ଧାନ କ୍ବିଣ୍ଟାଲ ପିଛା ଶ୍ରମ ଖର୍ଚ୍ଚରେ ବି କେଳେଙ୍କାରୀ: କେନ୍ଦ୍ର ଦିଏ; ଚାଷୀ ପାଏନି

Advertisment

୧୯ ବର୍ଷ ହେଲା ଏହି ଟଙ୍କା ଯାଉଛି କୁଆଡ଼େ? ମଣ୍ଡିଶୂନ୍ୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଚାଷୀ ବି ଶୋଷିତ

୧୯ ବର୍ଷ ହେଲା ଏହି ଟଙ୍କା ଯାଉଛି କୁଆଡ଼େ? ମଣ୍ଡିଶୂନ୍ୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଚାଷୀ ବି ଶୋଷିତ

୩୩୨ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

Agriculture Post

ଭୁବନେଶ୍ବର : ‘ଗଞ୍ଜାମ ଜିଲ୍ଲାରେ ତ ମଣ୍ଡି ନାହିଁ, ତେଣୁ ଧାନ ଆର୍‌ଏମ୍‌ସିକୁ ଯିବାର ପ୍ରଶ୍ନ ହିଁ ଉଠୁନାହିଁ। କିଛି ସ୍ଥାନରେ କ୍ରୟ କେନ୍ଦ୍ର ରହିଛି, ତା’ କଥା ନକହିବା ଭଲ। ତେଣୁ ଚାଷୀ ସିଧାସଳଖ ଧାନ ଧରି ମିଲରଙ୍କ ପାଖରେ ପହଞ୍ଚିବା ପରେ ସେଠାରେ ଧାନ ଅନ୍‌ଲୋଡିଂ କରି କରି ଓଜନ କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ନିଜେ କରେ। ଶ୍ରମିକଙ୍କ ଖର୍ଚ୍ଚ ବାବଦରେ ଟଙ୍କା ପାଇବା ଦୂରେ ଥାଉ ପରିବହନ ଖର୍ଚ୍ଚ ମଧ୍ୟ ଚାଷୀ ନିଜେ ବହନ କରିଥାଏ। ଯେଉଁଠି ଆର୍‌ଏମ୍‌ସି ସମ୍ପାଦକଙ୍କ ଘରେ ଆଇଆର୍‌ଏସ୍‌ ସ୍କାନିଂ ହୁଏ ଓ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଦିନଦିନ ଧରି ଆନ୍ଦୋଳନ କରିବାକୁ ପଡ଼େ, ସେଠାରେ ଶ୍ରମିକ ଖର୍ଚ୍ଚର ହିସାବ କିଏ କରିବ?’ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଚାଷୀ ସୀମାଞ୍ଚଳ ନାଏକ। ମଣ୍ଡିଶୂନ୍ୟ ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ସବୁଠି ପ୍ରାୟ ଏକାପ୍ରକାର ସ୍ଥିତି।

କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ବିତରଣ ନୀତି ଅନୁଯାୟୀ, କେନ୍ଦ୍ରର ଏଜେଣ୍ଟ ଭାବରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିଥାଏ ରାଜ୍ୟ। ଏସଂକ୍ରାନ୍ତରେ ଏମ୍‌ଏସ୍‌ପି ଠାରୁ ଆରମ୍ଭ କରି ୧୭ଟି ବିନ୍ଦୁରେ ହେଉଥିବା ଖର୍ଚ୍ଚ ବାବଦ ଟଙ୍କା କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଦିଆଯାଏ। ଏହି ସବୁ ଖର୍ଚ୍ଚ ମଧ୍ୟରୁ ଗୋଟିଏ ହେଲା, ମଣ୍ଡି ଲେବର ଚାର୍ଜେସ ବା ମଣ୍ଡିରେ ଶ୍ରମିକମାନଙ୍କ ବାବଦରେ ହେଉଥିବା ଖର୍ଚ୍ଚ। ୧ କ୍ବିଣ୍ଟାଲ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ୮ ଟଙ୍କା ୬୭ ପଇସା ଦେଇଥାନ୍ତି। ନିୟମ ଦୃଷ୍ଟିରୁ ଚାଷୀ ଆର୍‌ଏମ୍‌ସିକୁ ଧାନ ଆଣିବା ପରେ ଟ୍ରାକ୍ଟରରୁ ଓହ୍ଲାଇବା, ଓଜନ ବେଳେ ଧାନ ବୋହିବା ସମେତ ବିଭିନ୍ନ ପ୍ରକାର ଶ୍ରମ କାର୍ଯ୍ୟର ଦାୟିତ୍ବ ସରକାରଙ୍କର ଅଟେ। ହେଲେ ଏ ଟଙ୍କା ଚାଷୀ କେବେ ବି ପାଏନାହିଁ।
କୋରାପୁଟ ଚାଷୀ ନରେନ୍ଦ୍ର ପ୍ରଧାନଙ୍କ କହିବା କଥା ହେଉଛି, ମଣ୍ଡିରୁ ଧାନ ଅନ୍‌ଲୋଡ୍‌ ଠାରୁ ଓଜନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଚାଷୀଙ୍କ ନିଯୁକ୍ତିପ୍ରାପ୍ତ ଶ୍ରମିକ କରିଥାଆନ୍ତି। ଏଥିରେ ଆର୍‌ଏମ୍‌ସିର କୌଣସି ଭୂମିକା ନଥାଏ। ୧ କ୍ବିଣ୍ଟାଲ ହିସାବରେ ଶ୍ରମ ଖର୍ଚ ବାବଦରେ ଚାଷୀ ନିଜେ ୧୦ ଟଙ୍କା ଖର୍ଚ୍ଚ କରନ୍ତି। ବର୍ତ୍ତମାନର ଏନ୍‌ଡିଏ ନୁହେଁ, ୟୁପିଏ ସରକାରଙ୍କ ଅମଳରୁ ହିଁ ମଣ୍ଡି ଲେବର ଚାର୍ଜ ବାବଦରେ ରାଜ୍ୟକୁ କେନ୍ଦ୍ର ପାଖରୁ ଟଙ୍କା ଆସୁଥିବା ବ୍ୟବସ୍ଥା ନେଇ ଅବଗତ ଅଛନ୍ତି। ଏହି ଟଙ୍କା ଚାଷୀଙ୍କୁ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଦାବି କରିଛନ୍ତି। ଏପରିକି ତାଙ୍କର ଏକ ବ୍ୟକ୍ତିଗତ ହିସାବ ଅନୁସାରେ, ମଣ୍ଡି ଲେବର ଚାର୍ଜ ହିସାବରେ କୋରାପୁଟ ଚାଷୀ ୨୨ କୋଟି ଟଙ୍କା ପାଇବାକୁ ହକ୍‌ଦାର ଅଟନ୍ତି। ଚାଷୀ ପାଇବାକୁ ଥିବା ଟଙ୍କା ଯଦି ପ୍ରଶାସନ ଚାଷୀଙ୍କୁ ଦେବାକୁ ଚାହୁନାହାନ୍ତି, ଏବାବଦ ଅର୍ଥରେ ପ୍ରତ୍ୟେକ ବ୍ଲକ ପାଇଁ ଆମ୍ବୁଲାନ୍ସ କ୍ରୟ କରନ୍ତୁ। କିନ୍ତୁ ନିଜ ପାଖରେ ରଖନ୍ତୁ ନାହିଁ ବୋଲି ଗତ ଡିଏଲ୍‌ପିସି ବୈଠକରେ ସେ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

publive-image Sambad

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଚାଷୀ କିରଣ କୁମାର କହନ୍ତି, ଟ୍ରାକ୍ଟରରୁ ଧାନ ଓହ୍ଲାଇ ଓଜନ ପର୍ଯ୍ୟନ୍ତ କାର୍ଯ୍ୟ ତାଙ୍କ ଦ୍ବାରା ନିଯୁକ୍ତ ଶ୍ରମିକ କରିଥାଆନ୍ତି। କିନ୍ତୁ ବାକି କାର୍ଯ୍ୟ ଆର୍‌ଏମ୍‌ସି ଶ୍ରମିକ କରନ୍ତି। ସମ୍ବଲପୁର ଜିଲ୍ଲାର ଅନେକ ଚାଷୀ କେବଳ ପ୍ରହସନ ସ୍ବରୂପ କ୍ରୟ କେନ୍ଦ୍ରକୁ ଆଣି ସେଠାରୁ ସିଧାସଳଖ ମିଲ୍‌କୁ ନେଇଯାଆନ୍ତି। ସେଠାରେ ଧାନ ବସ୍ତା ଓହ୍ଲାଇବା ଠାରୁ ଓଜନ ପରର ସବୁ କାର୍ଯ୍ୟ ଚାଷୀଙ୍କ ଶ୍ରମିକ କରନ୍ତି। ଏହାକୁ ନେଇ କୌଣସି ଅର୍ଥ ସେମାନଙ୍କୁ ମିଳେ ନାହିଁ। ଯେଉଁଠି ଧାନ ବିକ୍ରି ପାଇଁ ଏତେ ସମସ୍ୟା, ବାକି ଶସ୍ୟ ବିକ୍ରି କଥା କିଏ ପଚାରେ ବୋଲି କିରଣ ମତ ଦିଅନ୍ତି।

ସୁନ୍ଦରଗଡ଼ ଚାଷୀ ଦେବେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ, ମଣ୍ଡିକୁ ଧାନ ଆଣିବା ପରେ ବସ୍ତା ବୋହିକି ନେବାଠାରୁ ସବୁ କାର୍ଯ୍ୟ ଆର୍‌ଏମ୍‌ସିର ନିଯୁକ୍ତପ୍ରାପ୍ତ ଶ୍ରମିକ କରନ୍ତି। ଏଥିବାବଦରେ ଚାଷୀଙ୍କ ଠାରୁ ୫ ଟଙ୍କା ଦିଆଯାଏ। କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ୮ଟଙ୍କା ୬୭ ପଇସା ଯଥେଷ୍ଟ ହେଉନଥିବାରୁ ଚାଷୀଙ୍କ ଠାରୁ ଅତିରିକ୍ତ ଅର୍ଥ ଆଦାୟ ହୁଏ। କେବଳ ଏହି କିଛି ଜିଲ୍ଲାର ଚାଷୀ ନୁହଁନ୍ତି, ଅଧିକାଂଶ ସ୍ଥାନରେ ମଣ୍ଡି ଲେବର ଚାର୍ଜେସ ବାବଦରେ କେନ୍ଦ୍ରରୁ ମିଳୁଥିବା ଚାଷୀଙ୍କ ଟଙ୍କା ଚାଷୀଙ୍କ ପାଖକୁ ଆସେ ନାହିଁ। ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପାଖରେ ରହିଯାଏ।

୨୦୦୩ ମସିହାରୁ ୨୦୨୨। ଯେତେ ପରିମାଣରେ ଧାନ ସଂଗ୍ରହ ହୋଇଛି, ମଣ୍ଡି ଲେବର ଚାର୍ଜର ଯେଉଁ ହିସାବ ଆସିବ, ତାହା ସମସ୍ତଙ୍କ ନିଦ ହଜାଇ ଦେବ। ଚାଷୀଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସରକାର କାହିଁକି ଚାଷୀ ଟଙ୍କା ହଡ଼ପ କରି ଚାଲିଛନ୍ତି ଏବଂ ବିରୋଧୀ କିମ୍ବା କେନ୍ଦ୍ର କାହିଁକି ଏହାକୁ ପ୍ରଶ୍ନ କରନ୍ତି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe