୍ର ନାଏକ କହିଛନ୍ତି। ବନ୍ଧର ଜଳଧାରଣ କ୍ଷମତା ୭୭.୭ ମିଟର ଥିବାବେଳେ ଏବେ ଏଠାରେ ୭୫.୬୮ ମିଟର ଜଳ ମହଜୁଦ ରହିଛି।

ତେବେ ସୋନ ଓ କାଳ ଭଳି ଜଳଭଣ୍ଡାରକୁ ପାଣି ଯୋଗାଉଥିବା ସୋନ ଓ କାଳ ନଦୀ ମରିବାକୁ ବସିଛନ୍ତି। ଜଳବାୟୁ ପରିବର୍ତ୍ତନ, ଚୋରା ବାଲି ଚାଲାଣ, ନଦୀଶଯ୍ୟା ପୋତି ବେଆଇନ ଜବରଦଖଲ ଆଦି କାରଣରୁ ଉଭୟ ନଦୀର ଜଳଧାରଣ କ୍ଷମତା କମୁଛି। ‌ସେହିପରି ଗତ କିଛିବର୍ଷ ହେଲା ଉପରମୁଣ୍ଡରେ କମ୍‌ ବର୍ଷା ମଧ୍ୟ ଜଳଧାରଣ କ୍ଷମତା କମିବାର ଅନ୍ୟତମ କାରଣ। କେବଳ ବର୍ଷାଦିନେ ନଦୀରେ ପାଣି ଦେଖିବାକୁ ମିଳୁଥିବା ବେଳେ; ଖରାଦିନ ବାଦ୍‌, ଶୀତଋତୁରେ ମଧ୍ୟ ନଦୀ ଶୁଖିଯାଉଛି। ଯାହାଫଳରେ ଚାଷ ପ୍ରଭାବିତ ହେଉଛି ଏବଂ ଚାଷୀଙ୍କ ଜୀବିକା ଦାୟରେ ପଡ଼ିଛି। ତେଣୁ ବେଳ ଥାଉ ଥାଉ ନଦୀ ସଂସ୍କାର ଯୋଜନାରେ ସୋନ ଓ କାଳର ପୁନରୁଦ୍ଧାର ସହ ବନ୍ଧଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe