ମାଫିଆଙ୍କ କବ୍‌ଜାରେ ଚିଟ୍‌ଫଣ୍ଡ୍‌ ସଂସ୍ଥା ଜମି

Advertisment

ଗୋଲଡେନ୍ ଲ୍ୟାଣ୍ଡ୍‌ ଜମାକାରୀଙ୍କ ଟଙ୍କା ଫେରାଉନି, ସେପଟେ କୋଟି କୋଟିରେ ଚାଷ ଜମି ପ୍ଲଟିଂ ବେପାର

ଗୋଲଡେନ୍ ଲ୍ୟାଣ୍ଡ୍‌ ଜମାକାରୀଙ୍କ ଟଙ୍କା ଫେରାଉନି, ସେପଟେ କୋଟି କୋଟିରେ ଚାଷ ଜମି ପ୍ଲଟିଂ ବେପାର

ମାଫିଆଙ୍କ କବ୍‌ଜାରେ ଚିଟ୍‌ଫଣ୍ଡ୍‌ ସଂସ୍ଥା ଜମି

ଗୋଳନ୍ଥରା : ରାଜ୍ୟରେ ଚିଟ୍‌ଫଣ୍ଡ୍ କେଳେଙ୍କାରୀର ଦାଗ ଏଯାଏ ଲିଭି ନଥିବା ବେଳେ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଜମାକାରୀ ସେମାନଙ୍କ କଷ୍ଟାର୍ଜିତ ଧନ ଫେରସ୍ତ ପାଇବା ଲାଗି ସଂଘର୍ଷ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଅଫିସ୍‌ ଦୌଡ଼ୁଛନ୍ତି। ମାଳମାଳ ଆବେଦନପତ୍ର ନାଲିଫିତା ତଳେ ପଡ଼ିରହିଛି। ହେଲେ, ଏଭଳି ଘଡ଼ିସନ୍ଧି ସମୟରେ ଗୋଲ୍‌ଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ୍ କମ୍ପାନିର ଜମିକୁ ଖୋଦ୍ ରାଜସ୍ବ ବିଭାଗର ଅଧିକାରୀ ଓ ଜମିମାଫିଆଙ୍କ ମିଳିମିଶି ଶାଗମାଛ ଦରରେ ବିକ୍ରି କରି ଚାଲିଛନ୍ତି। ଆଉ ଏକର ଏକର ଚାଷ ଜମିକୁ ମାଫିଆ ପ୍ଲଟ୍‌ ଭାଙ୍ଗି କୋଟି କୋଟି ଟଙ୍କା ଉପାର୍ଜନ କରି ମାଲାମାଲ୍ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ରୁ ଏଭଳି କିଛି ସଂଗିନ୍ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି।

ହସ୍ତଗତ ସୂଚନା ଅନୁସାରେ; ଗୋଲ୍‌ଡେନ୍ ଲ୍ୟାଣ୍ଡ୍ ଚିଟଫଣ୍ଡ୍ କମ୍ପାନି ନାମରେ ରାଳବ, ଦୁବପଲ୍ଲୀ ଓ ହିଞ୍ଜଳାପଲ୍ଲୀ ମୌଜାରେ ଏକର ଏକର ମୂଲ୍ୟବାନ ଜଳସେଚିତ ଚାଷଜମି ରହିଛି। ଗତ ଦୁଇମାସ ମଧ୍ୟରେ ଦୁବପଲ୍ଲୀ ମୌଜାରେ (ଖାତା ନମ୍ବର, ୧୮୮/୪୨୬) ଥିବା ଗୋଲଡେନ୍ ଲ୍ୟାଣ୍ଡ୍ କମ୍ପାନିର ମୋଟ ୧୦୨ଟି ପ୍ଲଟ୍‌ରେ ଥିବା କିସମ ବିଲ ଜଳସେଚିତ ଓ ଏକଫସଲି ମୋଟ ୨୩.୨୯୮ ଡେସିମିଲ୍‌ ଜମିକୁ ନିର୍ଦ୍ଦିଷ୍ଟ୍ କିଛି ଜମି ମାଫିଆ କିଣି ସାରିଛନ୍ତି। ଏହାଉପରେ ବର୍ତ୍ତମାନ ପ୍ଲଟିଂ ଆରମ୍ଭ ହୋଇସାରିଛି। କେବଳ ଚିଟ୍‌ଫଣ୍ଡ୍ କମ୍ପାନିର ଜମି ନୁହେଁ, ଗୋବିନ୍ଦପୁର ମୌଜାର (ଖାତା ନମ୍ବର ୯୬/୩୨୧) ଦୋଫସଲି ଜମି ଓ କେନାଲ୍‌ ପାର୍ଶ୍ବରେ ରହିଥିବା ୪ ଏକର ୧୪୦ ଡେସିମିଲ୍ ଜମି ଏବଂ ୧୧ ଏକର ଚାଷଜମିରେ ପ୍ଲଟିଂ ଚାଲିଛି। ଯାହାକି ବିକ୍ରି ଅପେକ୍ଷାରେ ରହିଛି। ମାଫିଆମାନେ କନିଷି ତହସିଲର ଅଧିକାରୀ ଏବଂ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ନିଜ ନାମରେ ଜମିର ପଟ୍ଟା କରିବା ସହ ପ୍ଲଟିଂ କରି ବିକିବା ଲାଗି ଫଳକ, ରାସ୍ତା, ଡ୍ରେନ୍‌, ବିଦ୍ୟୁତ୍‌ କୁଣ୍ଟ ପୋତା କାମ କରୁଛନ୍ତି। ତେବ‌େ କିଛି ଜମି କେନାଲ୍‌ର ତଳଭାଗରେ ଥିବା ସହ ଖତିୟାନ୍‌ରେ ଏହାକୁ ଏକଫସଲି କିସମ ଦର୍ଶାଯାଇଥିବା ସତ୍ତ୍ବେ ତହସିଲ ଓ ଉପନିବନ୍ଧକଙ୍କ ଅଫିସ୍‌ରୁ ଏଗୁଡ଼ିକୁ କିସମ ପରିବର୍ତନ ନହୋଇ ବିକ୍ରି କରିବାକୁ କେଉଁ ଆଧାରରେ ଅନୁମତି ମିଳୁଛି, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଗୂଢ଼ ରହସ୍ୟ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ରାଜସ୍ବ କର୍ମଚାରୀଙ୍କ ସହ ହାତ ମିଳାଇଛନ୍ତି ଜମିମାଫିଆ

publive-image

ଅନ୍ୟପକ୍ଷରେ, ଚିଟ୍‌ଫଣ୍ଡ୍‌ ସଂସ୍ଥା ଅଧୀନରେ ଥିବା ଜମି ଯଦି ବିକ୍ରି ହେଲା, ତେବେ ଏଥିରୁ ମିଳୁଥିବା ଅର୍ଥରାଶିକୁ ତହସିଲ ପ୍ରଶାସନ କ୍ଷୁଦ୍ର ଓ ମଧ୍ୟମଧରଣର ଜମାକାରୀଙ୍କୁ ଆଇନ୍ ଅନୁସାରେ ଫେରସ୍ତ କରିବା କଥା। କିନ୍ତୁ ଜମି ପଞ୍ଜୀକରଣ ଓ ପଟ୍ଟା କରାଇ, ସେହି ଜମିକୁ ପ୍ଲଟ୍‌ ଆକାରରେ ବିକ୍ରି କରିବାକୁ ଅନୁମତି ଦେବା ଆଇନସଙ୍ଗତ ନୁହେଁ। ଫଳରେ ଏଭଳି ପରିସ୍ଥିତିରେ ଜମା ଅର୍ଥ ପାଇବାକୁ ନେଇ ଜମାକାରୀମାନେ ସଂଶୟରେ ରହିଛନ୍ତି। ସେହିପରି ଗତ ଦେଢ଼ମାସ ହେଲା କନିଷି ତହସିଲ ଅଫିସ୍ ମୁରବିବିହୀନ ପାଲଟିଛି। ତହସିଲଦାର ପଦବି ଖାଲି ପଡ଼ିଥବିାରୁ ଖୁଲମଖୁଲା ଜମି ହଡ଼ପ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି। କିସମ ପରିବର୍ତ୍ତନ ନକରି ଚାଷଜମିକୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ବେଳେ ଅନ୍ୟ କିଛି ଜମି ଉପରେ ପ୍ଲଟିଂ କରି ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି।

ସୂଚନାଯୋଗ୍ୟ, କନିଷି ତହସିଲ ଇଲାକା ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ସହସ୍ରାଧିକ ଜମାକାରୀ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନିରେ ଉଚ୍ଚ ସୁଧ ମିଳିବା ଆଶାରେ ଅର୍ଥ ଜମା କରିଥିଲେ। ଜମାକାରୀଙ୍କ ଟଙ୍କାକୁ କମ୍ପାନି ମାଲିକମାନେ ଅସାଧୁ ଉପାୟରେ ବ୍ୟବହାର କରି ନିଜ ନାମରେ ଏବଂ ପରିବାର ସଦସ୍ୟଙ୍କ ନାମରେ ଜମି କିଣିଥିଲେ। କିନ୍ତୁ ପରେ କମ୍ପାନି କର୍ତ୍ତୃପକ୍ଷ ଜମାକାରୀଙ୍କୁ ମୂଳ ଓ ସୁଧ ବାବଦକୁ ଅର୍ଥ ଫେରାଇବାକୁ ଅକ୍ଷମ ହେଲେ। ଫଳରେ କମ୍ପାନିର ବିଭିନ୍ନ ପ୍ରତିଷ୍ଠାନରେ ସିବିଆଇ, ଇଡି ଓ କ୍ରାଇମବ୍ରାଞ୍ଚ ଦ୍ବାରା ଚଢ଼ଉ କରିଥିଲା। ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯିବା ସହ ମାଲିକ ଓ ଓ ନିର୍ଦ୍ଦେଶକମାନଙ୍କୁ ଜେଲ୍ ହାଜତକୁ ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମାମଲା ଅଦାଲତରେ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe