ମହାରାଷ୍ଟ୍ର ମୁହାଁ ସୁବର୍ଣ୍ଣପୁରର କପା

Advertisment

ବିନା ଟ୍ରେଡ୍ ଲାଇସେନ୍ସରେ ବେଧଡ଼କ ଚାଲାଣ ହେଉଛି, ସରକାରୀ ଦରକୁ ନେଇ ଚାଷୀ ଅସନ୍ତୁଷ୍ଟ

ବିନା ଟ୍ରେଡ୍ ଲାଇସେନ୍ସରେ ବେଧଡ଼କ ଚାଲାଣ ହେଉଛି, ସରକାରୀ ଦରକୁ ନେଇ ଚାଷୀ ଅସନ୍ତୁଷ୍ଟ

ମହାରାଷ୍ଟ୍ର ମୁହାଁ ସୁବର୍ଣ୍ଣପୁରର କପା

ସୋନପୁର : କପାଦରକୁ ନେଇ ଅସନ୍ତୁଷ୍ଟ ସୁବର୍ଣ୍ଣପୁରର ଚାଷୀ। ସରକାର କ୍ବିଣ୍ଟାଲ ପିଛା ୬୩୮୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି। ଚାଷୀଙ୍କ କହିବା କଥା, କପା ଚାଷରେ ଯେତିକି ଖର୍ଚ୍ଚ ହେଉଛି ତଦନୁସାରେ ସରକାର ଦର ଧାର୍ଯ୍ୟ କରୁନାହାନ୍ତି। ଫଳରେ, ଚାଷୀ ଆର୍ଥିକ କ୍ଷତି ସହୁଛି। ଏହାର ଫାଇଦା ନେଇ ଏବେ ଜିଲ୍ଲାରେ ମହାରାଷ୍ଟ୍ରର ବେସରକାରୀ ଜିନିଂ ମିଲ୍‌ ମାଲିକମାନେ ସକ୍ରିୟ ହୋଇଛନ୍ତି। କ୍ବିଣ୍ଟାଲ ପିଛା ୭ ହଜାରରୁ ଅଧିକ ଦରରେ କପା କ୍ରୟ କରୁଛନ୍ତି।

ସୂଚନା ଅନୁସାରେ, ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଅଧିକ କପା ଚାଷ ହେଉଛି। ତେଣୁ ଉକ୍ତ ଅଞ୍ଚଳରେ ଜିନିଂ ମିଲ୍‌ ମାଲିକମାନେ ଅଧିକ ସକ୍ରିୟ ଅଛନ୍ତି। ଉକ୍ତ ମାଲିକମାନେ ନା ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟିରେ ଟ୍ରେଡିଂ ଲାଇସେନ୍ସ କରିଛନ୍ତି ନା ଏଥିପାଇଁ ରାଜସ୍ବ ଦେଉଛନ୍ତି। ହେଲେ, ଏ ଦିଗକୁ ଜିଲ୍ଲା ପ୍ରଶାସନ ଆଦୌ ନଜର ଦେଉନାହିଁ। ଯଦିଓ ବାହାର ଜିନିଂ ମିଲ ମାଲିକଙ୍କ ପାଖରେ କପା ବିକ୍ରି କରି ଚାଷୀ ଅଧିକ ଟଙ୍କା ପାଉଛନ୍ତି, କିନ୍ତୁ ଏଥିପାଇଁ ଯେଉଁ ନିୟମ ପାଳନ ହେବା କଥା ହେଉନାହିଁ। ଫଳରେ, ସରକାର ରାଜସ୍ବ ହରାଉଛନ୍ତି। ସେହିପରି, ବେଆଇନ କପା ଚାଲାଣ କରୁଥିବା ମାଲିକଙ୍କ ବିରୋଧରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ।

ପରିସଂଖ୍ୟାନ ଅନୁସାରେ, ଜିଲ୍ଲାରେ ପ୍ରାୟ ୧ ଶହ କୋଟିରୁ ଅଧିକ ଟଙ୍କାର କପା ଚାଷ ହେଉଛି। ଶହଶହ କ୍ବିଣ୍ଟାଲ କପା ବେଆଇନ ଭାବରେ ମହାରାଷ୍ଟ୍ରକୁ ଚାଲାଣ ହୋଇସାରିଛି। ବାହାର ବେସରକାରୀ ଜିନିଂ ମିଲ ମାଲିକମାନେ ଚାଷୀଙ୍କ ଘର ପାଖରେ ଟ୍ରକ୍‌ ଲଗାଇ କପା କ୍ରୟ କରି ଅଧିକ ମୂଲ୍ୟ ଦେଉଥିବାରୁ ଚାଷୀ ଉପକୃତ ହେଉଛନ୍ତି। ନିୟନ୍ତ୍ରିତ ବଜାର କମିଟି ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।

ଏ ସମ୍ପର୍କରେ ବୀରମହାରାଜପୁର ଆର୍‌ଏମ୍‌ସି ସମ୍ପାଦକ ମନୋଜ ଜେନା କହିଛନ୍ତି, ବୀରମହାରାଜପୁର ବ୍ଲକ୍‌ ବଡ଼ଖମାରରେ କପା ମଣ୍ଡି ଖୋଲାଯାଇଛି। ମଣ୍ଡିରେ କପା ବିକ୍ରି କରିବା ପାଇଁ ଚାଷୀଙ୍କ ସଚେତନ କରାଯାଇଛି। ତେବେ, ସରକାରୀ ଦର କ୍ବିଣ୍ଟାଲ ପିଛା ୬୩୮୦ ଟଙ୍କା ଥିବାବେଳେ ମହାରାଷ୍ଟ୍ରରୁ ଆସୁଥିବା ମିଲ୍‌ ମାଲିକମାନେ କ୍ବିଣ୍ଟାଲ ପିଛା ୭୮୦୦ ଟଙ୍କା ଦେଉଥିବାରୁ ଚାଷୀ ମଣ୍ଡିକୁ ଆଣିବା ପରିବର୍ତ୍ତେ ସେମାନଙ୍କ ପାଖରେ କପା ବିକ୍ରି କରୁଛନ୍ତି।

‘ କିଛି ମାଲିକ ଏଠାରେ ଟ୍ରେଡ୍‌ ଲାଇସେନ୍ସ ନକରି ଚୋରାରେ କପା କ୍ରୟ କରୁଥିବା ଯୋଗୁଁ ଏମାନଙ୍କୁ ରୋକିବା ପାଇଁ ଉଲୁଣ୍ଡା ବ୍ଲକ ଅଞ୍ଚଳରେ ଦୁଇଟି ସ୍ଥାନରେ ଚେକ୍‌ପୋଷ୍ଟ କରାଯାଇଛି। ଏପରିକି ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ରହିଛନ୍ତି। ବିଭିନ୍ନ ସମୟରେ ଚଢ଼ାଉ ମଧ୍ୟ କରାଯାଉଛି,’ ବୋଲି କହିଛନ୍ତି ଶ୍ରୀଜେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe