ଉଦ୍‌ଯାପିତ ହେଲା ଜଉକଣ୍ଢେଇ ବାହାଘର ଉତ୍ସବ

ଉଦ୍‌ଯାପିତ ହେଲା ଜଉକଣ୍ଢେଇ ବାହାଘର ଉତ୍ସବ

ବାଲେଶ୍ୱର: ବାଲେଶ୍ବର ସହରର ଆଇଟିଆଇ ପଡ଼ିଆରେ ପାଞ୍ଚଦିନ ଧରି ଚାଲିଥିବା ଜଉକଣ୍ଢେଇ ବାହାଘର ଉତ୍ସବ ରବିବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଛି। ଗୀତଗୋବିନ୍ଦର ସ୍ରଷ୍ଟା ଜୟଦେବଙ୍କ ସହ ବୈଦିକ ରୀତିନୀତିରେ ପଦ୍ମାବତୀଙ୍କ ବିବାହ ଉତ୍ସବ ମହା‌ସମାରୋହରେ ସମାପନ ହୋଇଥିଲା।

ବାଲେଶ୍ବର ଆଇଟିଆଇ ପ୍ରାଙ୍ଗଣରେ ଦୁଇଶହରୁ ଅଧିକ ଦୋକାନ ସହ ମୀନାବଜାର ବେଶ ଆକର୍ଷଣୀୟ ହୋଇଥିଲା । ସହର ଓ ସହର ବାହାରୁ ହଜାର ହଜାର ଲୋକ ସପରିବାର ଏହି ମେଳାକୁ ଉପଭୋଗ କରୁଥିଲେ। ବିଶେଷ ଭାବରେ ଛୋଟଛୋଟ ପିଲାମାନଙ୍କର ବିଳମ୍ବିତ ରାତ୍ରି ଯାଏ ମେଳାରେ ବୁଲିବା ଲାଗି ରହିଥିଲା । ଆଇଟିଆଇ ପଡ଼ିଆର ମଧ୍ୟଭାଗରେ ଏକ ସୁସଜ୍ଜିତ ବେଦି ଉପରେ ଜୟଦେବ ଓ ପଦ୍ମାବତୀଙ୍କୁ ଲୋକେ ଦର୍ଶନ କରୁଥିଲେ ।

ମଇ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ ଯାହା ଓଡ଼ିଶା ସରକାରଙ୍କର ସାଂସ୍କୃତିକ ବିଭାଗ ସୌଜନ୍ୟରେ ଅନୁଷ୍ଠିତ ହେଉଥିଲା । ଏହାଛଡ଼ା ସରକାରଙ୍କର କଳା ଓ ସଂସ୍କୃତିର ଷ୍ଟଲ୍‌ମାନ ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଥିଲା। ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଆପଣାର ବହୁମୂଲ୍ୟ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଜଉ କଣ୍ଢେଇ ବାହାଘର ସମିତିର କର୍ମକର୍ତ୍ତମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ।

୨୯ ତାରିଖ ସନ୍ଧ୍ୟାରେ  ଅତିଥି ଭାବରେ  ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ଗିରି ବାଲେଶ୍ବରର ଜଉକଣ୍ଢେଇ ସଂସ୍କୃତି ଓ ଶିଳ୍ପ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶେଷ ସନ୍ଧ୍ୟାରେ କବି ପ୍ରଶାନ୍ତ ଦାସ, ଯୁବ ଉଦ୍ୟୋଗୀ ସଂଗ୍ରାମ ଦାସ,ଆଇଟିଆଇ ବାଲେଶ୍ବରର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପରିଡ଼ା, ବର ପିତା ମାତା କୈଳାସ ଚନ୍ଦ୍ର ପରିଡ଼ା ଓ ସୁପ୍ରିୟା ପରିଡ଼ା, କନ୍ୟା ପିତାମାତା ମଦନ ସରାଓଗି ଓ ଅଞ୍ଜୁ ସରାଓଗି, ଲୋକସମ୍ପର୍କ ପଦାଧିକାରୀ ମନୋଜ କୁମାର ପାଢ଼ୀ ଯୋଗଦେଇ ଜଉକଣ୍ଢେଇ ବାହାଘରର ଭୂୟଶୀ ପ୍ରଶଂସା କରିଥିଲେ। ଜଉକଣ୍ଢେଇ ଉତ୍ସବ ସମିତିର ସଭାନେତ୍ରୀ ସୁବାସିନୀ ଜେନା ପୌରୋହିତ୍ୟ କରି ଏହି ସବୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସେମାନଙ୍କର ସେବା ଓ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରିଥିଲେ। ସମିତିର ଉପଦେଷ୍ଟା ଇଂ. ହୃଷିକେଶ ସାହୁ ପ୍ରାକ୍‌କଥନ ରଖିଥିବା ବେଳେ ସହ ସମ୍ପାଦକ ରାଜେଶ କୁମାର ଗିରି ଶେଷକଥା ରଖିଥିଲେ।

ଏହି ଅବସରରେ ଆଟିଆଇର ଅଧ୍ୟକ୍ଷ କୃଷ୍ଣଚରଣ ରାଉତ ଓ ରାଧାନାଥ ରଥଙ୍କୁ କମିଟି ପକ୍ଷରୁ  ସମ୍ବର୍ଦ୍ଧନ‌ା ପ୍ରଦାନ କରାଯାଇଥିଲା। ଶେଷ ସନ୍ଧ୍ୟାର ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ବାଲେଶ୍ୱର ବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପାଞ୍ଚଦିନ ବ୍ୟାପୀ ସମାରୋହକୁ ସଫଳ କରିବା ଦିଗରେ ଶିଳ୍ପୀ କେଶୁଦାସ, ବ୍ରହ୍ମ ରଥ, ରାଜେଶ ଗିରି, ରଘୁନାଥ ଲେଙ୍କା, ପରେଶ ଦାସ, ଉପେନ୍ଦ୍ର କୁମାର ପାତ୍ର, ବ୍ୟୋମ ରଥ, କୁମାର ଗୋପାଳ, ରାଧାକୃଷ୍ଣ ଦାସ, ହୃଷିକେଶ ସାହୁ, ରାଧାନାଥ ରଥ, ଆଲୋକ କୁମାର ସାହୁ, ମାରୁୱାଡ଼ି ମହିଳା ସମ୍ମେଳନର ସଭାନେତ୍ରୀ ପ୍ରିୟା ଅଗ୍ରୱାଲ୍‌ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe