କାର୍ଯ୍ୟକାଳ ପୂର୍ବରୁ ଅବ୍ୟାହତି ନେବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି

Advertisment
କାର୍ଯ୍ୟକାଳ ପୂର୍ବରୁ ଅବ୍ୟାହତି ନେବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି

News Room Odisha

ଭୁବନେଶ୍ବର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ସେ ପଦ ଛାଡ଼ିବାକୁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କଠାରୁ ଅନୁମତି ଲୋଡ଼ିଥିଲେ। ତାଙ୍କ ଅନୁମତିପତ୍ରକୁ କୁଳାଧିପତି ଗ୍ରହଣ କରିଛନ୍ତି। ଆସନ୍ତା ଅକ୍ଟୋବର ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏପ୍ରିଲ ମାସରେ ସେ ପଦ ଛାଡ଼ିବେ। ସେପଟେ ନୂତନ କୁଳପତି ଚୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରଫେସରମାନେ ରାଜ୍ୟର ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନର କୁଳପତି ପଦ ପାଇଁ ଆବେଦନ କରିପାରିବେ। ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୁଳପତି ପଦବି ଲାଗି ଯେଉଁ ପ୍ରଫେସର ଆବେଦନ କରିବେ ୨୦୨୨ ମେ’ ପହିଲା ସୁଦ୍ଧା‌ ତାଙ୍କ ବୟସ ୬୩ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ। ଆବେଦନକାରୀଙ୍କର ବିଶ୍ବବିଦ୍ୟାଳୟ ବ୍ୟବସ୍ଥାରେ ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସର ବର୍ଗର ସମାନ ପଦରେ ରହିଥିବେ।

କୁଳପତି ଭାବେ ନିଯୁକ୍ତ ହେବା ପରେ ମାସକୁ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ପାଇବେ। ଏଥିସହ ମାସକୁ ୧୧ ହଜାର ୨୫୦ ଟଙ୍କାର ସ୍ବତନ୍ତ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବି ମିଳିବ। କାର୍ଯ୍ୟରେ ଯୋଗଦେବାଠାରୁ କୁଳପତିଙ୍କର କାର୍ଯ୍ୟକାଳ ୪ ବର୍ଷ ହେବ। ନଚେତ୍‌ ୬୭ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦବିରେ ରହିପାରିବେ। ଯେଉଁଟା ଆଗ ହେବ ତାହାକୁ ଗ୍ରହଣ କରାଯିବ। ଆଗ୍ରହୀ ପ୍ରଫେସରମାନେ ନିର୍ଦ୍ଧାରିତ ଆବେଦନପତ୍ର ପୂରଣ କରି ‘hedsec.od@nic.in’ ମାଧ୍ୟମରେ ଆବେଦନ କରିପାରିବେ। ଏହାବ୍ୟତୀତ ଗୋଟିଏ ସେଟ୍‌ ଆବେଦନପତ୍ର(ହାର୍ଡକପି) ସହ ସମସ୍ତ ଡକ୍ୟୁମେଣ୍ଟ ସଂଯୋଗ କରି ସ୍ପିଡ୍‌ପୋଷ୍ଟରେ ପଠାଇପାରିବେ। ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆବେଦନପତ୍ର ଉଚ୍ଚଶିକ୍ଷା ବିଭାଗ ନିକଟରେ ପହଞ୍ଚିବା ଆବଶ୍ୟକ। ଏହା ପରେ ପହଞ୍ଚିଥିବା କୌଣସି ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ଆବେଦନକାରୀମାନେ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ ‘www.dheodisha.gov.in’ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ‌ ୱେବସାଇଟ୍‌ରୁ www.buodisha.edu.in ଆବେଦନ ଫର୍ମ ଡାଉନ୍‌ଲୋଡ କରିପାରିବେ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ତିନି ଜଣିଆ ଚୟନ କମିଟି ଗଠନ କରାଯିବ। ଯେଉଁମାନେ ଆବେଦନକାରୀମାନଙ୍କ ସାକ୍ଷାତକାର ନେବେ। ଏହି ସାକ୍ଷାତକାର ପରୀକ୍ଷା ଭୁବନେଶ୍ବରଠାରେ ଫିଜିକାଲ୍‌ ମୋଡ୍‌ରେ ଅନୁଷ୍ଠିତ ହେବ। ଏହାପରେ ଚୟନ କମିଟି ପକ୍ଷରୁ ୩ ଜଣ ଯୋଗ୍ୟ ପ୍ରଫେସରଙ୍କ ନାମ କୁଳାଧିପତିଙ୍କ ନିକଟକୁ ପଠାଯିବ। ସେମାନଙ୍କ ସାକ୍ଷାତକାର ନେବା ପରେ କୁଳାଧିପତି ଜଣଙ୍କୁ କୁଳପତି ଭାବେ ଚୟନ କରିବେ। ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ନିବାସୀ ପ୍ରଫେସର ଚକ୍ରପାଣି ୨୦୧୯ ଅକ୍ଟୋବରରେ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe