କୂଳ ଲଂଘିଲା ଅଶାନ୍ତ ସମୁଦ୍ର! ହଜାର ହଜାର ହେକ୍ଟର ଜମିରେ ମାଡ଼ିଗଲା ଲୁଣା ଜୁଆର

Advertisment

୫ ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଆତଙ୍କିତ

୫ ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଆତଙ୍କିତ

କୂଳ ଲଂଘିଲା ଅଶାନ୍ତ ସମୁଦ୍ର! ହଜାର ହଜାର ହେକ୍ଟର ଜମିରେ ମାଡ଼ିଗଲା ଲୁଣା ଜୁଆର

ଚାନ୍ଦିପୁର/ବାଲିଆପାଳ/ଭୋଗରାଇ: ପୂର୍ଣ୍ଣିମା ଏବଂ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିଥିବା ବେଳେ ବାଲେଶ୍ବର ଜିଲ୍ଲାର ସମୁଦ୍ର ଉପକୂଳରେ ଥିବା ଭୋଗରାଇ, ବାଲିଆପାଳ, ବାଲେଶ୍ବର, ରେମୁଣା ଓ ବାହାନଗା ଅଞ୍ଚଳରେ ଗତ ଦୁଇଦିନ ହେଲା ଏହାର ପ୍ରଭାବ ଦେଖିବାକୁ ମିଳିଛି। ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିବା ସହିତ ଲୁଣା ଜୁଆର ଏହି ସବୁ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିକୁ ପ୍ରଭାବିତ କରିଛି। ରାସ୍ତା‌ଘାଟ, ପୋଖରୀ, ଚିଙ୍ଗୁଡ଼ିଘେରି ସମେତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ଜୁଆର ପାଣି ପଶିଯାଇଛି। ପୂର୍ବରୁ ଏପରି କେବେ ଘଟିନଥିବା ବେଳେ ଆଜି ହଠାତ୍‌ ସମୁଦ୍ରର ଏହି ଅଶାନ୍ତ ରୂପକୁ ଦେଖି ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ଭୟର ବାତାବରଣ ଦେଖାଯାଇଥିଲା।

ବାଲେଶ୍ବର ଜିଲ୍ଲାରେ ୮୦ କିଲୋମିଟରରୁ ଅଧିକ ଥିବା ସମୁଦ୍ର ବେଳାଭୂମି ଅଞ୍ଚଳରେ ତଟ ସୁରକ୍ଷା ତଥା ବେଳାଭୂମି ସୁଦୃଢ଼ୀକରଣ ନେଇ ଜଳସେଚନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଛି। ହେଲେ ଯେତେବେଳେ ବର୍ଷାଦିନ, ପୂର୍ଣ୍ଣମୀ କିମ୍ବା ଅମାବାସ୍ୟା ଆସୁଛି ସେତେବେଳେ ଏହାର ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି। ଗତ ଦୁଇଦିନ ହେଲା ଉଭୟ ଲଘୁଚାପ ଓ ପୂର୍ଣ୍ଣମୀ ତିଥିର ପ୍ରଭାବ ରହିଥିବାରୁ ବଙ୍ଗୋପସାଗର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇ କୂଳଲଂଘି ଜନବସତି ଆଡ଼କୁ ମାଡ଼ି ଆସିଛି। ଗତକାଲି ରାତିରେ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିପୁର, ଶ୍ରୀକୋଣା, ଛାନୁଆ, କଷାଫଳ, କୁରାଢିହା ଆଦି ପଞ୍ଚାୟତ ଅଞ୍ଚଳରେ ସମୁଦ୍ର କୂଳ ଲଂଘି ଶହଶହ ଏକର ଚାଷ ଜମି ସମେତ ରାସ୍ତାଘାଟ, ଘର ଓ ଚିଙ୍ଗୁଡ଼ିଘେରିରେ ଲୁଣା ଜୁଆର ମାଡ଼ିଯାଇଛି।

ସେହିପରି ବାଲିଆପାଳ ବ୍ଲକ ଅନ୍ତର୍ଗତ ଚଉମୁଖ ପଞ୍ଚାୟତ କଙ୍କାଳପାଳ ଏବଂ ସାଉଡ଼ି ପଂଚାୟତରେ ଶହଶହ ଏକର ଚାଷ ଜମିରେ ଲୁଣା ଜୁଆର ମାଡ଼ି ଯାଇଛି। ଗତ ଦୁଇଦିନ ଧରି ଏହି ଚାଷ ଜମି ଉପରେ ୨ରୁ ୩ ଫୁଟ ଉଚ୍ଚରେ ଲୁଣା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ପାଣି ଛାଡ଼ିଗଲା ପରେ ଏହି ସବୁ ଜମିରେ ଏବର୍ଷ ଆଉ ଚାଷ କିପରି ହେବ ସେନେଇ ଚାଷୀଙ୍କ ମନରେ ଚିନ୍ତା ଘାରିଛି। ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଜଳସେଚନ ବିଭାଗ ପକ୍ଷରୁ ଏହି ଦୁଇ ପଂଚାୟତର ସମୁଦ୍ର କୂଳକୁ ପଥରବନ୍ଧ ଦ୍ବାରା ସୁଦୃଢ଼ୀକରଣ କରାଯାଉ ନଥିବାରୁ ଏଭଳି ଦୁର୍ଦ୍ଦଶା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରୀ ଅଞ୍ଚଳରେ। ସମୁଦ୍ର କୂଳ ଲଂଘି ଜେଟି ଉପରେ ୨ ଫୁଟ ଉଚ୍ଚର ପାଣି ଢେଉ ଖେଳୁଥିବା ବେଳେ ୨ କିଲୋମିଟର ପର୍ଯ୍ୟନ୍ତ ଜନବସତି ଓ ଚାଷ ଜମିଆଡ଼କୁ ମାଡ଼ିଯାଇଛି। ହଠାତ୍‌ ଏପରି ଜୁଆରକୁ ଦେଖି ଆଖପାଖର ୧୫ରୁ ଅଧିକ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ତାଳସାରୀରେ ଦୋକାନୀ ଓ ହୋଟେଲ ମାଲିକମାନେ ମଧ୍ୟ ଏହି ଜୁଆର ପାଣି ଯୋଗୁ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛନ୍ତି। ସେପଟେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘାରେ ସମୁଦ୍ର ଜୁଆର କୂଳକୁ ମାଡ଼ି ଆସି ଅନେକ ଦୋକାନ ଓ ଜନବସତିକୁ ପ୍ରଭାବିତ କରିଛି। ଲୁଣାପାଣି ସହର ମଧ୍ୟକୁ ମାଡ଼ି ଯାଇ ଦୀଘାର ସୈକତନଗରୀ ଅଞ୍ଚଳ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି।

ଏ ନେଇ ଜିଲ୍ଲା ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରଭାସ କୁମାର ପ୍ରଧାନଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳ କିମ୍ବା ବିଭିନ୍ନ ନଦୀର ଦୁର୍ବଳ ଆଡ଼ିବନ୍ଧ ଉନ୍ନତୀକରଣ କାମ ଜାରି ରହିଛି। ପୂର୍ଣ୍ଣମୀ ଓ ଲଘୁଚାପର ପ୍ରଭାବ ରହିଥିବାରୁ ବନ୍ଧ ଡେଇଁ ସମୁଦ୍ର ଜନବସତି ମୁହାଁ ହୋଇଥିବା ସେ କହିଛନ୍ତି। ତେବେ ବିଭିନ୍ନ ଅଞ୍ଚଳରେ ମନଇଚ୍ଛା କରାଯାଉଥିବା ଚିଙ୍ଗୁଡ଼ିଘେରି ସମୁଦ୍ର ଜୁଆର ପାଣି ନିଷ୍କାସନ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛି। ଏହାର ମୁକାବିଲା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଜଣାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe