ବଡ଼ପଣ ଦେଖାଇଲେ କନ୍ୟା, ନିର୍ବନ୍ଧ ପରେ ୨ ଗୋଡ଼ ହରାଇଥିବା ବରକୁ ବାହା ହେଲେ

Advertisment
ବଡ଼ପଣ ଦେଖାଇଲେ କନ୍ୟା, ନିର୍ବନ୍ଧ ପରେ ୨ ଗୋଡ଼ ହରାଇଥିବା ବରକୁ ବାହା ହେଲେ

ବାଲେଶ୍ବର: ବାହାଘର ପାଇଁ ଦିନ ଧାର୍ଯ୍ୟ ହେବା ପରେ ଦୁର୍ଘଟଣାର ଶିକାର ହୋଇ ଦୁଇ ଗୋଡ଼ ହରାଇଲେ ବର। ବାହାଘର ତ ବନ୍ଦ ରହିଲା; ସେପଟେ ଝିଅକୁ ଅନ୍ୟତ୍ର ବାହାଘର କରିବା ପାଇଁ ପରିବାର ପକ୍ଷରୁ ଯେତେବେଳେ ବରପାତ୍ର ଖୋଜାଗଲା; ସେତେବେଳେ ଝିଅ ତାର ବଡ଼ପଣିଆ ଦେଖାଇଥିଲା। ଯେଉଁଠି ପ୍ରଥମେ ବାହାଘର ହେବା ପାଇଁ ସ୍ଥିର ହୋଇଥିଲା; ସେଇଠି ବାହା ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ଶେଷରେ ଝିଅର ଇଚ୍ଛାକୁ ସମ୍ମାନ ଦେଇ  ପରିବାର ଲୋକ ସେହିଠାରେ ହିଁ ତାଙ୍କୁ ବାହାଘର କରାଇଥିଲେ। ବୁଧବାର ଦିନ ବାଲେଶ୍ବର ସହର ଗୋପାଳଗାଁ ଅଞ୍ଚଳରେ ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ଏହି ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଉଚ୍ଚଶିକ୍ଷିତା ଝିଅ ହେଉଛନ୍ତି ନିକି ପଣ୍ଡା। ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଡା.ଦେବବ୍ରତ ଷଡ଼ଙ୍ଗୀଙ୍କ ସହ ତାଙ୍କର ବିବାହ ପାଇଁ ଉଭୟଙ୍କ ପରିବାରର ସହମତି କ୍ରମେ ଦିନଧାର୍ଯ୍ୟ ହୋଇଥିଲା। ହେଲେ ବିବାହ ପୂର୍ବରୁ ଦେବବ୍ରତ ବଡ଼ ଦୁର୍ଘଟଣାର ଶିକାର ହେଲେ ଏବଂ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଲେ। ଏହି ଘଟଣାକୁ ନେଇ ଉଭୟ ନିକି ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପରେ କରୋନା ଆସି ଦୁଇବର୍ଷ ବିତିଗଲା। କିନ୍ତୁ ନିକି ଓ ଦେବବ୍ରତଙ୍କ ସମ୍ପର୍କ ଅତୁଟ ଥିଲା।

publive-image

ସେମାନେ ପରସ୍ପରଠାରୁ ଦୂରରେ ଥାଇ ମଧ୍ୟ ନିଜ ନିଜର ଭଲମନ୍ଦ ବୁଝୁଥିଲେ। ଏହାରି ଭିତରେ ନିକିଙ୍କ ବାହାଘର ଅନ୍ୟତ୍ର କରିବା ପାଇଁ ପରିବାର ଲୋକ ବରପାତ୍ର ଖୋଜିବା ଆରମ୍ଭ କଲେ। ହେଲେ ନିକି ଦେବବ୍ରତଙ୍କ ଛଡ଼ା ଆଉ କାହାକୁ ବାହା ହେବେ ନାହିଁ ବୋଲି ଜଣାଇଦେଇଥିଲେ । ଏପରିକି ନିଜେ ଦେବବ୍ରତ ମଧ୍ୟ ତାଙ୍କୁ ଅନ୍ୟତ୍ର ବାହା ହେବାକୁ ଅନୁରୋଧ କରିଥିଲେ। ହେଲେ ବାହାଘର ପରେ ଯଦି ଦେବବ୍ରତଙ୍କ ସହ ଏମିତି ଅଘଟଣ ଘଟିଥାନ୍ତା, ତା’ହେଲେ ସେ କ’ଣ କରିଥାନ୍ତେ ବୋଲି ସମସ୍ତଙ୍କୁ ପଚାରିଥିଲେ। ନିକିଙ୍କ ଏହି ଯୁକ୍ତି ସମସ୍ତଙ୍କୁ ନିରୁତ୍ତର କରି ଦେଇଥିଲା। ଶେ‌ଷରେ ଉଭୟଙ୍କୁ ଏକାଠି କରିବାକୁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ। ନିକିଙ୍କ ବାପା ଦେବବ୍ରତଙ୍କ ପରିବାର ସହ କଥା ହୋଇ ବିବାହ ପାଇଁ ଦିନ ଧାର୍ଯ୍ୟ କରିଥିଲେ। ବୁଧବାର ଗୋପାଳଗାଁସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଉଭୟଙ୍କର ବାହାଘର ବେଶ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଥିଲା।

publive-image

ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିବାହ ଉତ୍ସବରେ ଯୋଗ ଦେଇ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରିଥିଲେ। ନିକିଙ୍କ ନିଷ୍ପତ୍ତିକୁ ଜନସାଧାରଣରେ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe