ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଦୁଆନପାଲି ଗାଁରେ ପ୍ରେମିକାଙ୍କ ଘର ସମ୍ମୁଖରୁ ପ୍ରେମିକଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର ମାମଲା ଚାଞ୍ଚଲ୍ୟ ଖେଳାଇଛି। ପେଟରେ ଗଭୀର କ୍ଷତ ଲାଗିଥିବା ବେଳେ ପୁଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରିଛି।
ସୂଚନା ଅନୁସାରେ, ଦୁଆନପାଲି ଗାଁର କଲେଜ ପଢୁଆ ଝିଅ ଓ ଦେଓଗାଁ ଥାନା କୁନ୍ଦପଥର ଗାଁର କଲେଜ ପଢୁଆ ପୁଅ ଗାନ୍ଧୀ ଷାଣ୍ଢଙ୍କ ମଧ୍ୟରେ ବହୁଦିନ ହେଲା ପ୍ରେମ ସଂପର୍କ ଥିଲା। ଫେସ୍ବୁକରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ଆଗକୁ ବଢ଼ିଥିଲା। ପରସ୍ପର ଅନେକ ଥର ଭେଟ ହୋଇ ବୁଲିବାକୁ ବି ଯାଉଥିଲେ। କିନ୍ତୁ ଉଭୟଙ୍କ ଏହି ସଂପର୍କକୁ ପରିବାର ଲୋକେ ଗ୍ରହଣ କରିନଥିଲେ। ଫଳରେ ଗତ ଚାରି ମାସ ତଳେ ନୂଆଁଖାଇ ସମୟରେ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟେ ସୁସ୍ଥ ହେବା ପରେ ଉଭୟଙ୍କ ପରିବାର ଦୁଇ ଜଣଙ୍କୁ ଆଉ ମିଶିବାକୁ ଦେଇନଥିଲେ। ଦୁଇ ଜଣଙ୍କ କଥାବାର୍ତ୍ତା ବନ୍ଦ କରି ଦିଆଯାଇଥିଲା। ପ୍ରେମରେ ପାଗଳ ଗାନ୍ଧୀ ପେଣ୍ଟସାର୍ଟ ଚାର୍ଜର ଧରି ରବିବାର ନିଜ ଘରୁ ବାହାରିଥିଲେ। ଇନଷ୍ଟ୍ରାଗାମରେ ଲେଖିଥିଲେ ମି ୟୁ ଅଲ୍। ଯାହା ଜଣାପଡୁଛି ପ୍ରେମିକାକୁ ଧରି ଫେରାର ହେବାର ଯୋଜନା କରିଥିଲେ।
କିନ୍ତୁ ରବିବାର ସଂଧ୍ୟାରେ ତାଙ୍କ ଶବ ମିଳିଥିଲା। ପ୍ରେମିକାଙ୍କ ବାପା, ମା’ଙ୍କ କହିବାନୁସାରେ, ପ୍ରେମିକ ଗାନ୍ଧୀ ଘରକୁ ଆସି ପ୍ରଥମେ ପ୍ରେମିକାଙ୍କ ମା’ଙ୍କୁ ନମସ୍କାର କରିଥିଲେ। ତାପରେ ଝିଅକୁ ଭଲ ପାଉଛି, ବାହା ହେବି ବୋଲି କହିଥିଲେ। କିନ୍ତୁ ଝିଅ ଘର ଲୋକ ସଫା ସଫା ମନା କରି ଦେଇଥିଲେ। ହଠାତ ପ୍ରେମିକ ଗାନ୍ଧୀ ଛୁରି କାଢ଼ି ନିଜ ପେଟରେ ଭୁସି ଦେଇଥିଲେ। ତାପରେ ଘରୁ ବାହାରକୁ ଆସି ଛଟପଟ ହେଉଥିଲେ। ସ୍ଥାନୀୟ ୱାର୍ଡସଭ୍ୟ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ରାତିରେ ତଦନ୍ତ କରିଥିଲା। ସୋମବାର ସକାଳୁ ସାଇଣ୍ଟିଫିକ ଟିମ୍ ବି ତଦନ୍ତ କରିଥିଲା। ଘଟଣାରେ ବ୍ୟବହାର କରାଯାଇଥିବା ଛୁରିକୁ ବାଡ଼ିପଟରୁ ଜବତ କରାଯାଇଥିଲା। ପୁଲିସକୁ ପ୍ରେମିକାଙ୍କ ପରିବାର ଲୋକ ଭୟରେ ଛୁରି ଲୁଚାଇ ଦେଇଥିଲେ ବୋଲି କହିଛନ୍ତି। ଅନ୍ୟପଟେ ମୃତ ପ୍ରେମିକଙ୍କ ପରିବାର ଲୋକ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ସେମାନେ ଏଭଳି କରିଥିବା ଅଭିଯୋଗ କରିଛନ୍ତି। ମୃତ ଗାନ୍ଧୀଙ୍କ ବଡ଼ଭାଇ ଶ୍ରୀବତ୍ସ ଷାଣ୍ଢ ତାଙ୍କ ଭାଇକୁ ଛୁରି ଭୁସି ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଏ ନେଇ ଏସ୍ଡିପିଓ ତୋଫାନ ବାଗଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି ରହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସେ କହିଥିଲେ।
Follow Us