ରାଇଘର: ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇ ଅକାଳରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଦୁଇ ଯୁବକ। ଏମାନେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ବୋବେଇ ପଞ୍ଚାୟତ କଟୁଆଳପାରା ଗ୍ରାମର ଗୋବିନ୍ଦ ଗଣ୍ଡ (୩୦) ଓ ସରଦୀପ ଗଣ୍ଡ (୧୮)। ନଳକୂପ ଖନନ ଖାଡ଼ିରେ ଉଭୟ କାମ କରୁଥିଲେ ଓ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆଜି ମରଶରୀର ଗାଁରେ ପହଞ୍ଚିବା ପରେ କ୍ଷତିପୂରଣ ଦାବି କରି ଗ୍ରାମବାସୀ କିଛି ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ଅଟକାଇ ରଖିଥିଲେ।
ସୂଚନା ଅନୁଯାୟୀ, ପାଞ୍ଚ ମାସ ତଳେ କୁନ୍ଦେଇ ପଞ୍ଚାୟତ କାନାଡ଼ିହି ଗ୍ରାମର ଶ୍ରୀରାମ ହରିଜନ ରୋଜଗାର ଯୋଗାଇ ଦେବାକୁ କହି କଟୁଆଳପାରା ଗ୍ରାମର ରଘୁନାଥ ଗଣ୍ଡ, ଲଡ଼ଗା ଗଣ୍ଡ, ଗୋବିନ୍ଦ ଗଣ୍ଡ ଓ ସରଦୀପ ଗଣ୍ଡଙ୍କୁ ମହାରାଷ୍ଟ୍ର ନେଇଯାଇଥିଲା। ପାର୍ଲି ସହରରେ ଗୋଟିଏ ବୋରୱେଲ୍ ଗାଡ଼ିରେ ସେମାନଙ୍କୁ ନିୟୋଜିତ କରିଥିଲା। ତେବେ ଜାନୁଆରି ୩୦ ତାରିଖ ଦିନ କାମ କରିବା ସମୟରେ ବୋରୱେଲ୍ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲା। ଯାହାଫଳରେ ସରଦୀପ ଓ ଗୋବିନ୍ଦଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଉକ୍ତ ସଂସ୍ଥାର ମାଲିକ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ଶବ ଗାଁକୁ ପଠାଇଥିଲେ। କିନ୍ତୁ ପୂର୍ବରୁ ଉତ୍ତେଜିତ ହୋଇ ରହିଥିବା ଗ୍ରାମବାସୀ କ୍ଷତିପୂରଣ ଦାବି କରି ଆମ୍ବୁଲାନ୍ସକୁ ଅଟକାଇ ରଖିଥିଲେ। କ୍ଷତିପୂରଣ ମିଳିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅପରପକ୍ଷରେ ପରିବାର ଲୋକଙ୍କ କାନ୍ଦବୋବାଳି ଯୋଗୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ ଯେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଘଟଣା ରାଇଘର ବ୍ଲକ୍ରେ ବାରମ୍ବାର ଘଟୁଛି। ଜିଲ୍ଲା ଶ୍ରମ ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
Follow Us