ମହାନଦୀ ପାଣିରେ ଭାସୁଛି ଗଣିଆ

Advertisment
ମହାନଦୀ ପାଣିରେ ଭାସୁଛି ଗଣିଆ

ନୟାଗଡ଼/ଗଣିଆ/କଣ୍ଟିଲୋ/ଭାପୁର: ପ୍ରାକୃତିକ ଦୁର୍ବିପାକର କିଭଳି ମୁକାବିଲା କରାଯିବ, ସେ ନେଇ ପ୍ରତିବର୍ଷ ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ୍‌ସ୍ତରରେ ବୈଠକ କରାଯାଉଛି, ହେଲେ କାର୍ଯ୍ୟାନ୍ବୟନ ନାହିଁ। ମହାନଦୀ ବନ୍ୟାରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍‌ ଭାସୁଥିବା ବେଳେ, ଘୋର ପ୍ରଶାସନିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବ୍ଲକ୍‌ର ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ଲୋକେ ପାନୀୟ ଜଳ ପାଇଁ ଛଟପଟ ହେଉଛନ୍ତି। ବ୍ଳକ୍‌ ଅନ୍ତର୍ଗତ କିଶୋରପ୍ରସାଦ, ବେଲପଡ଼ା, ବଡ଼ସିଲିଙ୍ଗା ପଞ୍ଚାୟତ ବିଚ୍ଛିନ୍ନ ହୋଇଯାଇଛି। ଭାପୁର ବ୍ଲକ୍‌ର ଫତେଗଡ଼, କରବର ପଞ୍ଚାୟତ ସମେତ ଖଣ୍ଡପଡ଼ାର କଣ୍ଟିଲୋ ମଧ୍ୟ ପ୍ରଭାବିତ ହୋଇଛି। ଭାପୁରର ମଣିପୁର ପାଣିଘେରରେ ରହିଛି। କଣ୍ଟିଲୋରେ ୪୭.୯୮ ମିଟର ବିପଦ ସଙ୍କେତ ରହିଥିବା ବେଳେ, ଏହାର ପାଖାପାଖି ଜଳ ପ୍ରବାହିତ ହେଉଛି, ସେହିଭଳି ଗଣିଆର ମଣିଭଦ୍ରାଠାରେ ୭ ମିଟର ବିପଦ ସଙ୍କେତ ଥିବା ବେଳେ, ଏହା ଉପରେ ଜଳ ପ୍ରବାହିତ ହେଉଛି। ଗଣିଆ ବ୍ଲକ୍‌ବାସୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ, ସେମାନଙ୍କୁ ସହଯୋଗ କରିବା ନେଇ ପ୍ରଶାସନର ସକ୍ରିୟତା ଦେଖିବାକୁ ମିଳୁନାହିଁ।

ଛାମୁଣ୍ଡିଆ ପଞ୍ଚାୟତରେ ୨୮ଟି ଗ୍ରାମ ଥିବା ବେଳେ, ରାସଙ୍ଗରେ ୯ଟି ଗ୍ରାମ ରହିଛି। ରାସଙ୍ଗ ପଞ୍ଚାୟତ ପାଇଁ ୨ରୁ ଅଧିକ ବୋଟ୍‌ର ଆବଶ୍ୟକତା ରହିଥିବା ବେଳେ, ମାତ୍ର ଗୋଟିଏ ବୋଟ୍ ଚଳାଚଳ କରୁଛି। ଫଳରେ ବୋଟ୍‌ର କ୍ଷମତା ୧୦ ହୋଇଥିବା ବେଳେ, ଏଥିରେ ୨୫ରୁ ୩୦ ଜଣ ଯାତାୟାତ କରୁଛନ୍ତି। କାଦୁଆ ଗ୍ରାମରେ ଯେଉଁଥି ପାଇଁ ଆଜି ଉତ୍ତେଜନା ମଧ୍ୟ ଦେଖାଯାଇଥିଲା। ବୋଟ୍ ଚାଳକଙ୍କ ବାରଣ ସତ୍ତ୍ବେ ଲୋକ ତାଙ୍କୁ ନାଲି ଆଖି ଦେଖାଇ ବୋଟ୍‌ରେ ଚଢ଼ିଯାଇଥିଲେ। ବନ୍ୟା ପୂର୍ବରୁ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇନାହିଁ। ଆଜି ଅପରାହ୍ଣରେ ବୋଟ୍‌ରେ ମଧ୍ୟ ଜଣେ ଗର୍ଭବତୀଙ୍କୁ ମେଡିକାଲ୍‌ ନିଆଯାଇଛି। ପ୍ରଶାସନ ଚେଇଁ ଶୋଇଥିବା ବେଳେ, ଯେତେବେଳେ ଅଘଟଣ ଘଟିବ, ସେତେବେଳେ ନିଦ ଭାଙ୍ଗିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe