Medical Dialogues
ଯୁଯୁମୁରା : ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଅନ୍ତର୍ଗତ ଗଇଲଗୁଡ଼ି ଶବରପଡ଼ାର ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି। ଗତ ୧୫ ତାରିଖ ସନ୍ଧ୍ୟାରୁ ମଙ୍ଗଳୁ ଶବରଙ୍କ ସ୍ତ୍ରୀ’ ପଦ୍ମିନୀ ଶବର (୩୦)ଙ୍କ ସମ୍ପର୍କରେ କାହା ନିକଟରେ ବି କିଛି ସୂଚନା ନାହିଁ। ସେ ଦିନ ଉଭୟ ସ୍ୱାମୀ ସ୍ତ୍ରୀ’ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟାରେ ଗାଈ ନେଇ ଘରକୁ ଫେରିଥିଲେ। ହେଲେ ପଦ୍ମିନୀ ଆସି ନଥିବା ଜାଣିବା ପରେ ମଙ୍ଗଳୁ ତାଙ୍କୁ ଖୋଜିବାକୁ ବାହାରି ଯାଇ ସେ ମଧ୍ୟ ଫେରି ନାହାନ୍ତି। ମହିଳା ନିଖୋଜ ହେବା ସମ୍ପର୍କରେ ଜାଣିବା ପରେ ଯୁଯୁମୁରା ପୁଲିସ ବୁଧବାର ରାତିରେ ଓ ଗୁରୁବାର ଦିନ ତମାମ ଖୋଜାଖୋଜି କରିଥିଲା। ଗାଈ ଚାରାଇବାକୁ ଜଙ୍ଗଲକୁ ଯାଇ ଥିବାରୁ ନାନା ପ୍ରକାର ଆଶଙ୍କା କରାଯାଉଛି। ଏ ସଂପର୍କରେ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ବାଳଙ୍କୁ ପଚାରିବାରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ପୁଲିସ ଖୋଜାଖୋଜି ଜାରି ରଖିବା ସହ ସବୁ ଦିଗରୁ ତଦନ୍ତ କରୁଛି ବୋଲି କହିଛନ୍ତି।
ପ୍ରକାଶ ଥାଉ କି, ୨୦୨୦ ଜୁନ ୧୯ ତାରିଖ ଅପରାହ୍ଣରେ ସେହି ଗାଁ’ର ଭ୍ରମର ଶବରଙ୍କ ୨ ବର୍ଷର ପୁଅ ଲିପୁନ ଶବର ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇ ଯାଇଥିଲେ। ଘଟଣାକୁ ଶୁକ୍ରବାର ୨ ବର୍ଷ ୨ ମାସ ପୂରିବ, ହେଲେ ଏଯାଏଁ, ନିଖୋଜ ଲିପୁନର କୌଣସି ପତ୍ତା ମିଳି ନାହିଁ । ଅପର ପକ୍ଷରେ, ଲିପୁନ ନିଖୋଜ ହେବା ପରଠାରୁ ଅଞ୍ଚଳବାସୀଙ୍କ ମନରେ ଉଠିଥିବା ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି।
Follow Us