ଯାଜପୁର/ବରୀ: ବିଜେଡି ଗଡ଼ ଯାଜପୁରରେ ଦଳର ସ୍ଥିତି ଏବେ ଟଳମଳ। ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକ୍ ହାତରୁ ଖସୁଛି। ଟାଣୁଆ ନେତା ପ୍ରଣବପ୍ରକାଶ ଦାସଙ୍କ ଜିଲ୍ଲାରେ ଏ ପ୍ରକାର ସ୍ଥିତି କର୍ମୀଙ୍କୁ ହତୋତ୍ସାହିତ କରିଛି। ଧର୍ମଶାଳା, ବଡ଼ଚଣା ପରେ ଆଜି ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡ଼ି ନିଜର ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଧରି ବିଜେପିରେ ସାମିଲ ହେବା ପରେ ବିଜେଡିକୁ ଶକ୍ତ ଝଟକା ଲାଗିଛି। ଏହା ବିଧାୟକ ବିଶ୍ବରଂଜନ ମଲ୍ଲିକଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ଚର୍ଚ୍ଚା ହେଉଛି।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତୃଣମୂଳସ୍ତରର ସଂଗଠନକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେଡି ସଂଗଠନ ଭୁଶୁଡ଼ିବା ପ୍ରକ୍ରିୟା ବିଜେପି ନେତୃତ୍ବଙ୍କୁ ଉତ୍ସାହିତ କରିଛି। କିଛିଦିନ ପୂର୍ବରୁ ବଡ଼ଚଣା ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଏକାଧିକ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ଦଳୀୟ ପଦାଧିକାରୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେହିପରି ଧର୍ମଶାଳାରେ ବହୁ ସରପଞ୍ଚ, ସମିତିସଭ୍ୟ ବିଜେପିରେ ସାମିଲ ହୋଇଥିଲେ। ଏଥିରେ ଉଭୟ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ରାଜନୈତିକ ଗଡ଼ ମଜଭୁତ ହୋଇଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ଦୁଇ ବ୍ଲକ୍ରେ ବିଜେପି ସହ ଲଢ଼େଇ କରିବା କଷ୍ଟକର ହୋଇପାରେ।
ହାତରୁ ଖସୁଛି ଯାଜପୁରର ଗୋଟିଏ ପରେ ଗୋଟିଏ ବ୍ଲକ୍
ଅସନ୍ତୋଷ ଝାଡ଼ି ବିଜେପିରେ ମିଶିଲେ ବରୀ ବ୍ଲକ୍ ଅଧ୍ୟକ୍ଷ
ସମାନ ଚିତ୍ର ଆଜି ବରୀ ବ୍ଲକ୍ରେ ଦେଖିବାକୁ ମିଳିଛି। ସ୍ଥାନୀୟ ରମ୍ପା କଲ୍ୟାଣମଣ୍ଡପ ନିକଟ ପଡ଼ିଆରେ ବିଜେପି ତରଫରୁ ଆୟୋଜିତ ମହାମିଶ୍ରଣ ପର୍ବରେ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡ଼ିଙ୍କ ସମେତ ବୋଦୁଅ ସରପଞ୍ଚ ଦେବୀପ୍ରସାଦ ମିଶ୍ର, ବରୀ ସରପଞ୍ଚ ସୋନାଲି ସିଂ, ବରୀ ସମିତିସଭ୍ୟା ସସ୍ମିତା ମଲ୍ଲିକ, ସାହୁପଡ଼ା ସମିତିସଭ୍ୟା ଶାନ୍ତିଲତା ଦଳାଇ, ଅରଙ୍ଗାବାଦ ସମିତିସଭ୍ୟା ଅନସୂୟା ମଲିକ, ଉଦୟନାଥପୁରର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ମହାକୁଡ଼ ପ୍ରମୁଖ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ସେରପୁର, କଳାମାଟିଆ, ଅଟିରା, ଅମଠପୁର, ବାଇଁଶିରିଆ, ମନ୍ଦାରୀ, ଗୋଳକୁଣ୍ଡ, ବାଲିଆ, ବାଲିବିଲି, ଚନ୍ଦନପୁର ପଞ୍ଚାୟତର ଅନେକ ନିର୍ବାଚିତ ପ୍ରତିନିଧି ତଥା ବିଜେଡି ନେତା ବିଜେପିରେ ମିଶିଛନ୍ତି।
ମିଶ୍ରଣପର୍ବରେ ବିଜେପିର ବରିଷ୍ଠ ନେତା ଉମେଶ ଜେନା ସମସ୍ତଙ୍କୁ ଦଳକୁ ସ୍ବାଗତ କରିବା ସହିତ ଏବେଠାରୁ ବରୀର ବିକାଶ ଯାତ୍ରା ଆରମ୍ଭ ହେବ ବୋଲି କହିଥିଲେ। ଗତ ସମିତି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ସାଜିଥିବା ରମ୍ପା ସମିତିସଭ୍ୟ ଜ୍ୟୋତିର୍ମୟୀ ବେହେରା ଶ୍ରୀ ଗେଡ଼ିଙ୍କୁ ବିଜେପି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବତନ ଜିଲ୍ଲା ବିଜେପି ସଭାପତି ଆଶୁତୋଷ ପରିଡ଼ା ସଭା ସଂଚାଳନ କରିଥିବାବେଳେ ଦିଲ୍ଲୀପ କୁମାର ଜେନା ଧନ୍ୟବାଦ ଦେଇଥିଲେ। ମିଶ୍ରଣ ପର୍ବରେ ଯୋଗଦେବା ପରେ ଅଧ୍ୟକ୍ଷ ଶ୍ରୀ ଗେଡ଼ି ବରୀ ବିଧାୟକଙ୍କ କାର୍ଯ୍ୟଧାରା ଉପରେ ସିଧା ଆଙ୍ଗୁଳି ଉଠାଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ବ୍ଲକ୍ ବିଜେଡି ସଭାପତିଙ୍କ ସହିତ ୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ କଥାରେ ବିଧାୟକ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି। ବ୍ଲକ୍ର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ତେଣୁ ବରୀର ସର୍ବାଙ୍ଗୀନ ବିକାଶ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।
Follow Us