ମହାପ୍ରଭୁଙ୍କ ପାଇଁ ମାଧବ ପୀଠରୁ ପଢ଼ୁଆଁ ଭାର

ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ ଚତୁର୍ଦ୍ଧା ବିଗ୍ରହ। ନୂଆବସ୍ତ୍ର ପିନ୍ଧି ଦର୍ଶନ ଦେବେ ବଡ଼ଠାକୁର। ଏହି ଅବସ‌ରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଆଳିସ୍ଥିତ ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠ ମଉଳା କ୍ଷେତ୍ରରୁ ଆସିଛି ପଢ଼ୁଆଁ ଭାର।

adadadade

ପୁରୀ/ଚାରିଛକ: ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ ଚତୁର୍ଦ୍ଧା ବିଗ୍ରହ। ନୂଆବସ୍ତ୍ର ପିନ୍ଧି ଦର୍ଶନ ଦେବେ ବଡ଼ଠାକୁର। ଏହି ଅବସ‌ରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଆଳିସ୍ଥିତ ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠ ମଉଳା କ୍ଷେତ୍ରରୁ ଆସିଛି ପଢ଼ୁଆଁ ଭାର। ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଶ୍ରୀମନ୍ଦିର ଜରିଆରେ ପ୍ରଦାନ କରାଯାଇଛି। ଆଜି ପଢ଼ୁଆଁ ଭାରରେ ଆସି ପହଞ୍ଚିଛି ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଛ, ଲବଙ୍ଗ ସମେତ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ ଓ ପଦ୍ମ ଫୁଲ। ଏସବୁକୁ ଶ୍ରୀମନ୍ଦିର ଗାରଦରେ ଦିଆଯାଇଛି।

ବେଶ ଆଡ଼ମ୍ବର ସହକାରେ ଶ୍ରୀମାଧବ ଜିଉଙ୍କ ପୀଠରୁ ପଢ଼ୁଆଁ ଯାତ୍ରା ଆରମ୍ଭ ହୋଇଥିଲା। ଶୁକ୍ରବାର ସକାଳୁ ଶୋଭାଯାତ୍ରା ସହ ଭାର ବାହାରିଥିଲା। ଭୋଇ ସେବକମାନେ ପତାକା ଧରି ଆଗେଆଗେ ଚାଲିଥିଲେ। ଗଡ଼ୁଆ ସେବକଙ୍କ ଦ୍ବାରା ପାଇକ ଆଖଡ଼ା ସାଙ୍ଗକୁ ରାମତାଳି ଓ ଲଉଡ଼ି ପ୍ରଦର୍ଶନ ହେଉଥିଲା। ବହୁ ସଂକୀର୍ତ୍ତନ ଦଳ ଶୋଭାଯାତ୍ରାରେ ସାମିଲ୍‌ ହୋଇ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ଢୋଲିଆ ଓ ମହୁରିଆଙ୍କ ମଙ୍ଗଳବାଦ୍ୟରେ ନିନାଦିତ ହେଉଥିଲା ଏହି ଦିବ୍ୟ ଯାତ୍ରା। ୮ ଜଣ ବେହେରା ଉପବାସ ବ୍ରତ ପାଳନ ସହ ଭାର ନେଇ ଶ୍ରୀକ୍ଷେତ୍ର ଆସିଥିଲେ। ଛତିଶାନିଯୋଗ ସେବକ, ଭକ୍ତ ଓ ଶ୍ରୀଜଗନ୍ନାଥପ୍ରେମୀ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ। ଶେଷରେ ଶ୍ରୀଶ୍ରୀ ମାଧବାନନ୍ଦ ଜିଉ ବିକାଶ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ଗାରଦରେ ସମସ୍ତ ଭାର ପ୍ରଦାନ କରାଯାଇଥିଲା।

ଏନେଇ ପରିଷଦର ସଭାପତି ଅଶୋକ କୁମାର ପୁଷ୍ପାଳକ କହିଛନ୍ତି, ଯଦିଓ ବଳଭଦ୍ର ବଡ଼ଭାଇ ହିସାବରେ ପଢ଼ୁଆଁ, କିନ୍ତୁ ମଉଳା କ୍ଷେତ୍ରରୁ ୭ ଜଣ ଠାକୁରଙ୍କ ପାଇଁ ପାଟବସ୍ତ୍ର ‌ଆସିଥାଏ। ଏହା ବହୁ ପ୍ରାଚୀନ କାଳରୁ ଚାଲି ଆସୁଥିଲେ ହେଁ କାଳକ୍ରମେ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା। ମାତ୍ର ଗତ କିଛି ବର୍ଷ ହେଲା ପୁନର୍ବାର ଏହି ପରମ୍ପରାକୁ ଉଜ୍ଜୀବୀତ ରଖିବାକୁ ପ୍ରଚେଷ୍ଟା କରାଯାଇଛି। ପ୍ରଥମ ବର୍ଷ ସହସ୍ରାଧିକ ‌ଭକ୍ତଙ୍କ ମେଳରେ ଏହା ଆୟୋଜିତ ହୋଇଥିଲା। ନିଆଳି ମାଧବ ଯାଦବ ଭାଇମାନଙ୍କ ପକ୍ଷରୁ ବଡ଼ଦାଣ୍ଡରେ ପିଠା ବଣ୍ଟନ ହୋଇଥିଲା। ସୂଚନାଯୋଗ୍ୟ ଯେ ଭାର ଯିବା ସମୟରେ ଚାରିଛକଠାରେସାମ୍ବାଦିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ସରସ୍ବତୀ ଶିଶୁ ମନ୍ଦିର, ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe