ମୁଖ୍ୟମନ୍ତ୍ରୀଙ୍କୁ ‌ଘେରି ରହିଛନ୍ତି ଭ୍ରଷ୍ଟାଚାରୀ: ଅନୁଗୁଳ‌ ଓ କଟକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦୀ

Advertisment

ଏଠାରେ ଜଣେ ମାଫିଆ ସବୁ କ୍ଷେତ୍ରକୁ ନିଜ କବଳରେ ରଖିଛି

ଏଠାରେ ଜଣେ ମାଫିଆ ସବୁ କ୍ଷେତ୍ରକୁ ନିଜ କବଳରେ ରଖିଛି

ମୁଖ୍ୟମନ୍ତ୍ରୀଙ୍କୁ ‌ଘେରି ରହିଛନ୍ତି ଭ୍ରଷ୍ଟାଚାରୀ: ଅନୁଗୁଳ‌ ଓ କଟକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦୀ

ଅନୁଗୁଳ/କଟକ: ଓଡ଼ିଶା ପରି ସମୃଦ୍ଧ ରାଜ୍ୟରେ ଗରିବୀ ବହୁତ କଷ୍ଟଦାୟକ। ଏଥିପାଇଁ ଭ୍ରଷ୍ଟାଚାରୀ ବିଜେଡି ସରକାର ଦାୟୀ। ଏବେ ସରକାର ଭ୍ରଷ୍ଟ‌ାଚାରୀଙ୍କ କବ୍‌ଜାରେ ରହିଛି। ଏହା ଓଡ଼ିଶାକୁ ବରବାଦ୍‌ କରିଦେଇଛି। ଅନୁଗୁଳରେ ନିର୍ବାଚନୀ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଏମିତି ସିଧା ସିଧା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ କିଛି ଭ୍ରଷ୍ଟାଚାରୀ ନିଜ ଅକ୍ତିଆରରେ ରଖିଛନ୍ତି। କଟକ ସଭାରେ ଆଉ ପାଦେ ଆଗେଇ ଯାଇ ମୋଦୀ କହିଥିଲେ, ଓଡ଼ିଶାର ସଂସ୍କୃତିକୁ ଜାଣି ନଥିବା ବ୍ୟକ୍ତି ଏବେ ଏହାକୁ ଶାସନ କରୁଛନ୍ତି। ବିଜେଡି ସରକାରକୁ ୨୪ ବର୍ଷ ଦେଇ କି ଦେଖିଛନ୍ତି, ଏବେ ଆସନ୍ତା ୨୫ ବର୍ଷ ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି।

ଆଜି ଦୁଇଟି ଯାକ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ ମୋଦୀ। ପ୍ରଥମେ ଅନୁଗୁଳ ଉପକଣ୍ଠ ନାଲ୍‌କୋ ଷ୍ଟାଡିୟମ୍‌ରେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ। ଜୟ ଜଗନ୍ନାଥ କହି ନିଜ ବକ୍ତବ୍ୟ ଆରମ୍ଭ କରି ମୋଦୀ କହିଥିଲେ, ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ୍‌ ସରକାର ହେବାକୁ ଯାଉଛି। ଜୁନ୍‌ ୧୦ ତାରିଖରେ ରାଜ୍ୟରେ ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଓଡ଼ିଶାବାସୀ ବିଜେଡି ସରକାରକୁ ୨୫ ବର୍ଷ ହେଲା ସମର୍ଥନ ଦେଇ ଆସିଛନ୍ତି। ହେଲେ ରାଜ୍ୟବାସୀ କ’ଣ ପାଇଛନ୍ତି, ଏବେ ତାହା ହିସାବ କରିବାର ବେଳ ଆସିଛି। ରାଜ୍ୟରେ ଓଡ଼ିଶାରେ ଯୁବକ ବେକାର ବୁଲୁଛନ୍ତି। ଛୋଟମୋଟ କାମ ପାଇଁ ବାହାରକୁ ଯାଉଛନ୍ତି। ଜଳ, ଜମି, ଜଙ୍ଗଲ, ଖଣିଜ ଥାଇ ମଧ୍ୟ ରାଜ୍ୟ ପଛରେ ପଡ଼ିଛି। ଆଦିବାସୀ ଅବହେଳାର ଶିକାର ହୋଇ ଆସୁଛନ୍ତି। ଆଦିବାସୀଙ୍କ ପାଇଁ ପେସା ଆଇନ୍‌ ଲାଗୁ କରୁନାହାନ୍ତି। ଓଡ଼ିଶାରୁ ବିଜେଡି ସରକାର ହଟିବା ନିଶ୍ଚିତ। ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ କରିବ ଓ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ମୋଦୀ କହିଛନ୍ତି।

ଏଠାରେ ଜଣେ ମାଫିଆ ସବୁ କ୍ଷେତ୍ରକୁ ନିଜ କବଳରେ ରଖିଛି
ଓଡ଼ିଶାର ସଂସ୍କୃତି ଜାଣି ନଥିବା ବ୍ୟକ୍ତି ଏହାକୁ ଶାସନ କରୁଛନ୍ତି
ଏ ସରକାର ଅଧୀନରେ ଓଡ଼ିଶାର ସମ୍ପଦ କିମ୍ବା ସାଂସ୍କୃତିକ ବିଭବ ସୁରକ୍ଷିତ ନୁହେଁ
ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ଚାଲିଯାଇଛି

ନୂତନ ଖଣି ନୀତି ଅନୁଯାୟୀ ଓଡ଼ିଶାକୁ ଅଧିକ ରୟାଲିଟି ମିଳୁଛି। ଡିଏମ୍‌ଏଫ୍‌ ପାଣ୍ଠି ବାବଦରେ ରାଜ୍ୟକୁ ୨୬ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି। ଏହି ଟଙ୍କାରେ ସ୍ଥାନୀୟ ଅଞ୍ଚଳର ବିକାଶ ସମ୍ଭବ ହେଉଛି। ହେଲେ ଏହି ଟଙ୍କାରେ ବି ବିଜେଡି ସରକାର ଦୁର୍ନୀତି ଭର୍ତ୍ତି କରିଛି। ବିଜେଡି ନେତା ତାଙ୍କ ନିକଟତମ ଠିକାଦାରଙ୍କୁ କାମ ଦେଇ ଓଡ଼ିଶାବାସୀଙ୍କୁ ଲୁଟୁଛନ୍ତି। ଏହି ସରକାର ଅଧୀନରେ ଓଡ଼ିଶାର ସମ୍ପଦ କିମ୍ବା ସାଂସ୍କୃତିକ ବିଭବ ସୁରକ୍ଷିତ ନୁହେଁ। ଏଠି ଜଗନ୍ନାଥ ମନ୍ଦିର ବି ଆଉ ସୁରକ୍ଷିତ ହୋଇ ରହିନାହିଁ। ଓଡ଼ିଶାର ବିକାଶ କେବଳ ଓଡ଼ିଶାର ସନ୍ତାନ କରିପାରିବେ। ବିଜେପି ଜିତିଲେ ଓଡ଼ିଶାର ଲୋକ ହିଁ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାକୁ ଏବେ ଦ୍ରୁତ ବିକାଶ ଆବଶ୍ୟକ। ବିଜେଡି ସରକାର ଏହା କରିପାରିବ ନାହିଁ। ରାଜ୍ୟ ସରକାରଙ୍କ ବହୁ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିଛି। ଏଠି ଚାଷୀଙ୍କୁ ଧାନର ଉପଯୁକ୍ତ ଦର ମିଳୁନି। ମଣ୍ଡିରେ ବିଜେଡି ନେତା ଚାଷୀଙ୍କୁ ଲୁଟୁଛନ୍ତି। ବନଜାତ ଦ୍ରବ୍ୟର ଉଚିତ ଦର ପାଉନାହାନ୍ତି ଆଦିବାସୀ। ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ। ୪୮ ଘଣ୍ଟା ଭିତରେ ଏହା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ। ବିଜୁଳି ବିଲ୍‌ ଶୂନ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମୋଦୀ କହିଥିଲେ। ଏଥିପାଇଁ ବିଜେପିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମୋଦୀ ନିବେଦନ କରିଥିଲେ।

ପରେ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସଭାରେ ପୁଣି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ ମୋଦୀ। ସେ କହିଥିଲେ, ବିଜେଡିର ଭ୍ରଷ୍ଟାଚାର ଶାସନରେ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି। ରାଜ୍ୟ ସରକାର ଚିଟ୍‌ଫଣ୍ଡ ଘଟଣାରେ ଲୋକଙ୍କୁ ଠକିଛି। ବିଜେଡି ସରକାର ଓଡ଼ିଶାକୁ ଭୂମି, ଖଣି, ବାଲି, କୋଇଲା ମାଫିଆଙ୍କ ହାତ‌ରେ ଟେକି ଦେଇଛି। ଜଣେ ମାଫିଆ ଅଛି, ଯିଏ ରାଜ୍ୟର ସବୁ କ୍ଷେତ୍ରକୁ ନିଜ କବଳରେ ରଖିଛି। ଜୁନ ୧୦ରେ ବିଜେପି ସରକାର ଆସିଲେ ପ୍ରଥମେ ସେହି ମାଫିଆର ଅଣ୍ଟାକୁ ଭଙ୍ଗାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ମୋଦୀ ପୁଣି କହିଥିଲେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରକୁ ନେଇ ବିଜେଡି ସରକାର ଖେଳ ଖେଳୁଛି। ରତ୍ନ ଭଣ୍ଡାର ଚାବି ହଜିବା ଯାଞ୍ଚ ରିପୋର୍ଟକୁ ବିଜେଡି ସରକାର ଚାପି ଦେଇଛି। ରତ୍ନ ଭଣ୍ଡାର ଚାବି ତାମିଲନାଡ଼ୁ ଚାଲି ଯାଇଛି। ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହଜି ଯାଇଥିବା ଚାବି ଖୋଜି ବାହାର କରାଯିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ଏଥିରେ ଯିଏ ଦୋଷୀ ଥିବ ତାକୁ ଛଡ଼ା ଯିବନି।

କଟକ ଅଞ୍ଚଳରେ ଏକାଧିକ ଶିଳ୍ପ ସଂସ୍ଥାରେ ବିଜେଡି ସରକାର ଅମଳରେ ତାଲା ପଡିଛି। ବିଜେପି ସରକାରକୁ ଆସିଲେ ବନ୍ଦ ହୋଇଥିବା ସବୁ କଳ କାରଖାନାକୁ ଖୋଲାଯିବ। ବିଜୁଳି ବିଲ୍‌ ଶୂନ ହେବ। ଦେଶର ୩ କୋଟି ମହିଳା ଲକ୍ଷପତି ଦିଦି ହେବା ସହ ସୁଭଦ୍ରା ଯୋଜନାରେ ମହିଳାଙ୍କ ବିକାଶ ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ରହିଛି। ଲୋକଙ୍କ ଆଶୀର୍ବାଦରୁ ଓଡ଼ିଶାରେ ଜୁନ ୧୦ ତାରିଖରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ ଓ ଦିଲ୍ଲୀରେ ତୃତୀୟ ଥର ପାଇଁ ମୋଦୀ ସରକାର ଶପଥ‌ ନେବ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe