Image Courtesy of Deccan Herald
କୋକସରା: ପରିବାର ପ୍ରତିପୋଷଣ ପାଇଁ ଗାଁ ମାଟି ଛାଡ଼ି ଦାଦନ ଖଟିବାକୁ ଯାଇଥିଲେ ସିକନ୍ଦରାବାଦ। ହେଲେ ପରିବାର ପ୍ରତିପୋଷଣ କରିବାକୁ ନେଇ ଆଶା ଧୂଳିସାତ ହୋଇଗଲା। ଗତ ଶନିବାର ଅପରାହ୍ଣ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଗଲା। ସାଙ୍ଗରେ ଥିବା ଶ୍ରମିକମାନେ ଏ ନେଇ ଘରକୁ ଖବର ଦେଇଥିଲେ। ଘର ଲୋକ ଯୁବକଙ୍କ ଶବ ଆଣିବାକୁ ସିକନ୍ଦରାବାଦ୍ ଯାଇ ଠିକା ସଂସ୍ଥା ସହାୟତାରେ ଏକ ଆମ୍ବୁଲାନ୍ସରେ ଶବ ନେଇ ସୋମବାର ଭୋର୍ରେ ଗାଁରେ ପହଞ୍ଚିଥିଲା।
ସୂଚନାନୁସାରେ, କୋକସରା ବ୍ଲକ୍ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡ଼ାର ଗୟାଧର ନାଏକଙ୍କ ପୁଅ ତେଜରାଜ ନାଏକ ୭ ମାସ ତଳେ ଦାଦନ ଖଟିବାକୁ ଯାଇ ସିକନ୍ଦରାବାଦ ନିକଟରେ ଥିବା କାମପାଲିର ଏକ ଠିକାସଂସ୍ଥାରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ଶନିବାର କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା। ଠିକାସଂସ୍ଥା ପକ୍ଷରୁ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଆଜି ଆମ୍ବୁଲାନ୍ସରେ ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଥିଲା। ପରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଗମ୍ଭାରୀଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଇଶରାମ ସୁନାନୀ ଓ ନାଏବ ସରପଞ୍ଚ ନନ୍ଦିନୀ ନାଗ ମୃତକଙ୍କ ଘରକୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ। ତେଜରାଜଙ୍କ ମୃତ୍ୟୁ ପରେ ଘରେ ବିଧବା ପତ୍ନୀ ସହ ଛୋଟ ଛୋଟ ୨ ପୁଅଝିଅ ଅଛନ୍ତି।
Follow Us