ପାରଳାଖେମୁଣ୍ଡି : ପାରଳାର ଐତିହ୍ୟସମ୍ପନ୍ନ ସପ୍ତସାଗର ମଧ୍ୟରୁ ରାମସାଗର ଅନ୍ୟତମ। ସାଗରଟି ଜିଲ୍ଲାର ତୃତୀୟ ବୃହତ ସାଗର ଏବଂ ଏହାର ପରିଧି ୧ କିମି. ବ୍ୟାସାର୍ଦ୍ଧ ବିଶିଷ୍ଟ। ଏଥିରେ ଅନ୍ୟୁନ ୬ଶହରୁ ୭ଶହ ହେକ୍ଟର ଜମିକୁ ଜଳସେଚନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ, ଆଜି ଏହା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି।
ବାଟିଆ ଶିରିପୁର ଠାରେ ଥିବା ଆନିକଟରୁ କେନାଲ ମାଧ୍ୟମ ଦେଇ ପାଣି ଆସି ଜମିଗୁଡ଼ିକରେ ଜଳସେଚିତ ହେବା ପରେ ରାମ ସାଗରରେ ଆସି ଜମା ହୁଏ। ସାଗର ଭର୍ତ୍ତି ହେବା ପରେ ସାଗର ତଳ ଜମିଗୁଡ଼ିକ ଜଳସେଚିତ ହୁଏ। ସେହିଭଳି, ମହେନ୍ଦ୍ରତନୟା ନଦୀରୁ ପାଣି ଆସି ସାଗରରେ ଭର୍ତ୍ତି ହୁଏ। ପୁଣି କେନାଲ ମାଧ୍ୟମରେ ତଳ ମୁଣ୍ଡର ଜମିକୁ ଜଳ ସେଚିତ କରିବା ପରେ ମହେନ୍ଦ୍ରତନୟା ନଦୀରେ ବଳକା ପାଣି ମିଶେ। ଅନ୍ୟ ଏକ କେନାଲ ମାଧ୍ୟମରେ ସୀତା ସାଗରକୁ ଯାଏ। ବ୍ରିଟିଶ ଇଞ୍ଜିନିୟରମାନଙ୍କ ଦ୍ଵାରା ନିର୍ମିତ କେନାଲଗୁଡ଼ିକ ଜରିଆରେ ବୁନ୍ଦାଏ ଜଳ ବି ନଷ୍ଟ ନ ହୋଇ ନଦୀରୁ ଆସି ପୁଣି ନଦୀକୁ ପାଣି ଫେରିଯାଏ।
ଦିନ ଥିଲା ଏହି ରାମ ସାଗରର ଜଳ ଏତେ ସ୍ଵଚ୍ଛ ଥିଲା ଯେ ଆଖପାଖ ଅଞ୍ଚଳର ଗ୍ରାମଗୁଡ଼ିକ ଏହି ପାଣିକୁ ପାନୀୟ ଜଳ ଭାବେ ମଧ୍ୟ ବ୍ୟବହାର କରୁଥିଲେ। ପାରଳାଖେମୁଣ୍ଡି ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ଜୀବିକା ନିର୍ବାହ ସହିତ ଅନେକ ପରିବାର ସାଗରରୁ ବାହାରୁଥିବା କଇଁଫୁଲ, ପଦ୍ମଫୁଲ ଆଦି ଆଣି ସହରରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ।
ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ମନୋରମ ଥିଲା। ପ୍ରାତଃକାଳୀନ ଓ ସାନ୍ଧ୍ୟକାଳୀନ ଦୃଶ୍ୟ ସହ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ମନହରଣ କରୁଥିଲା। ଶୀତଦିନରେ ସାଇବେରିଆନ କ୍ରେନ, ହଂସରାଳି, ବିଭିନ୍ନ ପ୍ରଜାତିର ବଗ ସାଗର ବୁକୁରେ ସୌନ୍ଦର୍ଯ୍ୟକୁ ବହୁଗିଣିତ କରୁଥିଲେ। ତାଳ କାଠରୁ ତିଆରି ଡଙ୍ଗାରେ ନୌକା ବିହାର ହେଉଥିଲା। ବର୍ତ୍ତମାନ ସେ ସବୁ ନାହିଁ। ସାଗରର ଜଳ ଧାରଣ କ୍ଷମତା ସମ୍ପୂର୍ଣ୍ଣ କମି ଯାଇଛି। ଅଳ୍ପ ବର୍ଷା ହେଲେ ବି କୂଳ ଲଙ୍ଘି ବାହାରକୁ ଚାଲି ଯାଉଛି। ଜମିକୁ ଜଳ ଯୋଗାଇବାରେ ଏହା ଅସମର୍ଥ ହେଉଛି । ବେଳ ଥାଉଣୁ ଏହାର ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ଦୃଷ୍ଟି ନ ଦେବା ଫଳରେ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଲା। ଏଣୁ, ଜିଲ୍ଲା ପ୍ରଶାସନ ଏଥର ଅନ୍ତତଃ ଉଦ୍ୟମ କରିଥିଲେ ଏହାର ହୃତଗୌରବ ଫେରି ଆସନ୍ତା ବୋଲି ମତପ୍ରକାଶ ପାଇଛି।
Follow Us