Advertisment

ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ଦୌରାତ୍ମ୍ୟ: ବନ୍ଧ ପକାଇ ରୋକିଦେଲେ ସୁବର୍ଣ୍ଣରେଖା ପାଣି

Advertisment

ନଈରେ ଲୀନ ହୋଇଗଲାଣି ୨ ଶହ ଫୁଟ୍‌ ସ୍ଥଳଭାଗ , ବୁଡ଼ିଯିବ ଓଡ଼ିଶାର ଗୋପାଳପୁର ଓ ରାଜନଗର ଗାଁ

ନଈରେ ଲୀନ ହୋଇଗଲାଣି ୨ ଶହ ଫୁଟ୍‌ ସ୍ଥଳଭାଗ , ବୁଡ଼ିଯିବ ଓଡ଼ିଶାର ଗୋପାଳପୁର ଓ ରାଜନଗର ଗାଁ

ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ଦୌରାତ୍ମ୍ୟ: ବନ୍ଧ ପକାଇ ରୋକିଦେଲେ ସୁବର୍ଣ୍ଣରେଖା ପାଣି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ପୁଣି ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଜଳେଶ୍ୱର ବ୍ଲକ୍‌ ଓଲମରା ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ବାଲି ଉତ୍ତୋଳନ ପାଇଁ ମାଫିଆମାନେ ବନ୍ଧ ପକାଇ ସେଠାରେ ସୁବର୍ଣ୍ଣରେଖା ପାଣିକୁ ରୋକି ଦେଇଛନ୍ତି। ଏହାର ପ୍ରଭାବରେ ନଦୀର ଗତିପଥ ପରିବର୍ତ୍ତନ ସହ ସପ୍ତାହକ ମଧ୍ୟରେ ଓଡ଼ିଶା ସୀମାରୁ ୨ ଶହ ଫୁଟ୍‌ ସ୍ଥଳଭାଗ ନଈଗର୍ଭରେ ଲୀନ ହୋଇଯାଇଛି। ବାଲି ମାଫିଆଙ୍କ ଏହି କାରନାମା ଯୋଗୁଁ ସୁବର୍ଣ୍ଣରେଖା କୂଳରେ ଥିବା ଗୋପାଳପୁର ଓ ରାଜନଗର ଗାଁ ପ୍ରତି ମାଡ଼ିଆସିଛି ବଡ଼ ବିପଦ। ସୁବର୍ଣ୍ଣରେଖା ଭଳି ବଡ଼ନଈ ଯଦି ଗାଁ ମୁହାଁ ହୁଏ ତେବେ ବ୍ୟାପକ କ୍ଷୟକ୍ଷତି ନିଶ୍ଚିତ। ଏହାକୁ ନେଇ ଗାଁ ଲୋକେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗୋପାଳପୁର ନିକଟ ସୁବର୍ଣ୍ଣରେଖା ନଦୀର ଅପରପାର୍ଶ୍ବରେ ରହିଛି ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଧୀନ ବେଲମୁଳା ଗାଁ। ସୁବର୍ଣ୍ଣରେଖା ନଦୀପଠା ସଂଲଗ୍ନ ବେଲମୁଳା ମୌଜାରେ ଥିବା ଏକ ବାଲି ଖାଦାନକୁ ପଶ୍ଚିମବଙ୍ଗ ରାଜସ୍ବ ବିଭାଗ ନିଲାମ ଦେଇଛି। ୨୦୧୭ ମସିହା ସର୍ଭେ ଅନୁସାରେ, ଯେଉଁ ସ୍ଥାନକୁ ନିୟମିତ ଭାବେ ନିଲାମ ଦିଆଯାଉଛି ସେଠାରେ ଏବେ ବାଲି ସଇରାତର ଚିହ୍ନବର୍ଣ୍ଣ ନାହିଁ। ନଦୀର ଗତିପଥ ବଦଳି ପାଣି ଅନ୍ୟ ଆଡ଼େ ଚାଲିଛି। ତେବେ ପାଣି ଭିତରୁ ବାଲି ଉତ୍ତୋଳନ ସମ୍ଭବପର ହେଉ ନଥିବାରୁ ପରିବେଶ ଆଇନକୁ ଉଲ୍ଲଂଘନ କରି ପଶ୍ଚିମବଙ୍ଗର ନିଲାମଧାରୀମାନେ ନଦୀର

ମଧ୍ୟଭାଗରେ ବନ୍ଧ ପକାଇ ବାଲି ଉତ୍ତୋଳନ କରୁଛନ୍ତି। ବନ୍ଧର ଗୋଟିଏ ପାର୍ଶ୍ୱରେ ପଶ୍ଚିମବଙ୍ଗ ଓ ଅନ୍ୟ ପାର୍ଶ୍ୱରେ ଓଡ଼ିଶା ମୌଜା ରହିଛି। ଗତ ୧୫ ଦିନ ହେଲା ୫ଟି ଜେସିବି ଦିନରାତି ଏଠାରେ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ନଦୀକୁ ଦୁଇଭାଗ କରି ବନ୍ଧ ପକାଇବା ଫଳରେ ନଦୀ ଜଳଧାର ସଂକୀର୍ଣ୍ଣ ହୋଇଯିବା ସହ ଓଡ଼ିଶା ସୀମା ଦେଇ ନଦୀର ଜଳଧାର ବର୍ତ୍ତମାନ ପ୍ରବାହିତ ହେଉଛି। ଫଳରେ ଗୋପାଳପୁର ଗାଁ’ର ବିସ୍ତୀର୍ଣ୍ଣ ସ୍ଥଳଭାଗକୁ ପାଣି ମାଡ଼ିଆସିଛି। ଅନ୍ୟପଟେ ଯେଉଁ ସ୍ଥଳଭାଗ ନଦୀଗର୍ଭକୁ ଚାଲିଯାଉଛି, ସେହିସବୁ ସ୍ଥାନରୁ ପଶ୍ଚିମବଙ୍ଗର ବାଲି ମାଫିଆମାନେ ବାଲି ଉଠାଇ ବନ୍ଧକୁ ଆହୁରି ଉଚ୍ଚ କରୁଛନ୍ତି। ନଦୀର ଜଳସ୍ରୋତ ଯଦି ପ୍ରଖର ହେବ, ତେବେ ଆଗାମୀ ଦିନରେ ଗୋପାଳପୁର ଓ ଏହାକୁ ଲାଗିଥିବା ରାଜନଗର ଗାଁ ମଧ୍ୟ ସୁବର୍ଣ୍ଣରେଖା ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହୋଇଯିବାର ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe