ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଧାନ ବିଚାରପତି

Advertisment
ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଧାନ ବିଚାରପତି

ପୁରୀ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରାପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ଶନିବାର ଦିନ ପତ୍ନୀ ଅମିତା ଲଳିତଙ୍କ ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଆଜି ଅପରାହ୍ଣ ପ୍ରାୟ ୫ଟା ୧୫ରେ ଜଷ୍ଟିସ୍‌ ଲଳିତ ପତ୍ନୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀ ଓ କୌଳିକ ପଣ୍ଡା ତାଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ଜଷ୍ଟିସ୍‌ ଲଳିତଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିବା ବରିଷ୍ଠ ସେବାୟତ ମଧୁସୂଦନ ସିଂଘାରୀ କହିଛନ୍ତି, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ ପରେ ଦୁର୍ଗାମାଧବ, ମା’ ବିମଳା, ରାଧାକୃଷ୍ଣଙ୍କୁ ଦର୍ଶନ କରିଥିଲେ। ପରେ ପଶ୍ଚିମଦ୍ବାର କାନପୋତା ହନୁମାନଙ୍କୁ ଦର୍ଶନ କରିଥିଲେ। ଶେଷରେ ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର ଯାଇ ଦର୍ଶନ କରିବା ପରେ ଫେରିଯାଇଥିଲେ। ଏହି ଅବସରରେ ଶ୍ରୀ ସିଂଘାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଜଷ୍ଟିସ୍‌ ଲଳିତଙ୍କୁ ମହାପ୍ରଭୁଙ୍କ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ, ପତିତପାବନ ବାନା ଆଦି ଭେଟି ଦେଇଥିଲେ।

ସୂଚନାଯୋଗ୍ୟ, ଶନିବାର ଦିନ କଟକଠାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଅନ୍ୟ ବିଚାରପତିଙ୍କ ଗହଣରେ ରାଜ୍ୟର ୩୦ଟି ଜିଲ୍ଲା କୋର୍ଟରେ ପେପରଲେସ ୱାର୍କର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ସୁପ୍ରିମକୋର୍ଟ ଜଷ୍ଟିସ୍‌ ଡ.ଡି ୱାଇ ଚନ୍ଦ୍ରଚୁଡ଼ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ଆଜି କଟକରେ ଥିବା କାର୍ଯ୍ୟକ୍ରମ ଶେଷ ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଲଳିତ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe