ପୁସ୍ତକରେ ସାମିଲ ହେବ ସହିଦଙ୍କ ବଳିଦାନ: ପିଲା ପଢ଼ିବେ ପାପଡ଼ାହାଣ୍ଡି ଗୁଳିକାଣ୍ଡ

ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡ଼ାହାଣ୍ଡିର ଟୁରୀ ନଦୀ। ସ୍ବାଧୀନତା ପାଇଁ ଇଂରେଜଙ୍କ ଗୁଳିରେ ସହିଦ ହୋଇଥିଲେ ୧୯ଜଣ ସଂଗ୍ରାମୀ। ବଳିଦାନର ଏହି ବୀର କାହାଣୀକୁ ପାଠ୍ୟ ପୁସ୍ତକରେ ସାମିଲ କରାଯିବ।

ଧାର୍ଯ୍ୟ ସମୟରେ ଆସିଲାନି ଏନ୍‌ସିଇଆର୍‌ଟି ବହି: ବଜାରରେ ନକଲି ହାଉଯାଉ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡ଼ାହାଣ୍ଡିର ଟୁରୀ ନଦୀ। ସ୍ବାଧୀନତା ପାଇଁ ଇଂରେଜଙ୍କ ଗୁଳିରେ ସହିଦ ହୋଇଥିଲେ ୧୯ଜଣ ସଂଗ୍ରାମୀ। ବଳିଦାନର ଏହି ବୀର କାହାଣୀକୁ ପାଠ୍ୟ ପୁସ୍ତକରେ ସାମିଲ କରାଯିବ। ପିଲାଙ୍କୁ ପାପଡ଼ାହାଣ୍ଡି ଗୁଳିକାଣ୍ଡ ବିଷୟରେ ପଢ଼ାଇବା ପାଇଁ ବିଚାର ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସଂକେତ ଦେଇଛନ୍ତି। ପାପଡ଼ାହାଣ୍ଡି ସହିଦ ମିନାରର ବିକାଶ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମିନାରର ବିକାଶ ପାଇଁ ୬କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଭାରତୀୟ ମୁକ୍ତି ସଂଗ୍ରାମର ମହାନ ଗାଥାକୁ ଅବିସ୍ମରଣୀୟ କରି ରଖିବା ସହ ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ପାପଡ଼ାହାଣ୍ଡି ସହିଦ ମିନାରର ବିକାଶ ଅତ୍ୟନ୍ତ ଆବଶ୍ୟକ ଥିଲା। ତାହା ଆଜି ହୋଇପାରିଛି। ପଞ୍ଜାବର ଜାଲିଆନାବାଗ୍‌ ଭଳି ପାପଡ଼ାହାଣ୍ଡି ଟୁରୀ ନଦୀକୂଳରେ ଗୁଳିକାଣ୍ଡ ହୋଇଥିଲା। ଯାହାକୁ ପାଠ୍ୟ ପୁସ୍ତକରେ ସାମିଲ କରିବା ପାଇଁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ। ଦେଶକୁ ସ୍ବାଧୀନ କରିବା ପାଇଁ ସଂଗ୍ରାମୀ ପଣ କରିଥିଲେ। ତାଙ୍କରି ଅବଦାନ ପାଇଁ ଆଜି ଦେଶ ସ୍ବାଧୀନ ହୋଇପାରିଛି। ସେମାନଙ୍କୁ କେହି ଭୁଲିବା ଉଚିତ ନୁହେଁ। ବଳିଦାନର ଇତିହାସକୁ ଲିପିବଦ୍ଧ କରିବା ସହ ଲୋକଙ୍କୁ ଅବଗତ କରିବାକୁ ପଦକ୍ଷେପ ନିଆଯିବ। ନିଶ୍ଚିତ ଭାବେ ପାପଡ଼ାହାଣ୍ଡି ଗୁଳିକାଣ୍ଡ ଘଟଣାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ବିଚାରକୁ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲାର ଶହ ଶହ ସଂଗ୍ରାମୀ ସାମିଲ ହୋଇଥିଲେ। ଅଗଷ୍ଟ ୨୪ତାରିଖ ଦିନ ଡାବୁଗାଁ ଅଭିମୁଖେ ଏକ ସଭାରେ ଯୋଗଦେବାକୁ ଚାଲିଚାଲି ଆସିବା ସମୟରେ ପାପଡ଼ାହାଣ୍ଡି ଟୁରୀ ନଦୀ ନିକଟରେ ବ୍ରିଟିସ୍‌ ପୁଲିସ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ୧୯ଜଣ ସ୍ବାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଅନେକ ସଂଗ୍ରାମୀ ଟୁରୀ ନଦୀକୁ ଡେଇଁ ବଳିଦାନ ଦେଇଥିଲେ। ଏହି ଐତିହାସିକ ଘଟଣାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାପଡ଼ାହାଣ୍ଡିଠାରେ ସହିଦ ସ୍ମୃତି ମିନାର ସ୍ଥାପନ କରାଯାଇଛି। ଓଡ଼ିଶା ପାଠ୍ୟ ପୁସ୍ତକରେ ପାପଡ଼ାହାଣ୍ଡି ଗୁଳିକାଣ୍ଡ ବିଷୟ ସାମିଲ କରିବାକୁ ପ୍ରସ୍ତାବ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe