ଆରମ୍ଭ ହେଲା ରଥ ଭଙ୍ଗା

ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ରଥ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି। ଦ୍ବାଦଶ ଯାତ୍ରା ସରିବା ପରେ ପାର୍ଶ୍ବ ଦେବାଦେବୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। କଳସ ଓ ଓଲଟ ଶୁଆ ଓହ୍ଲାଇବା ସରିଥିଲା।

Untitled-9

ପୁରୀ: ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ରଥ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି। ଦ୍ବାଦଶ ଯାତ୍ରା ସରିବା ପରେ ପାର୍ଶ୍ବ ଦେବାଦେବୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। କଳସ ଓ ଓଲଟ ଶୁଆ ଓହ୍ଲାଇବା ସରିଥିଲା। ଶ୍ରୀମନ୍ଦିର ପ୍ରଶାସନଠୁ ଚିଠି ପାଇବା ପରେ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଆଜି ୯ ଜଣ ଭୋଇ ସେବକ ରଥ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରଥମ ଦିନରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା ଯାଇଛି। କଳସରୁ ଆରମ୍ଭ କରି ପାରା ଭାଡ଼ି ଓ ଦ୍ବାରବେଢ଼ା ଆଦି ପ୍ରଭା ପର୍ଯ୍ୟନ୍ତ ଭଙ୍ଗାଯାଇଛି। ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଶେଷ ହେବା ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାକାର୍ଯ୍ୟ ଆରମ୍ଭ ହେବ।

ଏନେଇ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ନଡ଼ିଆ ମାହାର୍ଦ୍ଦ ନେଇ ପୂଜାର୍ଚ୍ଚନା ପରେ ରଥ ଭଙ୍ଗା କାର୍ଯ୍ୟ ଅନୁକୂଳ କରାଯାଇଛି। ଗୋଟିଏ ରଥକୁ ଭାଙ୍ଗିବା ପାଇଁ ଅନ୍ୟୁନ ୪-୫ ଦିନ ସମୟ ଲାଗିବ। ତେଣୁ ୩ ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ବେଳକୁ ୧୨ରୁ ୧୫ ଦିନ ସମୟ ଲାଗିବ। ରଥ ଭଙ୍ଗା ଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ଼, ଗୁଜ ଓ ଚକ ସମେତ ସମସ୍ତ ରଥ ଅଙ୍ଗ ନେଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ମଶାଣି ଚଣ୍ଡୀଙ୍କ ନିକଟରେ ସ୍ଥାପନ ହୋଇଥିବା ରଥ ଗୋଦାମରେ ରଖାଯିବ। କେବଳ ରଥ ସାରଥୀଙ୍କୁ ନେବା ସମ୍ଭବ ହେଉନଥିବାରୁ ସାରଥୀ ନରେନ୍ଦ୍ର ମହଲା ସ୍ଥାନରେ ରହିବେ। ରଥର ଚକ, ଅସୁଆରି, ଗୁଜ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିକ୍ରି ବ୍ୟବସ୍ଥା କରାଯିବ। ତେବେ ମହାରଣା ସେବକଙ୍କୁ ତିନି ରଥର ୧୨ଟି ଦ୍ବାରବେଢ଼ା ପ୍ରାପ୍ୟ ଭାବେ ପ୍ରଦାନ କରାଯିବ। ତିନି ରଥର ମୁଖ୍ୟ ମହାରଣା ନିଜ ଦଳ ଦ୍ବାରା ନିର୍ମିତ ରଥର ଦ୍ବାର ବେଢ଼ା ନେବାର ବିଧି ଚଳିଆସିଛି।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ବାଡ଼ର ମୁଖ୍ୟ ଭୋଇ ସେବକ କାର୍ତ୍ତିକ ଭୋଇ କହିଛନ୍ତି, ପ୍ରଥମେ ଦେବଦଳନ ରଥର ନାହାକା ଭାଙ୍ଗି ରଥ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ରଥର ବିଭିନ୍ନ ଅଙ୍ଗ ବ୍ୟତୀତ ବଳି ପଡ଼ୁଥିବା ଅନ୍ୟ କାଠ ସବୁକୁ କୋଠ‌ ଭୋଗ ରୋଷେଇରେ ଜାଳେଣି ଭାବେ ବ୍ୟବହୃତ କରାଯିବ। ଏହାକୁ ପ୍ରାୟ ୬-୭ ମାସ ପର୍ଯ୍ୟନ୍ତ ଜାଳି କୋଠ ଭୋଗ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରେ ଭୋଇ ସେବକମାନେ ଚାରମାଳ ଖୋଲିଥିଲେ। ପରେ ରଥରୁ ସାରଥୀ ଘୋଡ଼ା, ଶିଖର ଡମ୍ବରୁ, କନିଆପଟା, ହଂସପଟା ଆଦି ଖୋଲାଯାଇ 
ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପକ୍ଷରେ ଦେବଦଳନ ରଥରେ ଲାଗିଥିବା କଣ୍ଟା ଫଳ ଫଳୁନଥିବା ଗଛରେ ବାଡ଼େଇବା ଦ୍ବାରା ଫଳ ହେବାର ବିଶ୍ବାସ ରହିଛି। ତେଣୁ ଏହି କଣ୍ଟା ନେବା ପାଇଁ ସେଠାରେ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବହୁ ଭକ୍ତ ରଥ କାଠ କିଣିବା ପାଇଁ ନିବେଦନ କରିଥିଲେ। କିନ୍ତୁ କାଠ କିମ୍ବା କଣ୍ଟା ଦିଆଯାଇନଥିଲା।  ରଥ ଭଙ୍ଗା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ରଥ ଗୋଦାମ ଗତକାଲି ପୂଜା ହେବା ପରେ ସେଠାକୁ ସମସ୍ତ ରଥାଂଶ ପର୍ଯ୍ୟାୟକ୍ରମେ ସ୍ଥାନାନ୍ତର କରାଯିବ। ସେଠାରେ ସିସିଟିଭି ବ୍ୟବସ୍ଥା ଭିତରେ ଏସବୁ ରହିବ। ତିନି ରଥର ଚକ, କୋଣ ଗୁଜ, ଅସୁଆରି ଭକ୍ତମାନେ ନିଲାମ ପ୍ରକ୍ରିୟାରେ କିଣି ନେଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe