ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନରେ ରୋଷେୟା ମୃତ୍ୟୁ ଘଟଣା: ବିଜେଡି-ବିଜେପି ମୁ‌ହଁାମୁହିଁ, ୧୪୪ ଧାରା ଜାରି

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନରେ ରୋଷେୟା ମୃତ୍ୟୁ ଘଟଣା: ବିଜେଡି-ବିଜେପି ମୁ‌ହଁାମୁହିଁ, ୧୪୪ ଧାରା ଜାରି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ କୁହୁଳିବାରେ ଲାଗିଛି। ରବିବାର ସକାଳେ ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଟାଉନ୍‌ ଥାନା ନିକଟ ଝଣ୍ଡାଚୌକରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳର ଆଶଙ୍କା କରି ଝାରସୁଗୁଡ଼ା ପୁଲିସ ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି କରାଯାଇଛି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ବିଜେପି ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଥିଲା। ଏପଟେ ମୃତ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ଦେଇଥିବା ଅଭିଯୋଗରେ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଝାରସୁଗୁଡ଼ା ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ପକ୍ଷରୁ ମଧ୍ୟ ଆନ୍ଦୋଳନ ଧମକ ଦିଆଯାଇଥିଲା। ଉଭୟ ପକ୍ଷର ଆନ୍ଦୋଳନ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ରବିବାର ସକାଳୁ ୧୪୪ ଧାରା ଲାଗୁ କରାଯାଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଉଭୟ ପକ୍ଷ ଆନ୍ଦେଳନକୁ ଓହ୍ଲାଇଥିଲେ। ଝାରସୁଗୁଡ଼ା ଥାନା ନିକଟ ଝଣ୍ଡାଚୌକଠାରେ ଉଭୟ ପକ୍ଷର କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେପଟେ ପୁଲିସ ଉଭୟ ପକ୍ଷରୁ ୩୫୦ ଜଣଙ୍କୁ ଅଟକ ରଖି ଅପରାହ୍‌ଣରେ ଛାଡ଼ି ଦେଇଥିଲା। ଆନ୍ଦୋଳନ ସମୟରେ ବିଜେପିର ପୁରୁଷ ଓ ମହିଳା କର୍ମୀଙ୍କୁ ଆକ୍ରମଣ ହୋଇଥିବା ନେଇ ବରିଷ୍ଠ ବିଜେପି ନେତା ଦିନେଶ ଜୈନ ଅଭିଯୋଗ କରିଥିଲେ। ଏ ନେଇ ସେ ପୂର୍ବାହ୍ଣରେ ଏସ୍‌ପି ଶ୍ରୀ ଦାଶଙ୍କୁ ଭେଟିଥିଲେ। ଲଳିତ ସାହୁଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ହତ୍ୟା; ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ।

ଏହାକୁ ନେଇ ଆଜି ଦିନ ତମାମ ଜିଲ୍ଲାରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆନ୍ଦୋଳନ ସମୟରେ ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ ଝାରସୁଗୁଡ଼ା ସଚେତନ ନାଗରିକ ମଞ୍ଚର ସଭାପତି ତାପ ରାୟଚୌଧୁରୀଙ୍କ କହିବା କଥା, ମୃତକଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ଦିଆଯାଇଥିଲା ଯେ ବିଜେପି ନେତାମାନେ ସେମାନଙ୍କ ପରିବାରକୁ ମାନସିକ ଅଶାନ୍ତି ଦେଉଛନ୍ତି। ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁକୁ ନେଇ ବିଜେପି ନେତାମାନେ ହୀନ ରାଜନୀତି କରୁଛନ୍ତି। ସେମାନେ ଏପରି ରାଜନୀତି କଲେ ଆଗକୁ ଆମେ ମଧ୍ୟ ପଦକ୍ଷେପ ନେବୁ ବୋଲି ଚେତାବନୀ ଦେଇଥିଲେ। ମ୍ୟାଜି‌ଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ଝାରସୁଗୁଡ଼ା ବିଡିଓ ପ୍ରସନ୍ନ ପାଣ୍ଡେ କହିଛନ୍ତି, ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ କିଛି ଲୋକଙ୍କୁ ଅଟକ ରଖାଯାଇଛି। ରାଜନୈତିକ କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe