ମୁଖ୍ୟଯନ୍ତ୍ରୀମାନଙ୍କୁ ବାରମ୍ବାର ରାଜଧାନୀ ଡାକରା ନେଇ ତାଗିଦ୍‌

Advertisment
ମୁଖ୍ୟଯନ୍ତ୍ରୀମାନଙ୍କୁ ବାରମ୍ବାର ରାଜଧାନୀ ଡାକରା ନେଇ ତାଗିଦ୍‌

ଭୁବନେଶ୍ବର : ଜଳସମ୍ପଦ ବିଭାଗରେ ଏବେ ମୁଖ୍ୟଯନ୍ତ୍ରୀମାନଙ୍କ ବାରମ୍ବାର ବୈଠକ ନେଇ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ତାଗିଦ୍‌ କରିଛନ୍ତି। ବିଭାଗରେ ପ୍ରାୟ ୧୫ରୁ ଅଧିକ ମୁଖ୍ୟ ଯନ୍ତ୍ରୀ ଥିବାବେଳେ ୧୨ରୁ ଅଧିକ ମୁଖ୍ୟ ଯନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି। ହେଲେ ମାସର ଅଧିକାଂଶ ସମୟରେ ମୁଖ୍ୟଯନ୍ତ୍ରୀମାନେ ବୈଠକ ପାଇଁ ଭୁବନେଶ୍ବରରେ ଡେରା ପକାଉଥିବାରୁ ବହୁ ପ୍ରକଳ୍ପର ନିୟମିତ ସମୀକ୍ଷା ହୋଇପାରୁନି କି କାମ ଆଗେଇ ପାରୁନି। ତେଣୁ ମୁଖ୍ୟଯନ୍ତ୍ରୀମାନଙ୍କର ବାରମ୍ବାର ବୈଠକ କରିବାକୁ ସ୍ବତନ୍ତ୍ର ସଚିବ ତାଗିଦ୍‌ କରିଛନ୍ତି।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପ୍ଲାନିଂ ଏବଂ ଡିଜାଇନ୍‌ର ସର୍ବୋଚ୍ଚ ଯନ୍ତ୍ରୀ, ପ୍ରୋକ୍ୟୁରମେଣ୍ଟର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖି ତାଗିଦ୍‌ କରିବା ସହ ସ୍ବତନ୍ତ୍ର ସଚିବ କହିଛନ୍ତି ଯେ, ମୁଖ୍ୟ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନେ ରାଜୀବ ଭବନ, ସେଚସଦନକୁ ବାରମ୍ବାର ବିଭିନ୍ନ ବୈଠକ ପାଇଁ ଆସୁଛନ୍ତି। ଏହାଦ୍ବାରା କାମ ବାଧାପ୍ରାପ୍ତ ହେଉଛି। ବିଶେଷକରି ଯେଉଁ ସମୟରେ ଅଧିକ କାମ ହେବା କଥା ତାହା ହୋଇପାରୁନି। ତେଣୁ ମୁଖ୍ୟ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନେ ବୈଠକରେ ଶାରୀରିକ ଭାବେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାନଯାଉ। ଯଦି ଅତି ଜରୁରୀ ବୈଠକ ଅଛି ତେବେ ସେମାନଙ୍କୁ ଭୁବନେଶ୍ବର ଡକାଯାଉ। ସେମାନେ ତାଙ୍କ ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ଧାର୍ଯ୍ୟ ସମୟରେ ଅଫିସ ଯାଇପାରିବେ।

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କିଛି ମୁଖ୍ୟ ଯନ୍ତ୍ରୀ ମିଟିଂ ନାଁରେ ବାରମ୍ବାର ଭୁବନେଶ୍ବର ଆସୁଥିବାବେଳେ ସପ୍ତାହ ସପ୍ତାହ ଧରି ତାଙ୍କ କାର୍ଯ୍ୟାଳୟ ଯାଉନାହାନ୍ତି। ଯେଉଁଥିପାଇଁ ବିଭିନ୍ନ ପ୍ରକଳ୍ପର ନିୟମିତ ସମୀକ୍ଷା ହୋଇପାରୁନି। ରାଜ୍ୟ ସରକାର ୨୦୨୪ ସୁଦ୍ଧା ବିଭିନ୍ନ ମେଗା ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଥିବାରୁ ମୁଖ୍ୟଯନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରକଳ୍ପର ତଦାରଖ ଓ ନିୟମିତ ସମୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe