ତମାଖୁ ରୋକିବାକୁ କଡ଼ାକଡ଼ି ହେଉନି ‘କୋଟ୍‌ପା’ ଆଇନ

Advertisment

ଚଢ଼ଉରେ ଗଞ୍ଜାମ ପ୍ରଥମ, ତଥାପି ମାଳ ମାଳ ବେଆଇନ ପ୍ୟାକ୍ଟ୍ରି

ଚଢ଼ଉରେ ଗଞ୍ଜାମ ପ୍ରଥମ, ତଥାପି ମାଳ ମାଳ ବେଆଇନ ପ୍ୟାକ୍ଟ୍ରି

ତମାଖୁ ରୋକିବାକୁ କଡ଼ାକଡ଼ି ହେଉନି ‘କୋଟ୍‌ପା’ ଆଇନ

ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ସହର ଉପକଣ୍ଠ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଚୋରା ଫ୍ୟାକ୍ଟ୍ରି ବସାଇ ନକଲି ମଦ, ଗୁଟ୍‌ଖା ପ୍ରସ୍ତୁତ କରି ଲୋକଙ୍କୁ ବିଷ ଦିଆଯାଉଛି। ବ୍ରହ୍ମପୁର ପୁଲିସ ବିଗତ ଦିନରେ ଏଭଳି ବହୁ ଖୁଟ୍‌ଖା କାରଖାନା ଓ ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଛି। ଏହାକୁ ବନ୍ଦ କରିବା ପାଇଁ ଜିଲ୍ଲାସ୍ତରରେ ଏକ ଟାସ୍କ୍‌ଫୋର୍ସ ରହିଛି। ଏହି ଟିମ୍‌ ଦ୍ବାରା ବିଭିନ୍ନ ସମୟରେ ଚଢ଼ଉ କରି ଗୁଟ୍‌ଖା ଜବତ କରାଯାଉଛି। ଏଥିରୁ ଜରିମାନା ଆଦାୟ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ସ୍ଥାନରେ। ଯେଉଁଥି ପାଇଁ ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବିଶ୍ବ ତମାଖୁ ବର୍ଜନ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପୁରସ୍କୃତ କରାଯିବ। ଏତେ ସବୁ ସଫଳତା ସତ୍ବେ ସହର ଓ ଜିଲ୍ଲାରେ ଗୁଟ୍‌ଖା ପ୍ରସ୍ତୁତି, ବିକ୍ରି ବନ୍ଦ ହେଉ ନାହିଁ କାହିଁକି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ସହରର ଅଧିକାଂଶ ପାନ ଦୋକାନ, ତେଜରାତି ଦୋକାନରେ ବିଭିନ୍ନ ପ୍ରକାର ଗୁଟ୍‌ଖା ବିକ୍ରି ହେଉଛି। ଗତ ୨୨ତାରିଖରେ ବଡ଼ବଜାର ଥାନା ପୁଲିସ କାଳୁପାତ୍ର ସାହିରେ ଚଢ଼ଉ କରି ପ୍ରାୟ ୨୫ଲକ୍ଷ ଟଙ୍କାର ଗୁଟ୍‌ଖା, ପ୍ରସ୍ତୁତି ଓ ପ୍ୟାକିଂ ମେସିନ୍‌ ଓ କଞ୍ଚାମାଲ ଜବତ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା।

ରାଜ୍ୟ ସରକାର ଗୁଟଖା ଓ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ ପାଇଁ ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ କରାଯାଇଛି। ହେଲେ ସମସ୍ତ ଆଇନକାନୁନକୁ ଅବମାନନା କରି ତମାଖୁ ସେବନ ଓ ଧୂମପାନ କରିବା ଯେମିତି ଲୋକଙ୍କ ଅଭ୍ୟାସ ପାଲଟିଗଲାଣି। ଲୋକଙ୍କୁ କୌଣସି ଆଇନ କାଟୁ କରୁ ନାହିଁ। ବିଭିନ୍ନ କାରଣ ଯୋଗୁଁ ଲୋକେ ମୁଖକର୍କଟ, ଛାତି ଓ ପେଟରୋଗ ଭଳି ମାରାତ୍ମକ ରୋଗର ଶିକାର ହୋଇଥାନ୍ତି। ସେଥି ମଧୢରୁ ୩୦ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଛି। ଏହାଛଡ଼ା ଧୂମପାନ ଯୋଗୁଁ ୪୦ ପ୍ରତିଶତ ଲୋକ ଯକ୍ଷ୍ମା ରୋଗରେ ପୀଡ଼ିତ ହେଉଥିବା ଜଣେ ଡାକ୍ତର କରିଛନ୍ତି। ତମାଖୁ କାରବାର ଉପରେ ରୋକ୍‌ ଲଗାଇବା ପାଇଁ ୨୦୦୩ରେ ‘କୋଟ୍‌ପା’ ଆଇନ (ସିଗାରେଟ୍‌ସ୍‌ ଆଣ୍ଡ୍‌ ଅଦର୍‌ ଟବାକୋ ପ୍ରଡକ୍ଟସ୍‌ ଆକ୍ଟ) ଲାଗୁ କରା ଯାଇଥିଲା।

ଏହି ଆଇନଦ୍ବାରା ତମାଖୁ ପ୍ରସ୍ତୁତ କର୍ତ୍ତା, ବିକ୍ରେତା ଓ ଷ୍ଟକିଷ୍ଟଙ୍କ ନାମରେ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଏହି ଆଇନକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ଲାଗୁ ପାଇଁ ନିର୍ଦେଶନାମା ଜାରି କରିବା ପରେ ଜିଲ୍ଲାସ୍ତରରେ ଏକ ଟାସ୍କ୍‌ଫୋର୍ସ ଗଠନ କରାଯାଇଛି। ଟାସ୍କ୍‌ଫୋର୍ସରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୁଖ୍ୟ ରହିଥିବା ବେଳେ ସଦସ୍ୟ ଭାବେ ଫୁଡ୍‌ ଇନ୍‌ସ୍ପେକ୍ଟର୍‌, ଡ୍ରଗ ଇନ୍‌ସ୍ପେକ୍ଟର୍‌ ଓ ମାଜିଷ୍ଟ୍ରେଟ୍‌ ରହିବେ। ସବ୍‌ଇନ୍‌ସ୍ପେକ୍ଟର୍‌ ରୢାଙ୍କର ଜଣେ ପୁଲିସ ଅଧିକାରୀ କାର୍ଯ୍ୟାନୁଷ୍ଠାନ ବେଳେ ଟିମ୍‌କୁ ସହଯୋଗ କରିବେ। ଗ˚ଜାମ ଜିଲ୍ଲାରେ ଏହି ଟାସ୍କ୍‌ଫୋର୍ସ ରହିଛି। ତଥାପି ପାନ ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନରେ ବିଭିନ୍ନ କମ୍ପାନିର ପେନ୍ଥା ପେନ୍ଥା ଗୁଟ୍‌ଖା ମାଳ ଟଙ୍ଗା ହୋଇ ବେଧଡ଼କ ବିକ୍ରି କରାଯାଉଛି।

ସେହିପରି ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୧୦୦ ମିଟର ଦୂରତା ମଧୢରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି କରିପାରିବେ ନାହିଁ ବୋଲି ନିର୍ଦେଶନାମା ଥିବା ବେଳେ ଏହାକୁ ଗୁରୁତ୍ବ ଦିଆଯାଉନି। ବ୍ରହ୍ମପୁର ସହର ସମେତ ଜିଲ୍ଲାର ପ୍ରାୟ ବିଭିନ୍ନ ସ୍କୁଲ ଓ କଲେଜ ନିକଟରେ ତମାଖୁ ଦ୍ରବ୍ୟ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଏଡିଏମ୍‌ଓ(ପିଏଚ୍‌) ଡା. ଆର୍‌. ଜଗଦୀଶ ପଟ୍ଟନାୟକ କହନ୍ତି, ଗଞ୍ଜାମ ଜିଲ୍ଲାରେ ଗଠନ ହୋଇଥିବା ଟାସ୍କଫୋର୍ସ ବିଭିନ୍ନ ସମୟରେ ଚଢ଼ଉ କରୁଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧ଲକ୍ଷ ୮୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଧାର୍ଯ୍ୟ ଟାର୍ଗେଟରୁ ଅଧିକ ଚଢ଼ଉ କରି ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ହୋଇଛି। ଏଣୁ ଗଞ୍ଜାମ ଜିଲ୍ଲାକୁ ମଙ୍ଗଳବାର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe