ଶୁଖିଲା ପଡ଼ିଛି ଚିରସ୍ରୋତା ଭାସ୍କେଲ୍‌: ଜଙ୍ଗଲ ଜବରଦଖଲର ପ୍ରଭାବ, କମୁଛି ବର୍ଷା ପରିମାଣ

ଜାନୁଆରିରୁ ଶୁଖିଗଲାଣି ଚିରସ୍ରୋତା ଭାସ୍କେଲ୍‌। ନଦୀରେ ଟୋପାଏ ପାଣି ନାହିଁ। ପୂର୍ବ ଭଳି ଆଉ ଝରଣାର ପାଣି ନଦୀକୁ ଆସୁନି। ଜଙ୍ଗଲ କ୍ଷୟ ଯୋଗୁ ଜଳଉତ୍ସଗୁଡ଼ିକର ଚିହ୍ନବର୍ଣ୍ଣ ନାହିଁ।

ddadazx

ନବରଙ୍ଗପୁର: ଜାନୁଆରିରୁ ଶୁଖିଗଲାଣି ଚିରସ୍ରୋତା ଭାସ୍କେଲ୍‌। ନଦୀରେ ଟୋପାଏ ପାଣି ନାହିଁ। ପୂର୍ବ ଭଳି ଆଉ ଝରଣାର ପାଣି ନଦୀକୁ ଆସୁନି। ଜଙ୍ଗଲ କ୍ଷୟ ଯୋଗୁ ଜଳଉତ୍ସଗୁଡ଼ିକର ଚିହ୍ନବର୍ଣ୍ଣ ନାହିଁ। ଆଗକୁ ଗ୍ରୀଷ୍ମ ପ୍ରକୋପ ବଢ଼ିବାକୁ ଥିବା ବେଳେ ଏବେଠୁ ନଦୀ ଶୁଖିଲା ପଡ଼ିବାକୁ ନେଇ ଲୋକେ ଛାନିଆ ହୋଇ ପଡ଼ିଛନ୍ତି। ଚାଷ ଦୂରେ ଥାଉ, ଗୃହପାଳିତ ପ୍ରାଣୀଙ୍କ ପିଇବା ପାଇଁ ନଦୀରେ ପାଣି ମୁନ୍ଦାଏ ନଥିବାରୁ ଡହଳବିକଳ ହୋଇ ପଡ଼ିଲେଣି ପଶୁପକ୍ଷୀ। ଜଙ୍ଗଲ ଜବରଦଖଲ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ ପରିମାଣ କମିବାରେ ଲାଗିଛି। ୪୬ ପ୍ରତିଶତ ଜଙ୍ଗଲ ଏବେ ୨୨ ପ୍ରତିଶତକୁ ଖସି ଆସିଛି। ଅବାଧ ଜଙ୍ଗଲ ନଷ୍ଟର ପ୍ରଭାବ ବର୍ଷା ଉପରେ ପଡ଼ିଛି। ବିଗତ ୧୦ ବର୍ଷ ଧରି ବର୍ଷା ପରିମାଣ କମିବାରେ ଲାଗିଥିବାବେଳେ ଗତ ୫ ମାସ ହେବ ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ। ଫଳରେ ଜଙ୍ଗଲରୁ ବାହାରିଥିବା ଝରଗୁଡ଼ିକରେ ପାଣି ନାହିଁ।

ଜଙ୍ଗଲ ଜବରଦଖଲର ପ୍ରଭାବ, କମୁଛି ବର୍ଷା ପରିମାଣ
ନିଶ୍ଚିହ୍ନ ହୋଇଗଲାଣି ଝରଣା, ଡ୍ୟାମ୍‌ ବି ଶୁଖିଲା
୭୦ କିମି ପ୍ରବାହିତ ସତ୍ତ୍ବେ ହୋଇନି ବ୍ୟାରେଜ୍

ଇନ୍ଦ୍ରାବତୀ ପରେ ନବରଙ୍ଗପୁର ଜିଲ୍ଲାବାସୀଙ୍କ ଅନ୍ୟତମ ଜୀବନ ପ୍ରବାହ ହେଉଛି ଭାସ୍କେଲ୍‌। ଉମରକୋଟ ବ୍ଲକ୍‌ର ଭାସ୍କେଲ୍‌ ଡ୍ୟାମ୍‌ ନିକଟରୁ ବାହାରି ଏହି ନଦୀ ଖଡ଼କା, ଡାବୁଗାଁ ଦେଇ କୋଷାଗୁମୁଡ଼ାର ଉକିଆପଲ୍ଲୀ ପଞ୍ଚାୟତର ଘାଟବାସୁଲିରେ ଇନ୍ଦ୍ରାବତୀ ନଦୀରେ ମିଶି ଛତିଶଗଡ଼କୁ ପ୍ରବାହିତ ହୋଇଛି। ଭାସ୍କେଲ୍‌ ନଦୀ ନବରଙ୍ଗପୁର ଜିଲ୍ଲାରେ ୭୦ କିମି ଯାଏଁ ପ୍ରବାହିତ। ପୂର୍ବରୁ ଏହାର ପାଣିକୁ ଉପଯୋଗ କରି ସୁନାର ଫସଲ ଫଳାଉଥିଲେ ଚାଷୀ। ହେଲେ ଗତ କିଛି ବର୍ଷ ହେଲା ଜାନୁଆରିରୁ ନଈ ଶୁଖିଲା ପଡ଼ୁଛି। ନଦୀର ଉଭୟ ପାର୍ଶ୍ବରେ ହେଉଥିବା ପନିପରିବା, ମକା ଚାଷକୁ ପାଣି ମିଳୁ ନ ଥିବାରୁ ଉଠା ସେଚ ପ୍ରକଳ୍ପ ଉପରେ ନିର୍ଭର କରୁଛନ୍ତି ଚାଷୀ। ପୂର୍ବରୁ ଖରା ଦିନେ ଭାସ୍କେଲ୍‌ ଡ୍ୟାମରୁ ନିୟମିତ ବ୍ୟବଧାନରେ ନଦୀକୁ ପାଣି ଛଡ଼ାଯାଉଥିଲା।

 ଫଳରେ ନଦୀ ଶୁଖିଲା ପଡ଼ୁନଥିଲା। ଗତ ୩ ବର୍ଷ ହେବ ଡ୍ୟାମରୁ ପାଣି ଛଡ଼ାଯାଉନି। ଚଳିତ ବର୍ଷ ଡ୍ୟାମ୍‌ରେ ପାଣି ଅଭାବ ଯୋଗୁଁ ରବି ଚାଷ ପାଇଁ ଆଦୌ ପାଣି ନ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଯାହାର ପ୍ରଭାବ ଚାଷ ଉପରେ ପଡ଼ିଛି ବୋଲି କହିଛନ୍ତି ଉମରକୋଟ ଅଞ୍ଚଳର ଚାଷୀ ବୃନ୍ଦାବନ ବିଷୋୟୀ। ତଳମୁଣ୍ଡର ଚାଷୀ ଯୋଗେନ୍ଦ୍ର ସ୍ବାଇଁ କହିଛନ୍ତି, ନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ନିର୍ମାଣ ହୋଇଥିଲେ ଛତିଶଗଡ଼କୁ ବୋହି ଯାଉଥିବା ପାଣି ଖରା ଦିନରେ ତଳମୁଣ୍ଡକୁ ଛଡ଼ାଯିବା ସହ ଚାଷ କାର୍ଯ୍ୟରେ ବ୍ୟବହାର ହୋଇପାରନ୍ତା। ବର୍ଷର ଅଧା ମାସ ନଦୀ ଶୁଖିଲା ପଡ଼ୁଥିବାରୁ ଭୂତଳ ଜଳସ୍ତର ମଧ୍ୟ କମୁଛି। ରବି ଋତୁରେ ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ୁଛି।କୋଷାଗୁମୁଡ଼ାରେ ସାଂସଦ ବଳଭଦ୍ର ମାଝୀ କରିଥିବା ସମୀକ୍ଷା ବୈଠକରେ ବ୍ଲକ୍‌ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ ଭାସ୍କେଲ୍‌ ନଦୀରେ ପ୍ରତି ୫ କିମି ବ୍ୟବଧାନରେ ବ୍ୟାରେଜ୍ ନିର୍ମାଣ କରି ନଦୀକୁ ବଞ୍ଚାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe