India.com
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ପଦବିରୁ ଟି ପ୍ରସାଦ ରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଶ୍ରୀ ଦୋରା ବିଜେଡିର ଜଣେ ଆଗଧାଡ଼ିର ସମବାୟ ନେତା ଥିଲେ। ସାଧାରଣ ନିର୍ବାଚନ ପରେ ସମବାୟ କ୍ଷେତ୍ରରେ ନୂଆ ସରକାରଙ୍କର ଏହି ବଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗତ ଜୁଲାଇ ୩୧ ତାରିଖରେ ରାଜ୍ୟ ସରକାର ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡକୁ ନିଲମ୍ବନ କରିଥିଲେ। ବ୍ୟାଙ୍କ ସଭାପତି ଶ୍ରୀ ଦୋରାଙ୍କ ନାମରେ ଆସିଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମବାୟ ବିଭାଗର ସଚିବଙ୍କୁ ବ୍ୟାଙ୍କ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଏକ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି ବ୍ୟାଙ୍କର ସଭାପତିଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ତଦନ୍ତ କରିଥିଲେ ଏବଂ ଏହା ପ୍ରମାଣିତ ହୋଇଥିଲା। ତେଣୁ ଶ୍ରୀ ଦୋରାଙ୍କୁ ନିର୍ଦ୍ଦେଶକ ଓ ସଭାପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ଗତ ୯ ତାରିଖରେ ସମସ୍ତ ନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇଛି। ଏହା ସହ ତାଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶୀର୍ଷ ସମବାୟ ସଂସ୍ଥା ଭାବେ ପରିଚିତ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା କମିଟିରେ ୨୧ ଜଣ ନିର୍ବାଚିତ ନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ଜଣେ ସଦସ୍ୟ ଇସ୍ତଫା ଦେଇଥିଲା ବେଳେ ଏବେ ଶ୍ରୀ ଦୋରାଙ୍କୁ ବରଖାସ୍ତ କରାଯାଇଥିବାରୁ ଦୁଇଟି ନିର୍ଦ୍ଦେଶକ ପଦବି ଖାଲି ପଡ଼ିଛି। ଏହି ଦୁଇଟି ପଦବି ସହ ସଭାପତି ପଦବି ପାଇଁ ନିର୍ବାଚନ ହେବ। ରାଜ୍ୟ ସରକାର ନିର୍ବାଚନ ପାଇଁ ସୁପାରିସ୍ କଲା ପରେ ସମବାୟ ନିର୍ବାଚନ କମିସନ୍ ଏ ନେଇ ପ୍ରକ୍ରିୟା ଆରମ୍ଭ କରିବେ।
Follow Us