ଶିବିରରେ ହବିଷ୍ୟାଳି କ୍ଷମତା ୨୫୦୦, ଆସିଲେଣି ୪ହଜାର

ଦିନକ ପରେ କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି। ଏଣେ ସରକାରଙ୍କ ପକ୍ଷରୁ ମାତ୍ର ୨୫୦୦ ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଥିଲେ ହେଁ ଆଶାୟୀଙ୍କ ସଂଖ୍ୟା ୪ହଜାର ଟପିଲାଣି।

Untitled-21

ପୁରୀ: ଦିନକ ପରେ କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି। ଏଣେ ସରକାରଙ୍କ ପକ୍ଷରୁ ମାତ୍ର ୨୫୦୦ ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଥିଲେ ହେଁ ଆଶାୟୀଙ୍କ ସଂଖ୍ୟା ୪ହଜାର ଟପିଲାଣି। ଅନେକ ପଞ୍ଜୀକରଣ କରିନଥିଲେ ସୁଦ୍ଧା ବିଭିନ୍ନ ଶିବିରକୁ ଯାଇ ସେମାନଙ୍କୁ ଆଶ୍ରୟ ଦେବାକୁ ନିବେଦନ କରିଛନ୍ତି। ପୁଣି ଅନେକ ପଞ୍ଜୀକରଣ କମ୍‌ ସମୟ ଭିତରେ ସରିଯାଇଥିବାରୁ ତାଙ୍କୁ ଶିବିରରେ ରଖାଯାଉ ବୋଲି ଅଡ଼ି ବସିଛନ୍ତି। ଏନେଇ ସମସ୍ତ ୪ଟି ହବିଷ୍ୟାଳି ଶିବିରରେ ବିନା ପଞ୍ଜୀକୃତ ହବିଷ୍ୟାଳିଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ହବିଷ୍ୟାଳିମାନଙ୍କର ଏପରି ମାତ୍ରାଧିକ ଭିଡ଼ ଦେଖି ଜିଲ୍ଲା ପ୍ରଶାସନ ମଧ୍ୟ ରାତିରେ ବୈଠକ ଡାକି ଏହାର ସମାଧାନ ବାଟ କାଢ଼ିବା ପାଇଁ ଉଦ୍ୟମ ଚଳାଇଛନ୍ତି। 

ବାସ୍ତବ କଥା ହେଉଛି, ଆଶାୟୀଙ୍କ ସଂଖ୍ୟା ବହୁତ। ମାତ୍ର ସରକାରୀ ବ୍ୟବସ୍ଥା ସୀମିତ। ତେଣୁ ଅନେକ ହବିଷ୍ୟାଳି ସରକାରୀ ବ୍ୟବସ୍ଥାରେ ରହିବାକୁ ଚାହୁଁଥିଲେ ବି ନିରାଶ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବହୁ ହବିଷ୍ୟାଳି ଲଗାତାର କାର୍ତ୍ତିକ ବ୍ରତ ପାଳନ ପାଇଁ ଶିବିରକୁ ଆସୁଛନ୍ତି। ପୁଣି ଅନେକ ବାରମ୍ବାର ଚେଷ୍ଟା କରି ମଧ୍ୟ ପଞ୍ଜୀକରଣ କରିପାରୁନାହାନ୍ତି କି ଏ ସୁଯୋଗ ପାଉନାହାନ୍ତି। ଗୋଟିଏ ବର୍ଷ ସୁଯୋଗ ପାଉଥିବା ହବିଷ୍ୟାଳି ଯଦି ପୁନର୍ବାର ସୁଯୋଗ ନପାଇ ଅନ୍ୟ ଆଶାୟୀମାନେ ସୁଯୋଗ ପାଆନ୍ତେ ତେବେ ଅନ୍ୟ ହବିଷ୍ୟାଳିମାନେ ମଧ୍ୟ ଏହି ସରକାରୀ ସୁଯୋଗ ପାଇପାରନ୍ତେ। ମାତ୍ର ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥାରେ ସେଭଳି କୌଣସି ମାର୍ଗଦର୍ଶିକା କିମ୍ବା ପ୍ରାବଧାନ ନଥିବାରୁ ଯେଉଁମାନେ ଅନ୍‌ଲାଇନ୍‌ରେ ତ୍ବରିତ ପଞ୍ଜୀକରଣ କରିପାରୁଛନ୍ତି ସେମାନେ ଏହି ସୁଯୋଗ ହାତେଇ ନେଉଛନ୍ତି। 
ଖବର ନେବାରେ ଜଣାପଡ଼ିଛି ୪ଟି ହବିଷ୍ୟାଳି ଶିବିରରେ ପ୍ରାୟ ୩ଶହରୁ ଅଧିକ ହବିଷ୍ୟାଳି ବିନା ପଞ୍ଜୀକରଣରେ ବସି ରହି ସେମାନଙ୍କୁ ଆଶ୍ରୟ ପାଇଁ ଅଡ଼ି ବସିଥିଲେ। ଶେଷରେ ପ୍ରଶାସନ ସେମାନଙ୍କୁ ବୁଝାଇ ସୁଝାଇ ରେଳ ଷ୍ଟେସନସ୍ଥିତ ପର୍ଯ୍ୟଟନ କମ୍ପ୍ଲେକ୍ସକୁ ନେଇ ଆଶ୍ରୟ ଦେଇଛନ୍ତି। ଯଦି ଆସନ୍ତା କାଲି ସୁଦ୍ଧା ୨୫ଶହ ପଞ୍ଜୀକୃତ ହବିଷ୍ୟାଳିଙ୍କ ମଧ୍ୟରୁ କେହି ଅନୁପସ୍ଥିତ ରୁହନ୍ତି, ତେବେ ସେମାନଙ୍କ ସ୍ଥାନରେ ଅଧିକ ବୟସ ଭିତ୍ତିରେ ଅନ୍ୟମାନଙ୍କୁ ଆଶ୍ରୟ ମିଳିବ ଏବଂ ଅନ୍ୟମାନେ ନିଜ ବ୍ୟବସ୍ଥାରେ ରହିବାକୁ ପଡ଼ିବ। ପଞ୍ଜୀକୃତ ୨୫୦୦ ହବିଷ୍ୟାଳିଙ୍କ ମଧ୍ୟରୁ ୧୯୫୦ ଆଜି ସୁଦ୍ଧା ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe