ବନ୍ଦ ବିଦ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ଼ାସ୍ଥଳୀ

Advertisment
ବନ୍ଦ ବିଦ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ଼ାସ୍ଥଳୀ

ଗଣିଆ : ସରକାରୀ ନିୟମ ଅନୁଯାୟୀ, ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରାଯିବା ପରେ ଏହି ବନ୍ଦ ବିଦ୍ୟାଳୟର କୋଠାଗୁଡ଼ିକ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି।

ଯେଉଁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୨୦ଜଣରୁ କମ୍‌ ଛାତ୍ରଛାତ୍ରୀ ଥିଲେ ସେଗୁଡ଼ିକୁ ବନ୍ଦ କରାଯିବା ସହ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଗଣିଆ ବ୍ଳକ୍‌ରେ ଏହିପରି ୧୧ଟି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଅଭାବ ଦେଖାଇ ପ୍ରଶାସନ ବନ୍ଦ କରି ଦେଇଛି। ଏହିସବୁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ନିୟମ ଯୋଗୁ ବହୁ ହଇରାଣ ହୋଇଥିବା ବେଳେ ବିଦ୍ୟାଳୟଗୁଡ଼ିକ ବନ୍ଦ ନକରିବା ପାଇଁ ସେମାନଙ୍କ ଅଭିଭାବକ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ। କିନ୍ତୁ ପ୍ରଶାସନ ନିଜ ଜିଦ୍‌ରେ ଅଟଳ ରହି ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦେଇଥିଲା। ଉପାୟଶୂନ୍ୟ ଛାତ୍ରଛାତ୍ରୀମାନେ ନିକଟସ୍ଥ ବିଦ୍ୟାଳୟ କିମ୍ବା ଅନ୍ୟଗ୍ରାମର ବିଦ୍ୟାଳୟକୁ ଯାଇ ପାଠ ପଢ଼ିବାକୁ ବାଧ୍ୟ ହୋଇଥିଲେ। ବନ୍ଦ ହୋଇଥିବା ବିଦ୍ୟାଳୟ କୋଠାଗୁଡ଼ିକ ଗୋଷ୍ଠୀ ଶିକ୍ଷାଧିକାରୀ ଇତିମଧ୍ୟରେ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ଏହି ସବୁ ବିଦ୍ୟାଳୟ କୋଠାର ରକ୍ଷଣାବେକ୍ଷଣା ଦାୟିତ୍ବ ସରକାର ପଞ୍ଚାୟତରାଜ ବିଭାଗକୁ ଦେଇଛନ୍ତି। ଇତିମଧ୍ୟରେ ସେହିସବୁ ବିଦ୍ୟାଳୟ କୋଠା ଭୂତକୋଠିରେ ପରିଣତ ହୋଇଛି। କେଉଁଠାରେ ଘରଗୁଡ଼ିକ ବ୍ୟବହାର ହେଉନଥିବାରୁ ଊଇ ହୁଙ୍କା ହୋଇଗଲାଣି ତ ଆଉ କେଉଁଠି କୋଠାଗୁଡ଼ିକ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି।

ଲକ୍ଷଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ବିଦ୍ୟାଳୟ କୋଠାଗୁଡ଼ିକର ଭାଗ୍ୟ ଏବେ କ’ଣ ହେବ ସେ ନେଇ ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଯେଉଁ ବିଦ୍ୟାଳୟ ପରିସର ଦିନେ ଛାତ୍ରଛାତ୍ରୀଙ୍କ ଗହଳିରେ ଏକ ଭିନ୍ନ ପରିବେଶ ସୃଷ୍ଟି କରୁଥିଲା, ସେହି ବିଦ୍ୟାଳୟର ପରିତ୍ୟକ୍ତ କୋଠାକୁ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି କବ୍‌ଜାରେ ରଖିଛନ୍ତି। ଏପରିକି କେତେକ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ, ଏହି ସବୁ ବିଦ୍ୟାଳୟ କୋଠାମକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ହସ୍ତାନ୍ତର କରାଯାଉନାହିଁ। ତେଣୁ ଏହି ସବୁ ବିଦ୍ୟାଳୟ କୋଠାର ସ୍ଥାୟିତ୍ବ ଓ ସୁରକ୍ଷା ପାଇଁ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ କରିବାକୁ ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe