ପୁରୀ : ଚନ୍ଦ୍ରଭାଗା ବୁଡ଼ ପାଇଁ ୮୦ଜଣ ଶ୍ରଦ୍ଧାଳୁ ନେଇ କୋଣାର୍କ ଯାଉଥିବା ଏକ ବସ୍କୁ ୧ଲକ୍ଷ ୮ହଜାର ଟଙ୍କା ଜରିମାନା କରାଯାଇଛି। ମଦ ପିଇ ବସ୍ ଚଳାଉଥିବା ଡ୍ରାଇଭରକୁ ଦଣ୍ଡ ବିଧାନ ସ୍ବରୂପ ଓ ଗାଡ଼ିର ପରମିଟ ନଥିବାରୁ ମୋଟା ଅଙ୍କର ଜରିମାନା କରାଯାଇଛି। ଏଥିସହ ନିଶାସକ୍ତ ବସ୍ ଚାଳକକୁ କୋର୍ଟଚାଲାଣ କରାଯାଇଛି। ବସ ଜବତ ପରେ ରାମଚଣ୍ଡୀ ଥାନାରେ ରଖାଯାଇଛି ବୋଲି ପୁରୀ ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଚନ୍ଦ୍ରଭାଗା ବୁଡ଼ ପାଇଁ ପୁରୀରୁ ଚନ୍ଦ୍ରଭାଗା ଅଭିମୁଖେ ଶ୍ରଦ୍ଧାଳୁମାନେ ଯାଉଥିବାରୁ ସେମାନେ ଯେପରି ଶୋଷଣର ଶିକାର ନହୁଅନ୍ତି ସେଥିଲାଗି ବିଭିନ୍ନ ବସ୍ରେ ରେଟ୍ ଚାର୍ଟ ତନଖି କରାଯାଇଥିଲା। ରେଟ୍ ଚାର୍ଟ ଲାଗିନଥିବା ଗାଡ଼ିଠାରୁ ଜରିମାନା ଆଦାୟ କରାଯାଇଥିଲା। ଏଥିସହ ଲାଇସେନ୍ସ, ପରମିଟ, ସିଟ୍ବେଲ୍ଟ, ଓଭର୍ସ୍ପିଡ୍, ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ଓ ହେଲମେଟ୍ ଚେକିଂ କରାଯାଇଥିଲା। ଆରଟିଓ ରବୀନ ପଟ୍ଟନାୟକଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଓ ରାମଚଣ୍ଡୀ ଥାନାର ପୋଲିସ ଅଧିକାରୀ ଏଇ ଅଭିଯାନରେ ସାମିଲ ହୋଇଥିଲେ।
Follow Us