ଚିନ୍ମୟେଶ୍ବର ମହାଦେବ ମନ୍ଦିରର ହେବ ପୁନରୁଦ୍ଧାର, ସ୍ବର୍ଗଦ୍ବାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ

ଏହି ଠାରୁ ଶଙ୍କରାଚାର୍ଯ୍ୟ କରିବେ ସମୁଦ୍ର ଆରତି

ଚିନ୍ମୟେଶ୍ବର ମହାଦେବ ମନ୍ଦିରର ହେବ ପୁନରୁଦ୍ଧାର, ସ୍ବର୍ଗଦ୍ବାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ

ପୁରୀ: ପୁରୀରେ ରାଜ୍ୟ ସରକାରଙ୍କର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟରେ ସ୍ବର୍ଗଦ୍ବାରର ପୁନଃରୁଦ୍ଧାର କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ । କରୋନା ମହାମାରୀ ଆତଙ୍କ ମଧ୍ୟରେ ପୁରୀର ଶ୍ରୀସେତୁ, ମାର୍କେଟ କମ୍ପ୍ଲେକ୍ସ, ସିଦ୍ଧମହାବୀର ଓଭର ବ୍ରିଜ୍‌ର ନିର୍ମାଣ ଯୋଜନା ସହ ସ୍ବର୍ଗଦ୍ବାର ପୁନଃରୁଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏବେ କରୋନା ପାଇଁ ବାହାର ଜିଲ୍ଲାରୁ କେହି ଶବ ନେଇ ସ୍ବର୍ଗଦ୍ବାର ନଆସିବା ପାଇଁ ଜିଲ୍ଲାପାଳ ବଳୱନ୍ତ ସିଂ ଘୋଷଣା କରିଥିଲେ। କେବଳ ପୁରୀ ସହରାଞ୍ଚଳରେ କେହି ମୃତ୍ୟୁବରଣ କଲେ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଉଛି। ଏ ଭଳି ସ୍ଥିତିରେ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋର୍‌ସୋର‌ରେ ଆରମ୍ଭ କରାଯାଇଛି। ସ୍ବର୍ଗଦ୍ବାରରେ ଥିବା କେତେକ ମନ୍ଦିରକୁ ପ୍ରାଥମିକତା ଦିଆଯାଉଛି। ଏହା ପରିସରରେ ଗୋବର୍ଦ୍ଧନ ମଠର ପ୍ରାଚୀନ ଅମଳରୁ ଥିବା ଚିନ୍ମୟେଶ୍ବର ମହାଦେବ ମନ୍ଦିରର ପୁନଃରୁଦ୍ଧାର କରାଯିବ। ଏହି ମନ୍ଦିର ପାଖରେ ଥିବା ଏକ ମହାବୀର ମନ୍ଦିର ଭଗ୍ନାବ‌ଶେଷ ମଧ୍ୟରୁ ମହାବୀରଙ୍କୁ ଉଦ୍ଧାର କରି ଚିନ୍ମୟେଶ୍ବର ମନ୍ଦିର ପରିସରରେ ରଖାଯାଇଛି।

ଚିନ୍ମୟେଶ୍ବର ମନ୍ଦିର ପାଖରେ ଥିବା ଭୂତନାଥ ମହାଦେବ ମନ୍ଦିରର ମଧ୍ୟ ପୁନରୁଦ୍ଧାର କରାଯିବ। ଏଠାରେ ତିନିଟି ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ। ଏଠାରେ ସମୁଦ୍ର ଆରତି ପାଇଁ ମଧ୍ୟ ଏକ ବାଲକୋନି କରାଯିବା ପାଇଁ ଯୋଜନା ରହିଛି। ଏହି ଠାରୁ ହିଁ ସବୁଦିନେ ସମୁଦ୍ର ଆରତି କରାଯିବ। ବିଗତ ଦିନମାନଙ୍କରେ ସମୁଦ୍ର ଆରତି ସମୟରେ ଲହଡ଼ି ଆସି ପେଣ୍ଡାଲକୁ ଭସାଇ ନେଇଥିବାର ନଜିର ମଧ୍ୟ ରହିଛି। ସମୁଦ୍ର ଆରତି ସମୟରେ ଲୋକମାନଙ୍କ ଜୀବନ ପ୍ରତି ମଧ୍ୟ ଭୟ ରହିଥାଏ। ତେଣୁ ଆଗାମୀ ଦିନରେ ଏହି ଠାରୁ ସମୁଦ୍ର ଆରତି କରାଯିବା ପାଇଁ ଯୋଜନା କରାଯାଉଛି।
ଗୋବର୍ଦ୍ଧନ ମଠର ମଠାଧୀଶ ଶଙ୍କରାଚାର୍ଯ୍ୟ ଏହିଠାରୁ ସମୁଦ୍ର ଆରତୀ କରିବାର ଚିନ୍ତା କରାଯାଉଛି। ଏଥି ପାଇଁ ପ୍ରକଳ୍ପକୁ ହାତକୁ ନେଇଥିବା ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସମେତ ଗୋବର୍ଦ୍ଧନ ମଠର କାର୍ଯ୍ୟକର୍ତ୍ତାମାନେ ସମୀକ୍ଷା କରିଛନ୍ତି। ଏଠାରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ସ୍ବର୍ଗଦ୍ବାରକୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେ ଦିଗ ପ୍ରତି ମଧ୍ୟ ଯୋଜନା ପ୍ରସ୍ତୁତି ସରିଛି। ଖୁବ୍‌ ଶୀଘ୍ର ସ୍ବର୍ଗଦ୍ବାରର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟକରଣ, ଶବ ନେଇ ଆସୁଥିବା ସମ୍ପର୍କୀୟମାନଙ୍କ ବିଶ୍ରାମସ୍ଥଳ ଓ ଶୌଚାଳୟର ବ୍ୟବସ୍ଥା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe