ଏସ୍‌ପିଙ୍କ କାନରେ ମନ୍ତ୍ର ଫୁଙ୍କିଲେ ମୁଖ୍ୟମନ୍ତ୍ରୀ: ‘ଚାପର ବଶବର୍ତ୍ତୀ ହୁଅନି, ଦୋଷୀକୁ ବାନ୍ଧ’

ଆପଣମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ, ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

mohan

ଭୁବନେଶ୍ବର: ଆପଣମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ, ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଯେଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ସେବା ସହିତ ସୁରକ୍ଷା ଓ ସାହାଯ୍ୟ ଓଡ଼ିଶା ପୁଲିସର ମୁଖ୍ୟ କାର୍ଯ୍ୟ ହେବା ଆବଶ୍ୟକ। ୩୦ଟି ଜିଲ୍ଲାର ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆହ୍ବାନ ଦେଇଛନ୍ତି। ଲୋକ‌ସେବା ଭବନ କନ୍‌ଭେନସନ୍ ସେଣ୍ଟରରେ ଚାଲିଥିବା ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିବା ଉଚିତ। ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ହେଲା, ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବା ରଣନୀତି ପ୍ରସ୍ତୁତ କରିବା ଏବଂ ଆବଶ୍ୟକ ସ୍ଥଳେ ତଦନ୍ତ ଓ ଅଭିଯୋଜନା ଶାଖା ସ୍ଥାପନ କରିବାକୁ ବିଚାର କରିବା, ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜୀକୃତ କରିବା ନଚେତ୍ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆରକ୍ଷୀ ଅଧୀକ୍ଷକମାନେ ନିୟମିତ ଥାନା ଗସ୍ତ କରିବେ,  ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ୍ ଭାବରେ କାମ କରିବା, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଏବଂ  ନିଜେ ସଚ୍ଚୋଟ ରହିବା ସହିତ ଅନ୍ୟ ଅଧିକାରୀମାନଙ୍କୁ ପ୍ରେରଣା ଦେବା, କୌଣସି ନିରୀହ ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବା, ଥାନାସ୍ତରୀୟ ଅଧିକାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ ଏବଂ ଅପରାଧୀଙ୍କ ଜ୍ଞାନ କୌଶଳଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ସବୁ ପୁଲିସ ଅଧିକାରୀମାନେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ
ପୁଲିସ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରୁ

ଏହା ସହ ମୁଖ୍ୟମନ୍ତ୍ରୀ କହିଥିଲେ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶାନ୍ତି ଓ ସୁଶାସନର ପରିବେଶ ଅତ୍ୟନ୍ତ ଆବଶ୍ୟକ। ଛୋଟ ଛୋଟ ସମସ୍ୟା ଯୋଗୁ ଯେପରି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବ, ସେଥିପ୍ରତି ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବା, ବେଆଇନ ନିଶା କାରବାର, ଜମି ମାଫିଆ ଏବଂ ଅର୍ଥନୈତିକ ଅପରାଧୀଙ୍କ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା, ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ନଜର ରଖି ନିୟମିତ ଚେକିଂ ଓ ପାଟ୍ରୋଲିଂ କରିବା, ଦ୍ରୁତ ଗତି ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡ଼ିଚାଳନା ଉପରେ ଫୋକସ୍‌ କରିବା ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ୍‌ ସିକ୍ୟୁରିଟି, କୋଷ୍ଟଗାର୍ଡ ଏବଂ ନୌବାହିନୀ ସହିତ ଉପଯୁକ୍ତ ସମନ୍ୱୟ ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ । 

ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ପୁଲିସ ପ୍ରଶାସନରେ ମାନବସମ୍ୱଳ ବୃଦ୍ଧି, ଆବଶ୍ୟକ ଉପକରଣ ଓ ସଂସ୍ଥାଗତ ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଯାହା ଫଳରେ ରାଜ୍ୟରେ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପୁଲିସ ସଫଳତାର ସହ କାମ କରୁଛି। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଓ ସରକାରଙ୍କ ଆଖି ଓ କାନ। ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ସବୁବେଳେ ରହିବା ଦରକାର। 

ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ସ୍ୱାଗତ ଭାଷଣରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ, ଅପରାଧ ନିୟନ୍ତ୍ରଣ ଓ ତଥ୍ୟ-ପ୍ରଯୁକ୍ତି ଆଧାରିତ ନିରୀକ୍ଷଣ ପ୍ରଣାଳୀର ବିସ୍ତାର ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ପରାମର୍ଶ ଦେଇ ସେ କହିଥିଲେ, ସମ୍ମିଳିତ ପ୍ରୟାସ, ତଥ୍ୟ ଆଦାନ-ପ୍ରଦାନ ଓ ଗ୍ରାଉଣ୍ଡ-ଲେଭେଲ୍‌ ମନିଟରିଂ ଆଗାମୀ ଦିନରେ ଆଇନଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିସନର ଅନୁ ଗର୍ଗ ଏବଂ ରାଜ୍ୟ ପୁଲିସ ଓ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe