ଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ ମାମଲା: ଦିବ୍ୟାଙ୍ଗ, ବୟସ୍କ, ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନିର୍ଦ୍ଦେଶ

Advertisment
ଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ ମାମଲା: ଦିବ୍ୟାଙ୍ଗ, ବୟସ୍କ, ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନିର୍ଦ୍ଦେଶ

କଟକ : ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ସହଜ, ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ଦର୍ଶନ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ବୟସ୍କ, ଭିନ୍ନକ୍ଷମ, ମହିଳା ଓ ଶିଶୁଙ୍କ ପାଇଁ ତୁରନ୍ତ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଲାଗି ଜିଲ୍ଲା ପ୍ରଶାସନ, ଅଲାରନାଥ ମନ୍ଦିର ପ୍ରଶାସନ/କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଶ୍ରଦ୍ଧାଳୁଙ୍କ ପାଇଁ ଗାଡି ପାର୍କିଂସ୍ଥଳରୁ ମନ୍ଦିର ପର୍ଯ୍ୟନ୍ତ ଯିବା ଆସିବା କରିବା ଲାଗି ବ୍ୟାଟେରି କାର୍ ବ୍ୟବସ୍ଥା କରାଯିବ। ଧାଡିରେ ଯାଇ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସେଡ୍‌ରେ ଲଗାଯାଇଥିବା ସିଲିଂ ଫ୍ୟାନ୍ ଗୁଡିକ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସିଲିଂ ଫ୍ୟାନ୍ ସହିତ ବ୍ୟାରିକେଡ୍ ବାହାର ପଟେ ପେଡେଷ୍ଟାଲ ଫ୍ୟାନ୍ ବ୍ୟବସ୍ଥା କରାଯିବ।

ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ୍ ପାଖରେ ମୋବାଇଲ ଟଏଲେଟ ବ୍ୟବସ୍ଥା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭିଡ ଏଡ଼ାଇବା ପାଇଁ ମନ୍ଦିର ପରିସର ଭିତରେ ପ୍ରସାଦ ସେବନ ଉପରେ କଟକଣା/ନିୟନ୍ତ୍ରଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଦର୍ଶନ ସମୟ ସଂକ୍ରାନ୍ତରେ ପ୍ରତିଦିନ ଗଣମାଧ୍ୟମରେ ସୂଚନା ପ୍ରକାଶ କରାଯିବା ସହିତ ବୈଦ୍ୟୁତିକ ଗଣମାଧ୍ୟମରେ ଏନେଇ ତଥ୍ୟ ପ୍ରସାର କରାଯିବ। ଜୁନ ୫ ଓ ୬ ତାରିଖରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ମନ୍ଦିରର ଅର୍ଗଳି ଅଞ୍ଚଳରୁ ଭକ୍ତମାନେ କରୁଛନ୍ତି ବୋଲି ବ୍ରହ୍ମଗିରି ତହସିଲଦାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଉତ୍ସବ ଶେଷ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଗଳି ଅଞ୍ଚଳ ବାହାରେ କାହାକୁ ଦର୍ଶନ ପାଇଁ ନେବାକୁ କୌଣସି ସେବକଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଚଳାଚଳକୁ କଂଟ୍ରୋଲ‌ରୁମରେ ଥିବା ସିସିଟିଭି ମାଧ୍ୟମରେ ତଦାରଖ କରାଯିବ। ଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେବା ସହିତ ମଧୁସୂଦନ ପୂଜାପଣ୍ଡାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଅାବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ସୂଚନାଯୋଗ୍ୟ ଯେ ଲକ୍ଷାଧିକ ଶ୍ରଦ୍ଧାଳୁ ଅଲାରନାଥ ମନ୍ଦିରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ ମଧୁସୂଦନ ପୂଜାପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଲକ୍ଷ୍ମୀଧର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe