ଜଳାଭାବରୁ ଫମ୍ପା ହୋଇଗଲା ଚିନାବାଦାମ, ଏକର ପିଛା ଅମଳ କମିଲା

ଜଳାଭାବରୁ ଫମ୍ପା ହୋଇଗଲା ଚିନାବାଦାମ, ଏକର ପିଛା ଅମଳ କମିଲା

ବ୍ରହ୍ମବରଦା: ନଦୀନାଳ ଘେରା ଯାଜପୁରରେ ଜିଲ୍ଲାରେ ଜଳାଭାବ ପାଇଁ ଚିନାବାଦାମ ଚାଷ ଅମଳ କମିଛି। ବହୁ ଚିନାବାଦାମ ଫମ୍ପା ହୋଇଯାଇଥିବାରୁ ଯେତିକି ପାଇବା କଥା ତାହା ମିଳିନାହିଁ ବୋଲି ଚାଷୀ କହିଛନ୍ତି। ପ୍ରଥମତଃ ଅମଳ କମିଛି, ଦ୍ବିତୀୟରେ ସରକାରଙ୍କ ତରଫରୁ ଚିନାବାଦାମ ବିକ୍ରି ପାଇଁ ମଣ୍ତିର ବ୍ୟବସ୍ଥା ନାହିଁ। ଫଳସ୍ବରୂପ ଚାଷୀ ଗ୍ରାମାଞ୍ଚଳ ବ୍ୟବସାୟୀଙ୍କୁ କମ୍‌ ଦରରେ ବିକ୍ରି କରୁଥିବାରୁ ପରିଶ୍ରମ ତୁଳନାରେ ଲାଭ କମିଯାଉଛି।
ରସୁଲପୁର ଓ ଯାଜପୁର ବ୍ଲକର ବ୍ରହ୍ମବରଦା, ଝାଲପଡ଼ା, ରୁଦ୍ରପୁର ପଞ୍ଚାୟତର ସାନବାଗସାହି, ମାଳିସାହି, ନୁଣୁପୁର, ବାଗସାହି, କାକୁଡ଼ିକୁଦ, ନୀଳକଣ୍ଠପୁର ଗ୍ରାମରେ ଚଳିତ ବର୍ଷ ୮ ଶହ ଏକରରୁ ଅଧିକ ଜମିରେ ଚିନାବାଦାମ ଚାଷ ହୋଇଥିଲା।

ବର୍ଷା ଅଭାବରୁ ଅଧିକାଂଶ ଚାଷୀ କମ୍‌ ଚିନାବାଦାମ ଅମଳ କରୁଥିବା କହିଛନ୍ତି। ସମୟ ଅନୁଯାୟୀ ପାଣି ଯୋଗାଇଥିଲେ ୧୨/୧୩ କୁଇଣ୍ଟାଲ ଚିନାବାଦାମ ଅମଳ ହୋଇଥାନ୍ତା ବୋଲି ଚାଷୀମାନେ କହିଛନ୍ତି। ଚାଷୀ ୧୦ ହଜାର ୫ଶହ ଟଙ୍କାରେ ଚିନାବାଦାମ ବିହନ କିଣିଥିଲେ। ସାର ଓ ମଜୁରି ସହିତ ଏକର ପ୍ରତି ୨୭ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବାଦାମ ଠିକ ଓଜନ ହେଉନଥିବାରୁ ବସ୍ତା ପ୍ରତି ୪୦/୪୫ କେଜି ହେଉଛି। ଜଳସେଚନ ହୋଇପାରି ନଥିବା ଜମିରୁ ଏକର ପ୍ରତି ୬ ରୁ ୭ କୁଇଣ୍ଟାଲ ଅମଳ ହେଉଛି। କୁଇଣ୍ଟାଲ ୬୫୦୦ ଟଙ୍କାରୁ ୬୮୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଫଳରେ ଆଶା ଅନୁଯାୟୀ ଲାଭ ହୋଇନଥିବା କହିଛନ୍ତି। ସରକାର ପ୍ରତ୍ୟେକ ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରିବା ସହିତ ମଣ୍ତି ଖୋଲିଲେ ଚାଷୀ ଭଲ ଦି ପଇସା ମିଳିପାରନ୍ତା ବୋଲି ଚାଷୀ ଉମେଶ ମହାନ୍ତି କୁହନ୍ତି।

ସେ ଚଳିତ ବର୍ଷ ୪ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ। ଏକର ପିଛା ୨୫ରୁ ୩୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ଗୋଟିଏ ଏକରରୁ ୪୦ରୁ ୪୨ ହଜାର ଟଙ୍କା ମିଳିଛି। ଯଦି ଠିକ ସମୟରେ ପାଣି ମଡ଼ାଯାଇ ପାରିଥାନ୍ତା ତେବେ ୫୦ ରୁ ୫୫ ହଜାର ଟଙ୍କା ପାଇଥାନ୍ତେ ବୋଲି କହିଛନ୍ତି।

ସେହିପରି ବଡ଼ବାଗସାହି ଗ୍ରାମର ଚାଷୀ ସୁବାସ ଚନ୍ଦ୍ର ନାୟକ ୧୨ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ। ୩ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ନିଜ ଖର୍ଚ୍ଚରୁ ପାଣି ମଡ଼ାଇବା ସହ ଉପଯୁକ୍ତ ଖତସାର ଦେଇଥିଲେ। ତେଣୁ ସେ ଏକର ପିଛା ୧୫ରୁ ୧୬ କୁଇଣ୍ଟାଲ ଅମଳ କରିଥିବା କହିଛନ୍ତି। ୬୫ ଟଙ୍କାରୁ ୭୦ ଟଙ୍କା କିଲୋରେ ​ସେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ମଣ୍ଡି ବ୍ୟବସ୍ଥା ହେଲେ ଆଉ କିଛି ଅଧିକ ଦର ମିଳିପାରନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe