image source-sambad english
ଭୁବନେଶ୍ବର: କରୋନା କାଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଫି’ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ। ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫି’ ଦେବାକୁ ପଡ଼ିଥାଏ। ତେବେ କୋଭିଡ୍ ଯୋଗୁଁ ଆର୍ଥିକ ଅବସ୍ଥା ଖରାପ ହୋଇଥିବାରୁ ଅଭିଭାବକମାନଙ୍କ ଉପରୁ ବୋଝ ହାଲୁକା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦେଶ ଦେଇଥିବା କୁହାଯାଉଛି।
କୋଭିଡ୍ କଟକଣା ଯୋଗୁଁ ୨୦୨୦-୨୧ ଶିକ୍ଷାବର୍ଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ରହିବା ପରେ ଜାନୁଆରି ୮ରୁ କୋଭିଡ ନିୟମ ପାଳନ କରି କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଖୋଲାଯାଇଛି। ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା
ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସରୁମ୍ ଶିକ୍ଷାଦାନ କରାଯାଉଛି। କରୋନା ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି। ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ଛାଡ଼ କରିବା ଲାଗି ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ ଯେ କୋଭିଡ୍-୧୯ ମହାମାରୀ ଯୋଗୁଁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବର୍ଷ ନିଜ ପିଲାଙ୍କ ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫି’ ଦାଖଲ କରିବା ଅବସ୍ଥାରେ ନାହାନ୍ତି। ଅନେକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ତେଣୁ ଏଭଳି ଦୟନୀୟ ସ୍ଥିତିରୁ ଉଦ୍ଧାର କରିବା ପାଇଁ ପରୀକ୍ଷା ଛାଡ଼ କରାଗଲେ ବହୁ ଛାତ୍ରଛାତ୍ରୀ ଉପକୃତ ହେବେ। ସନ୍ଧ୍ୟାରେ ପରୀକ୍ଷା ଫି’ ଛାଡ଼ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଆଜି ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ଓଡ଼ିଶା ସରକାର ସବୁବେଳେ ଛାତ୍ରଛାତ୍ରୀଙ୍କ ସହ ରହିଛନ୍ତି। ତୃଣମୂଳସ୍ତରର ସ୍ଥିତିକୁ ବୁଝି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବାରୁ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ କୃତଜ୍ଞତା ଓ ଧନ୍ୟବାଦ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ସଙ୍ଗଠନର ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। କରୋନା ସମୟରେ ଲୋକଙ୍କ ଅର୍ଥିକ ସ୍ଥିତି ଦୋହଲି ଯାଇଛି। ବହୁ ଅଭିଭାବକଙ୍କ ରୋଜଗାର ପ୍ରଭାବିତ ହୋଇଛି। ପିଲାଙ୍କ ଫି’ ଦେବାକୁ ବି ସେମାନେ ସକ୍ଷମ ନୁହନ୍ତି। ତେଣୁ ପରୀକ୍ଷା ଫି’ ଛାଡ଼ କରିବାକୁ ଓଷ୍ଟା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ରବିବାର ଛୁଟି ଦିନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରିବା ଦିଗରେ ରାଜ୍ୟ ସରକାର ଆଉଥରେ ପୁନର୍ବିଚାର କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।
Follow Us